‘ରୋଷେଇ କରୁଥିବା ବେଳେ ଝିଅକୁ ଜାଳି ଦେଲେ’

ରେଢାଖୋଲ,୧୧ା୨: ଶାଶୁଘର ଲୋକେ ମୋ ଝିଅକୁ ପେଟ୍ରୋଲ ଢାଳି ପୋଡ଼ି ମାରିଦେଇଛନ୍ତି। ରେଢାଖୋଲ ଥାନାରେ ଏଭଳି ଅଭିଯୋଗ କରିଛନ୍ତି ଅନୁଗୋଳ ଜିଲା ମାଧପୁର ଗ୍ରାମର କୃଷ୍ଣ ବେହେରା। ପୋଲିସ ଦଫା ୪୯୮(କ), ୨୯୪, ୩୦୨, ୩୦୪ (କ)/୩୪ ଆଇପିସି ଓ ଯୌତୁକ ନିର୍ଯାତନା ଆଇନର ଧାରା ୪ରେ ଏକ ମାମଲା (ନଂ.୨୬/୨୧) ରୁଜୁ କରି ଘଟଣାର ତଦନ୍ତ କରୁଛି।
ଅଭିଯୋଗ ମୁତାବକ, ୨୦୧୭ ଏପ୍ରିଲ ୧୯ରେ ମାଧପୁର ଗ୍ରାମର କୃଷ୍ଣଙ୍କ ଝିଅ ରୁନୁ ବେହେରା ରେଢାଖୋଲ ଥାନା ଗୋବିନ୍ଦପୁର ଗ୍ରାମର ଶିବ ବେହେରାଙ୍କ ପୁଅ ବସନ୍ତଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ସେ ସମୟରେ ଦାବି ମୁତାବକ ସମସ୍ତ ଯୌତୁକ ଦିଆଯାଇଥିଲା। ବିବାହ ପରେ ଏକ ମୋଟରସାଇକେଲ ଆଣିବାକୁ କହି ଶାଶୁଘର ଲୋକେ ନିର୍ଯାତନା ଦେଇଆସୁଥିଲେ। ମୋଟରସାଇକେଲ କିଣି ଦେବା ପରେ ମଧ୍ୟ ନିର୍ଯାତନା କମି ନ ଥିଲା। ପିଲାଛୁଆ ହେଉ ନ ଥିବାରୁ ଏହାକୁ ନେଇ ଶାଶୁ, ନଣନ୍ଦ ଓ ସ୍ବାମୀ ମିଳିତ ଭାବେ ଝିଅ ରୁନୁକୁ ମାରିଦେବାକୁ ଉଦ୍ୟମ କରିଥିଲେ। ୨୯ ଡିସେମ୍ବର ୨୦୨୦ରେ ରୁନୁ ରୋଷେଇ କରୁଥିବା ସମୟରେ ସେମାନେ ପେଟ୍ରୋଲ ଢାଳି ପୋଡ଼ି ଦେଇଥିଲେ। ଜୀବନ ବିକଳରେ ସେ ବାଡିରେ ଥିବା କୂଅକୁ ଡେଇଁ ପଡିଥିଲେ। ପଡିଶା ଘର ଲୋକେ ତାଙ୍କୁ ଉଦ୍ଧାର କରି ବୁର୍ଲା ଡାକ୍ତରଖାନାକୁ ନେଇଥିଲେ। ଏ ସମ୍ପର୍କରେ ରୁନୁ ଜଣେ ନର୍ସଙ୍କ ମୋବାଇଲରୁ ୩୦ ତାରିଖରେ ଜଣାଇବା ପରେ ପରିବାର ଲୋକେ ବୁର୍ଲା ଡାକ୍ତରଖାନାରେ ପହଞ୍ଚତ୍ଥିଲେ। ରୁନୁ ଶରୀରର ଅର୍ଦ୍ଧାଧିକ ଅଂଶ ପୋଡିଯାଇଥିବାବେଳେ ବୁର୍ଲା ଡାକ୍ତରଙ୍କ ପରାମର୍ଶରେ ୬ ଜାନୁୟାରୀ ୨୦୨୧ରେ କଟକ ବଡ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଫେବୃୟାରୀ ୨ ତାରିଖ ପର୍ଯ୍ୟନ୍ତ ଚିକିତ୍ସିତ ହେବା ପରେ ତାଙ୍କୁ ଡିସ୍‌ଚାର୍ଜ କରାଯାଇଥିଲା। ଫେବୃୟାରୀ ୬ରେ ମାଧପୁରସ୍ଥିତ ଘରେ ପୁଣି ଅବସ୍ଥା ଗୁରୁତର ହେବାରୁ ପ୍ରଥମେ ଆଠମଲ୍ଲିକ ଓ ପରେ ଅନୁଗୋଳ ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଯାଇଥିଲା। ହେଲେ ସନ୍ଧ୍ୟାରେ ରୁନୁଙ୍କ ମୃତ୍ୟୁ ହୋଇଥିଲା। ପୋଲିସ ଘଟଣାର ତଦନ୍ତ କରୁଥିବା ଥାନା ଅଧିକାରୀ ସୁରୁବାବୁ ଛତ୍ରିଆ କହିଛନ୍ତି।