ଘରେ ପଶି ଲୁଟ୍ ଉଦ୍ୟମ କରୁଥିଲେ; ଧରି ପକାଇଲେ ଘର ମାଲିକ, ପଶ୍ଚିମବଙ୍ଗର ୪ ଯୁବକ ଗିରଫ

ବଞ୍ଚୋ, ୨୦।୧୧(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଘସିପୁରା ଥାନା ଅନ୍ତର୍ଗତ ଜଅଁରା ଗ୍ରାମରେ ଘରେ ପଶି ଚୋରି ଉଦ୍ୟମ କରୁଥିବା ବେଳେ ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଘର ମାଲିକଙ୍କ ଉପସ୍ଥିତ ବୁଦ୍ଧି ଓ ସତର୍କତା ଯୋଗୁ ଏକ ବଡ଼ ଧରଣର ଲୁଟ୍ ଉଦ୍ୟମ ପଣ୍ଡ ହୋଇପାରିଛି।

ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ ଜଅଁରା ଗ୍ରାମର ଏକ ଘରେ ପଶି ଲୁଟ୍ ଉଦ୍ୟମ କରୁଥିବା ସମୟରେ ଘର ମାଲିକ ଜାଣିପାରିଥିଲେ। ତାଙ୍କର ସତର୍କତା ଯୋଗୁ ଘଟଣାସ୍ଥଳରୁ ଦୁଇ ଜଣ ଯୁବକ ଧରାପଡ଼ିଥିଲେ। ପରେ ଘର ମାଲିକ ସେମାନଙ୍କୁ ଘସିପୁରା ପୋଲିସ ଜିମା ଦେଇଥିଲେ। ପୁଲିସର ତଦନ୍ତ ଓ ପଚରାଉଚରା ପରେ ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ମିଶାଇ ମୋଟ ୪ ଜଣଙ୍କୁ ଗିରଫ କରାଯାଇଛି।

ଗିରଫ ଅଭିଯୁକ୍ତମାନେ ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗର ମୁର୍ଶିଦାବାଦ ଓ ବୀରଭୂମ ଜିଲାର ବାସିନ୍ଦା ବୋଲି ଜଣାପଡ଼ିଛି। ସେମାନେ ହେଲେ ମୁର୍ଶିଦାବାଦ ଜିଲାର ଶାରୁଖ ଏସ୍‌କେ (୨୦), ରମଜାନ ଅଲ୍ଲୀ (୨୬), ସାନି ଏସ୍‌କେ (୩୫) ଏବଂ ବୀରଭୂମ ଜିଲାର ବାବୁ ଏସ୍‌କେ (୩୫)।

ଏହି ଘଟଣାରେ ଘସିପୁରା ଥାନା ପୋଲିସ କେସ୍ ନଂ ୪୮୧/୨୦୨୬ (ତା. ୧୯.୧୧.୨୦୨୬) ଅନୁଯାୟୀ ଭାରତୀୟ ନ୍ୟାୟ ସଂହିତା (BNS) ର ଧାରା ୩୩୧(୪), ୩୦୫ ଏବଂ ୩(୫) ରେ ଏକ ମାମଲା ରୁଜୁ କରିଛି। ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଆଇନ ଅନୁଯାୟୀ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

Dharitri – Odisha’s No.1 Odia Daily

Share