ଭିସୁଟ୍‌ ଛାତ୍ରଙ୍କ କରୋନା ରିପୋର୍ଟ ଭୁଲ୍‌, କିଟ୍‌ ଖରାପ ଥିବା ଯୋଗୁ ଆସିଥିଲା ପଜିଟିଭ୍‌

ସମ୍ବଲପୁର,୨।୩(ବ୍ୟୁରୋ): ସମ୍ବଲପୁର ଜିଲାର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ(ଭିସୁଟ୍‌)ରେ କୋଭିଡ୍‌ ସଂକ୍ରମଣ ବୃଦ୍ଧି ପାଉଥିବା ନେଇ ଚର୍ଚ୍ଚା ହୋଇଥିଲା। ଏପରିକି ବିଶ୍ୱବିଦ୍ୟାଳୟର ୨୫ଜଣ ଛାତ୍ର କରୋନା ପଜିଟିଭ୍‌ ଆସିଥିବା ନେଇ ଖବର ପ୍ରକାଶ ପାଇଥିଲା। ଏହି ଘଟଣାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ମହାପାତ୍ର ମଙ୍ଗଳବାର ଖଣ୍ଡନ କରିଛନ୍ତି। ପରୀକ୍ଷା କରିଥିବା କିଟ୍‌ ଖରାପ ଥିବା ଯୋଗୁ ଛାତ୍ରମାନଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା। ପରେ ଆର୍‌ଟି-ପିସିଆର୍‌ ଟେଷ୍ଟରେ ସମ୍ପୃକ୍ତ ଛାତ୍ରମାନଙ୍କ ରିପୋର୍ଟ ପଜିଟିଭ୍‌ ଆସିନାହିଁ ବୋଲି ସେ ସ୍ପଷ୍ଟୀକରଣ ଦେଇଛନ୍ତି।

ପ୍ରକାଶ ଯେ, ଭିସୁଟ୍‌ରେ କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିବା ନେଇ ଜିଲା ପ୍ରଶାସନ ପକ୍ଷରୁ କ୍ୟାମ୍ପସ୍‌ ପରିସରରେ ଥିବା ୧୧ଟି ହଷ୍ଟେଲକୁ ରବିବାର କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଥିଲା। ଏହାଛଡ଼ା କ୍ୟାମ୍ପସ୍‌ର ପୁଲହ ହଷ୍ଟେଲର ପାର୍ଶ୍ୱବର୍ତ୍ତୀ ଅଞ୍ଚଳକୁ ମଧ୍ୟ ଶନିବାରଠାରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଅଫର ଜୋନ୍‌ ଭାବେ ଘୋଷଣା କରାଯାଇଥିଲା। ଏପରିକି ସୋମବାର ହେବାକୁ ଥିବା ସପ୍ତମ ସେମିଷ୍ଟାର ପରୀକ୍ଷାକୁ ବାତିଲ କରାଯାଇଛି।