ଟଙ୍କା ପାଇଁ ମଝି ରାସ୍ତାରେ ଫୁଟିଲା ଗୁଳି: ଦୁର୍ବୃତ୍ତ ଝାମ୍ପିନେଲେ ବ୍ୟାଗ; ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିଲେ ବ୍ୟବସାୟୀ

କଟକ ସଦର,୯।୯(ଡି.ଏନ୍‌.ଏ.): ଟଙ୍କା ପାଇଁ ମଝି ରାସ୍ତାରେ ଫୁଟିଲା ଗୁଳି। ଏଭଳି ଘଟଣା ଘଟିଛି କଟକ ଜିଲା କନ୍ଦରପୁର ଥାନା ଅଥଙ୍ଗାରେ ନିକଟରେ। ଏଥିରେ ଜଗତସିଂହପୁର ଜିଲା କେନ୍ଦାଳ ଗ୍ରାମର କ୍ଷୀରୋଦ ସାହୁ ନାମକ ଜଣେ ବ୍ୟବସାୟୀ ଗୁରୁତର ହୋଇଛନ୍ତି। କ୍ଷୀରୋଦଙ୍କ ବାମ ଜଙ୍ଘ ଓ କାନରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।
ସୂଚନାଯୋଗ୍ୟ, କ୍ଷୀରୋଦ କଟକ ମାଲଗୋଦାମକୁ ମାଲ ନେବାକୁ ଡ୍ରାଇଭରଙ୍କ ସହ ଆସୁଥିବା ବେଳେ ଦୁଇ ଦୁର୍ବୃତ୍ତ ଗୋଟିଏ ବାଇକ୍‌ରେ ଆସି ୨ ରାଉଣ୍ଡ ଗୁଳି ଚଳାଇଥିଲେ। ପରେ ତାଙ୍କଠାରୁ ଟଙ୍କା ବ୍ୟାଗ୍‌ ଝାମ୍ପି ନେଇଥିଲେ। ତେବେ ସେଥିରେ କେତେ ଟଙ୍କା ଥିଲା ତାହା ସ୍ପଷ୍ଟ ହୋଇ ନାହିଁ। ଏହା ସହ ଟଙ୍କା ପାଇଁ ଏଭଳି କାଣ୍ଡ ହୋଇଛି କି ଏହା ପଛରେ ପୂର୍ବ ଶତ୍ରୁତା ରହିଛି ତାହା ଜଣାପଡ଼ି ନାହିଁ।