ଏଣିକି ସ୍ବର୍ଗଦ୍ୱାରରେ ମୃତଦେହ ସତ୍କାର

ପୁରୀ ଅଫିସ,୧୬ା୮: ଦୀର୍ଘ ୪ ମାସ ପରେ ସୋମବାରଠାରୁ ସ୍ବର୍ଗଦ୍ୱାରରେ ପୁରୀ ଜିଲା ବାହାର ଲୋକଙ୍କ  ମୃତଦେହ ସତ୍କାର କରାଯାଇପାରିବ। ସରକାରଙ୍କ ନିୟମ ଅନୁଯାୟୀ, କେବଳ କୋଭିଡ୍‌ ନେଗେଟିଭ୍‌ ବ୍ୟକ୍ତିଙ୍କର ହିଁ ମୃତଦେହ ସତ୍କାର କରାଯାଇପାରିବ। ଏଥିସହ ସମ୍ପୂର୍ଣ୍ଣ କୋଭିଡ୍‌ କଟକଣାରେ ମୃତଦେହ ସତ୍କାର କରାଯିବ ନଚେତ୍‌ ଅନୁମତି ପ୍ରତ୍ୟାହାର କରି ନିଆଯିବ ବୋଲି ଜିଲାପାଳ ଚେତାବନୀ ଦେଇଛନ୍ତି।

ଏପ୍ରିଲ ୨୫ରୁ ସ୍ବର୍ଗଦ୍ୱାର ପାଇଁ ଲାଗି ହୋଇଥିବା କଟକଣା ଆଜିଠୁ କୋହଳ ହୋଇଛି। ଏପ୍ରିଲ ୨୫ରୁ କେବଳ ପୁରୀ ଜିଲା ଭିତରର ମୃତଦେହ କୋଭିଡ୍‌ କଟକଣା ମଧ୍ୟରେ ଦାହ କରାଯାଉଥିଲା। ଏବେ କୋଭିଡ୍‌ କଟକଣା ଏବଂ ଡାକ୍ତର ସାର୍ଟିଫିକେଟ ଆଧାରରେ ମୃତଦେହ ଦାହ କରାଯିବ। ମାତ୍ର ୧୦ ଜଣ ସମ୍ପର୍କୀୟଙ୍କ ଉପସ୍ଥିତିରେ ମୃତଦେହ ସତ୍କାର କରାଯିବ।

ଶନିବାର ଓ ରବିବାର ଶଟ୍‌ଡାଉନ ସମୟରେ ମଧ୍ୟ ମୃତଦେହ ଦାହ କରାଯାଇପାରିବେ। କୋଭିଡ୍‌ କଟକଣା ଅବମାନନା କଲେ ପୁନର୍ବାର କଟକଣା ଲାଗୁ କରାଯିବ ବୋଲି ଜିଲାପାଳ ଚେତାଇ ଦେଇଛନ୍ତି।