କେନ୍ଦ୍ରାପଡା, ୩୧ା୫ (ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ଟାଉନ ଥାନା ଅନ୍ତର୍ଗତ ସହରସ୍ଥ ରଣପଡା ନିକଟ ଟାଉନ ହାଇସ୍କୁଲ ପଡ଼ିଆ ପାଖରେ ଶନିବାର ସନ୍ଧ୍ୟାରେ ଗୁଳି ଫୁଟିଛି। ଏଥିରେ କାହାରି କ୍ଷତି ହୋଇନାହିଁ। ଜଣେ ବ୍ୟକ୍ତିଙ୍କୁ ଗୁଳି ଚଳାଇବା ସନ୍ଦେହରେ ପୋଲିସ ଉଠାଇ ନେଇଛି। ସହରର ଜଣେ ଗ୍ୟାଙ୍ଗଷ୍ଟରଙ୍କ ପୁଅ ଗୁଳିକାଣ୍ଡରେ ସମ୍ପୃକ୍ତ ଥିବା ଆଲୋଚନା ହେଉଛି। ଘଟଣାସ୍ଥଳରେ ଟାଉନ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏକ ଠିକା କାମକୁ ନେଇ ସନ୍ଧ୍ୟାରେ ଜଣେ କାଉନ୍ସିଲର ଓ ତାଙ୍କ ଶଳାଙ୍କୁ ସମ୍ପୃୃକ୍ତ ବ୍ୟକ୍ତି ଗୁଳିମାଡ଼ ମାରିଥିବା ସୂଚନା ମିଳିଛି। ପରେ କାଉନ୍ସିଲର ଶଳାଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହା କାହାରି ଦେହରେ ବାଜି ନ ଥିଲା।
ଏ ସମ୍ପର୍କରେ ଥାନା ଅଧିକାରୀ ଶୁଭେନ୍ଦୁ ସାହୁ କହିଛନ୍ତି, ଖବର ମିଳିବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ ହୋଇଛି। ଅଦ୍ୟାବଧି କୌଣସି ଅଭିଯୋଗ ହୋଇନାହିଁ। ଅପରପକ୍ଷରେ ସମ୍ପୃକ୍ତ କାଉନ୍ସିଲର କହିଛନ୍ତି, ଥାନାରେ ଅଭିଯୋଗ କରିବା ପରେ ଗଣମାଧ୍ୟମକୁ ସୂଚନା ଦିଆଯିବ।