ଆଳି,୧୫ା୧୧(ବନମାଳୀ ସେନାପତି): କେନ୍ଦ୍ର ଓ ରାଜ୍ୟ ସରକାର ଶିକ୍ଷାର ଗୁଣବତ୍ତା ବୃଦ୍ଧି ନିମନ୍ତେ ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି। କିନ୍ତୁ ଉଦ୍ଦିଷ୍ଟ ଯୋଜନାଗୁଡ଼ିକ ବହୁ ବିଦ୍ୟାଳୟରେ ଉପଲବ୍ଧ ହୋଇପାରୁନି। କେଉଁଠି ଶ୍ରେଣୀଗୃହର ଅଭାବ ରହିଛି ତ ଆଉ କେଉଁଠି ଶିକ୍ଷକ। ଅନେକ ସ୍ଥାନରେ ଛାତ୍ରୀଛାତ୍ରଙ୍କ ପାଇଁ ଉଦ୍ଦିଷ୍ଟ ମୌଳିକ ସୁବିଧା ଉପଲବ୍ଧ ମଧ୍ୟ ହୋଇପାରୁନି। କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ ମହୁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଏହାର ଏକ ଉଦାହରଣଭାବେ ନିଆଯାଇପାରେ।
୧୯୬୨ରେ ସ୍ଥାପିତ ମହୁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଯାଏ ରହିଛି। ତିନୋଟି ଶ୍ରେଣୀରେ ୧୧୮ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ଷଷ୍ଠ ଶ୍ରେଣୀରେ ୩୦, ସପ୍ତମ ଶ୍ରେଣୀରେ ୪୩ ଓ ଅଷ୍ଟମ ଶ୍ରେଣୀରେ ୪୫ ଛାତ୍ରୀଛାତ୍ର ରହିଛନ୍ତି। ଏଠାରେ ୩ଜଣ ଶିକ୍ଷକ ଅଛନ୍ତି। ୪ମାସ ହେବ ପ୍ରଧାନଶିକ୍ଷକ ପଦବୀ ଖାଲି ପଡ଼ିଛି। ୩ ଶିକ୍ଷକଙ୍କ ମଧ୍ୟରୁ ଜଣେ ପ୍ରଧାନଶିକ୍ଷକ ଦାୟିତ୍ୱ ତୁଲାଇବା ସହ ପିଲାଙ୍କୁ ପାଠ ପଢ଼ାଉଛନ୍ତି। ଏଥିପାଇଁ ଶିକ୍ଷାଦାନ ପ୍ରକ୍ରିୟାରେ ବାଧା ସୃଷ୍ଟି ହେଉଛି। ସ୍କୁଲରେ ଶ୍ରେଣୀଗୃହ ଅଭାବ ମୁଖ୍ୟ ସମସ୍ୟା ହୋଇ ରହିଛି। ଅଷ୍ଟମ ଶ୍ରେଣୀର ଛାତ୍ରୀଛାତ୍ରମାନେ ଏକ ପକ୍କାଘରେ ବସି ପଢ଼ୁଥିବାବେଳେ ଷଷ୍ଠ ଓ ସପ୍ତମ ଶ୍ରେଣୀର ପିଲାମାନେ ଭଙ୍ଗାଦଦରା ଆଜବେଷ୍ଟସ ଘରେ ପଢୁଛନ୍ତି। ଦୀର୍ଘଦିନ ତଳେ ନିର୍ମିତ ହୋଇଥିବା ଉକ୍ତ ଗୃହ ଏବେ ଜରାଜୀର୍ଣ୍ଣ ହୋଇପଡ଼ିଛି। ଆଜବେଷ୍ଟସ ଅନେକ ସ୍ଥାନରେ ଫାଟି ଯାଇଛି। ବର୍ଷା ସମୟରେ ଶ୍ରେଣୀଗୃହରେ ପାଣି ପଶି ଯାଉଛି। ଶ୍ରେଣୀଗୃହ କାନ୍ଥ ଫାଟି ବର୍ଷା ପାଣି ଝରୁଥିବାରୁ ସ୍ମାର୍ଟବୋର୍ଡରେ କରେଣ୍ଟ ଚାର୍ଜ ହୋଇଯାଉଛି। ଶ୍ରେଣୀଗୃହ କାନ୍ଥ ଫାଟି ଯାଇଥିବାରୁ ସେଥିରୁ ବିଷଧର ସାପ ବାହାରୁଛନ୍ତି। ହେଲେ ପିଲାମାନେ ବାଧ୍ୟହୋଇ ଭୟଭୀତ ଅବସ୍ଥାରେ ସେହି କୋଠରିରେ ପାଠ ପଢୁଛନ୍ତି।
ବିଦ୍ୟାଳୟ ପରିସରରେ ଏକ ନଳକୂଅ ରହିଛି। ମାତ୍ର ଜଳସ୍ତର ହ୍ରାସ ପାଇଥିବାରୁ ଠିକ୍ ଭାବେ ପାଣି ବାହାରୁନି। ଫଳରେ ପିଲାମାନେ ପାଣି ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗ୍ରୀଷ୍ମଋତୁରେ ପିଲାମାନେ ଜଳକଷ୍ଟ ଭୋଗୁଛନ୍ତି। ପିଲାଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ଏକ ଆକ୍ୱାଗାର୍ଡ ଲଗାଇବା ପ୍ରସ୍ତାବ ଥିଲା। ଏଥିପାଇଁ ଷ୍ଟାଣ୍ଡ ମଧ୍ୟ ଲାଗିଥିଲା। ହେଲେ ଏଯାବତ୍ ଆକ୍ୱାଗାର୍ଡ ଲଗାଯାଇନାହିଁ। ଏସବୁ ସହ ଜଳ ନିଷ୍କାସନ ବାଟ ନ ଥିବାରୁ ବର୍ଷା ହେଲେ ବିଦ୍ୟାଳୟ ପରିସରରେ ପାଣି ଜମି ରହୁଛି। ବିଶେଷ କରି ବର୍ଷାଦିନେ ପାଣି ଜମି ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି।
ଗତ ୫ବର୍ଷ ମଧ୍ୟରେ ସ୍କୁଲକୁ ମାତ୍ର ସାଢେ ୩ଲକ୍ଷ ଟଙ୍କାର ଅନୁଦାନ ଆସିଥିଲା। ଦେଢ଼ଲକ୍ଷ ଟଙ୍କା ବ୍ୟୟରେ ଶୌଚାଳୟ ନିର୍ମାଣ ହୋଇଛି। ୨ଲକ୍ଷ ଟଙ୍କା ବ୍ୟୟରେ ଦୁଇପାଖ ପାଚେରି ନିର୍ମାଣ ହୋଇଥିବାବେଳେ ଅନ୍ୟ ଦୁଇପାର୍ଶ୍ୱ ମୁକୁଳା ପଡ଼ିଛି। ମଧ୍ୟାହ୍ନଭୋଜନ ନିମନ୍ତେ ରୋଷେଇ ଘର ରହିଛି। ହେଲେ ଖାଇବା ନିମନ୍ତେ ପ୍ରକୋଷ୍ଠ ନ ଥିବାରୁ ଛାତ୍ରୀଛାତ୍ରମାନେ ବାରଣ୍ଡାରେ ମଧ୍ୟାହ୍ନଭୋଜନ ଖାଉଛନ୍ତି। ପିଲାମାନଙ୍କ ଶାରୀରିକ ବିକାଶ ନିମନ୍ତେ ଖେଳକୁଦର ଆବଶ୍ୟକତା ଥିବାବେଳେ ଖେଳିବାକୁ ଖେଳ ପଡିଆଟିଏ ନାହିଁ।
ଏ ନେଇ ପ୍ରଧାନଶିକ୍ଷକ ଦାୟିତ୍ୱରେ ଥିବା ରତିକାନ୍ତ ପାତ୍ରଙ୍କୁ ପଚାରିବାରୁ ବିଦ୍ୟାଳୟରେ ଦୀର୍ଘଦିନ ହେବ ଶ୍ରେଣୀଗୃହ ସମସ୍ୟା ଲାଗି ରହିଛି। ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାମାନେ ଯେଉଁ ଗୃହରେ ପାଠ ପଢୁଛନ୍ତି, ତାହା ପଢିବା ଉପଯୁକ୍ତ ନୁହେଁ। ବିକଳ୍ପ ବ୍ୟବସ୍ଥା ନ ଥିବାରୁ ସେଠାରେ ପଢ଼ାଇବାକୁ ବାଧ୍ୟ ହେଉଛୁ। ଶ୍ରେଣୀଗୃହ ସମସ୍ୟା ଦୂର କରିବା ସହ ପ୍ରଧାନଶିକ୍ଷକ ପଦବୀ ପୂରଣ, ଖେଳଶିକ୍ଷକ ଓ ବିଜ୍ଞାନାଗାରର ଆବଶ୍ୟକତା ରହିଥିବା ସେ କହିଛନ୍ତି।
ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମନୋରଞ୍ଜନ ସାହୁ କହିଛନ୍ତି, ଆଜବେଷ୍ଟସ ଫାଟି ଗଲାଣି। ସାମାନ୍ୟ ବର୍ଷାହେଲେ ଶ୍ରେଣୀଗୃହରେ ପାଣି ଗଳୁଛି। ଅଧିକ ବର୍ଷା ହେଲେ ପାଠପଢାରେ ବାଧା ଉପୁଜୁଛି। ଫଟା କାନ୍ଥରୁ ବହୁ ସମୟରେ ଚିତି ସାପ ବାହାରୁଛି। ଏହି ସମସ୍ୟା ଦୂର କରିବା ନିମନ୍ତେ ବିଡିଓଙ୍କୁ ଲିଖିତଭାବେ ଅବଗତ କରାଯାଇଛି ବୋଲି ସେ କହିଛନ୍ତି। ବିଡିଓ ଅବିନାଶ ବିଶ୍ୱଜିତ ସେଠୀ କହିଛନ୍ତି, ବିଦ୍ୟାଳୟ ପରିସରରେ ଏକ ନୂତନ ଶ୍ରେଣୀଗୃହ ନିର୍ମାଣ ନିମନ୍ତେ ଟେଣ୍ଡର ପ୍ରକ୍ରିୟା ସରିଛି। ଖୁବ୍ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ। ଏ ବିଷୟରେ ବ୍ଲକ ଶିକ୍ଷା ଅଧିକାରୀ ରତିକାନ୍ତ ସେନାପତିଙ୍କୁ ପଚାରିବାରୁ ବିଦ୍ୟାଳୟ ସମସ୍ୟା ସମ୍ପର୍କରେ ଅବଗତ ଅଛି। ପ୍ରଶାସନ ପକ୍ଷରୁ ପକ୍କା ଶ୍ରେଣୀଗୃହ ନିର୍ମାଣ ନିମନ୍ତେ ଯୋଜନା ହୋଇଛି। ପ୍ରଧାନଶିକ୍ଷକ ପଦବୀ ପୂରଣ ଦିଗରେ ପଦକ୍ଷେପ ନିଆଯାଉଛି ବୋଲି ସେ କହିଛନ୍ତି।