ମହାକାଳପଡ଼ା, ୧୭/୧୧ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍ ଅନ୍ତର୍ଗତ ବହୁଚର୍ଚ୍ଚିତ ତିକ୍ଷୀରି ପଞ୍ଚାୟତର ଟିଖିରୀ ମୌଜାରେ ସରକାରୀ ଜମି ଜବରଦଖଲ କରି ନିର୍ମାଣ ହୋଇଥିବା ୧୨୪ଟି ଗୃହ ଉଚ୍ଛେଦ ପ୍ରକ୍ରିୟା ପୁଣି ଆରମ୍ଭ ହୋଇଛି। ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକ୍ରମେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମଙ୍ଗଳବାର ପୂର୍ବାହ୍ନରୁ ପ୍ରଶାସନ ପକ୍ଷରୁ ଏହି ଅଭିଯାନ ଜୋରଦାର କରାଯାଇଛି। ଉଚ୍ଛେଦ କାର୍ଯ୍ୟ ପାଇଁ ଦୁଇ ଜଣ ମାଜିଷ୍ଟ୍ରେଟ୍ଙ୍କ ସମେତ ଦୁଇ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି।
ସୂଚନା ଅନୁଯାୟୀ, ତିକ୍ଷୀରି ମୌଜାରେ ସରକାରୀ ଜମି ଜବରଦଖଲ କରି ୧୨୪ଟି ଗୃହ ନିର୍ମାଣ କରାଯାଇଥିବା ଅଭିଯୋଗରେ ଦେବେନ୍ଦ୍ର ନାଥ ବେହେରା ଓ ଅନ୍ୟମାନେ ଉଚ୍ଚ ନ୍ୟାୟାଳୟରେ ଜନସ୍ୱାର୍ଥ ମାମଲା ନମ୍ବର ୩୨୬୨/୨୦୨୫ ରୁଜୁ କରିଥିଲେ। ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକ୍ରମେ ଚଳିତ ବର୍ଷ ମେ’ ୨୧ ତାରିଖରେ ପ୍ରଥମେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ତେବେ କେତେକ ଲୋକଙ୍କ ବିରୋଧ ଯୋଗୁଁ ପ୍ରଶାସନ ପକ୍ଷରୁ ଏହାକୁ ସାମୟିକ ଭାବେ ବନ୍ଦ ରଖାଯାଇଥିଲା।
ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ବେଆଇନ ଜବରଦଖଲକାରୀଙ୍କୁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୋଟିସ୍ ଜରିଆରେ ଅବଗତ କରାଯାଇଥିଲା। ଏହାପରେ ମହାକାଳପଡ଼ାର ଅତିରିକ୍ତ ତହସିଲଦାର ତଥା ମାଜିଷ୍ଟ୍ରେଟ୍ ପ୍ରଭଞ୍ଜନ ମିଶ୍ର ଓ ସିଦ୍ଧାର୍ଥ ରାୟଙ୍କ ଉପସ୍ଥିତିରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଥିଲା। ମାର୍ଶାଘାଇ ଥାନା ଅଧିକାରୀ ତପନ ନାୟକଙ୍କ ନେତୃତ୍ୱରେ ଦୁଇ ପ୍ଲାଟୁନ୍ ପୁଲିସ ଫୋର୍ସ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ହୋଇଛନ୍ତି।
ମଙ୍ଗଳବାର ପୂର୍ବାହ୍ନରେ ଜେସିବି ମେସିନ୍ ସହାୟତାରେ ତିକ୍ଷୀରି ମୌଜାସ୍ଥିତ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖ ବନ୍ତ ପଡ଼ିଆର ଚାରିପାଖରେ ଥିବା ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ ଆରମ୍ଭ କରାଯାଇଥିଲା। ଏହି କ୍ରମରେ କେତେକ ଜବରଦଖଲକାରୀଙ୍କ ଘର ସମ୍ମୁଖରେ ଥିବା ସରକାରୀ ଜମିରୁ ଗଛ କାଟିବା ସହ କେତେକ ନିର୍ମାଣ ଭଙ୍ଗାଯାଇଛି। ଏହାବ୍ୟତୀତ କେତେକ ଘର ମାଲିକ ନିଜ ଆଡ଼ୁ ଜବରଦଖଲ ଜମିର କିଛି ଅଂଶରେ ଥିବା ନିର୍ମାଣକୁ ଭାଙ୍ଗୁଥିବା ଦେଖିବାକୁ ମିଳିଛି।
ଉଚ୍ଛେଦ ପ୍ରକ୍ରିୟା ପର୍ଯ୍ୟାୟକ୍ରମେ ଜାରି ରହିବ ବୋଲି ଦାୟିତ୍ୱରେ ଥିବା ଦୁଇ ମାଜିଷ୍ଟ୍ରେଟ୍ ସୂଚନା ଦେଇଛନ୍ତି। ସନ୍ଧ୍ୟା ୫ଟା ପରେ ସେହି ଦିନର ଉଚ୍ଛେଦ କାର୍ଯ୍ୟ ବନ୍ଦ କରାଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ଆଗାମୀ ଦିନରେ ମଧ୍ୟ ଉଚ୍ଛେଦ ଅଭିଯାନ ଜାରି ରହିବ।