ସାଂସଦଙ୍କ ପ୍ରତିନିଧି ହେଲେ ବଣ୍ଟି ଜୈନ, ସମର୍ଥକଙ୍କ ମଧ୍ୟରେ ଖେଳିଗଲା ଖୁସିର ଲହରୀ

କେସିଙ୍ଗା, ୧୪।୧୧: କଳାହାଣ୍ଡି ସାଂସଦ ମାଳବିକା ଦେବୀଙ୍କ ସ୍ବୀକୃତିକ୍ରମେ କେସିଙ୍ଗା ଟାଉନ୍‌ର ବଣ୍ଟି ଜୈନଙ୍କୁ ସାଂସଦଙ୍କ କେସିଙ୍ଗା ଟାଉନ ପ୍ରତିନିଧି ଭାବେ ମନୋନୀତ କରାଯାଇଛି। ଏହି ନିଯୁକ୍ତି ପରେ ଭାଜପା ସମର୍ଥକଙ୍କ ମଧ୍ୟରେ ଖୁସିର ମାହୋଲ ଦେଖିବାକୁ ମିଳିଛି। କେସିଙ୍ଗା ଏନଏସି ପକ୍ଷରୁ ଆୟୋଜିତ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମରେ ବଣ୍ଟି ଜୈନ ଯୋଗଦେଇ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରିଥିଲେ। ଏନଏସି ପକ୍ଷରୁ ତାଙ୍କୁ ନିମନ୍ତ୍ରଣ କରାଯାଇ କାର୍ଯ୍ୟକ୍ରମରେ ସାମିଲ କରାଯାଇଥିବାରୁ ଏହାକୁ ନେଇ ସମର୍ଥକଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି। ଏହି କାର୍ଯ୍ୟକ୍ରମରେ ଏନଏସି ଅଧ୍ୟକ୍ଷ ନୃପରାଜ ଯାଦବଙ୍କ ମଧ୍ୟ ସହଯୋଗ ରହିଥିଲା।

ଏନେଇ ବଣ୍ଟି ଜୈନ କହିଛନ୍ତି ଯେ, କେସିଙ୍ଗା ଏନଏସିର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ସାଂସଦଙ୍କ ପାଣ୍ଠିରୁ ଆର୍ଥିକ ସହାୟତା ଆଣିବା ସହ ସହରର ବିକାଶମୂଳକ କାର୍ଯ୍ୟରେ ଏହାକୁ ବିନିଯୋଗ କରିବା ଦିଗରେ ସେ ଉଦ୍ୟମ କରିବେ। ତାଙ୍କର ଏହି ନୂତନ ଦାୟିତ୍ୱକୁ ନେଇ ସ୍ଥାନୀୟ ଭାଜପା କର୍ମୀ ଓ ସମର୍ଥକଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି। ଏହାଦ୍ୱାରା କେସିଙ୍ଗା ସହରର ବିକାଶ କାର୍ଯ୍ୟକୁ ଅଧିକ ଗତି ମିଳିବ ବୋଲି ଆଶା ପ୍ରକାଶ ପାଇଛି।

 

Dharitri – Odisha’s No.1 Odia Daily

 

Share