ଘର ଜାଳିଦେଲେ, ମା’ଙ୍କୁ ଆକ୍ରମଣ ଉଦ୍ୟମ: ଅଭିଯୁକ୍ତ ପୁଅ ଗିରଫ

ଅନୁଗୋଳ ଅଫିସ, ୨ା୯:ଅନୁଗୋଳ ସଦର ଥାନା ରନ୍ତଲେଇ ଜଙ୍ଗଲମୌଜାର ଦୀନେଶ ନାଏକ(୨୦) ଗୁରୁବାର ନିଜ ଘର ପୋଡ଼ି ଦେବା ସହ ମା’ଙ୍କୁ ଆକ୍ରମଣ ଉଦ୍ୟମ କରିଛନ୍ତି। ସ୍ଥାନୀୟ ଲୋକେ ତାଙ୍କୁ ଆୟତ୍ତ କରିବା ପରେ ପୋଲିସ ପହଞ୍ଚତ୍ ଥାନାକୁ ଉଠାଇ ଆଣିଥିଲା। ପରେ ମା’ ଶୈଳ ନାଏକଙ୍କ ଲିଖିତ ଅଭିଯୋଗ ଆଧାରରେ ଅଭିଯୁକ୍ତ ପୁଅ ଦୀନେଶଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ପ୍ରକାଶ ଯେ, ଦିନେଶ ମଦ୍ୟପାନ କରି ଘରକୁ ଆସିବା ପରେ କୌଣସି କଥାକୁ ନେଇ ମା’ଙ୍କ ସହ ବଚସା କରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ଦୀନେଶ ତାଙ୍କ ଘରକୁ ଜାଳିଦେଇଥିଲେ। ପରେ ମା’କୁ ଜୀବନରୁ ମାରି ଦେବାକୁ ତଣ୍ଟିକୁ ଚିପି ଦେଇଥିଲେ। ଏହାଦେଖି ସ୍ଥାନୀୟ ଲୋକମାନେ ତାଙ୍କୁ କାବୁ କରିଥିଲେ। ଖବରପାଇ ପୋଲିସ ପହଞ୍ଚତ୍ ଦୀନେଶଙ୍କୁ ଗିରଫ କରିଥିବା ଥାନା ଅଧିକାରୀ ସତ୍ୟବ୍ରତ ରାଉତ ସୂଚନା ଦେଇଛନ୍ତି।