‘ସମ୍ବଳ ଭିତରେ ପ୍ରକଳ୍ପ ପ୍ରସ୍ତୁତ କର’

ଭୁବନେଶ୍ୱର, ୧୧ା୨(ବ୍ୟୁରୋ): ଜିଲାରେ ଜୀବିକା ନିର୍ବାହ ପନ୍ଥା ଏବଂ ଭିତ୍ତିଭୂମି ବିକାଶକୁ ପରବର୍ତ୍ତୀ ପର୍ଯ୍ୟାୟକୁ ନେବା ଲାଗି ସମ୍ବଳ ଓ ସମ୍ଭାବନାଭିତ୍ତିକ ଅଭିନବ ପ୍ରକଳ୍ପଗୁଡ଼ିକ ପ୍ରସ୍ତୁତ କରିବା ଲାଗି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସମସ୍ତ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଲୋକସେବା ଭବନରୁ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ରାଜ୍ୟର ଉତ୍ତର, ଦକ୍ଷିଣ ଓ କେନ୍ଦ୍ରୀୟ ରାଜସ୍ବ ଡିଭିଜନ ଜିଲାପାଳଙ୍କ ସହ ୩ ପର୍ଯ୍ୟାୟରେ ସିଧାସଳଖ ଆଲୋଚନାକରି ମହାପାତ୍ର କହିଛନ୍ତି, ବର୍ତ୍ତମାନ ରାଜ୍ୟରେ ମୌଳିକ ଆବଶ୍ୟକତାଭିତ୍ତିକ ଯୋଜନାଗୁଡ଼ିକ ବ୍ୟାପକ ଭାବେ ସମ୍ପ୍ରସାରିତ ହୋଇଛି। ଖାଦ୍ୟ ସୁରକ୍ଷା, ଗୃହ ନିର୍ମାଣ, ସଡ଼କ ଯୋଗାଯୋଗ, ବିଜୁଳି ସଂଯୋଗ, ପାନୀୟ ଜଳ, ଶିକ୍ଷା ଆଦି କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ଘଟିଛି। ସମ୍ପୃକ୍ତ ଜିଲାର କୃଷି ଜଳବାୟୁ, ପ୍ରାକୃତିକ ସମ୍ପଦ, ମାନବ ସମ୍ବଳ ଏବଂ ନୂତନ ସୁଯୋଗକୁ ଭିତ୍ତିକରି ଜୀବିକା ନିର୍ବାହ ଏବଂ ଆର୍ଥିକ କାର୍ଯ୍ୟକଳାପ ବୃଦ୍ଧି ଲାଗି ପ୍ରକଳ୍ପ ପ୍ରସ୍ତୁତ କରିବାକୁ ପଡ଼ିବ। ସବୁ ଗ୍ରାମକୁ ସବୁଦିନିଆ ରାସ୍ତା, ଏକାଧିକ ଫସଲ ପାଇଁ ଜଳସେଚନ, ନିରନ୍ତର ଜୀବିକା ନିର୍ବାହ ପନ୍ଥା, ସ୍ବାସ୍ଥ୍ୟସେବା ଏବଂ ଆର୍ଥିକ କାର୍ଯ୍ୟକଳାପ ଅଭିବୃଦ୍ଧି ଆଦି କ୍ଷେତ୍ରରେ ଥିବା ଗୁରୁତ୍ୱପୂର୍ଣ୍ଣ ଶୂନ୍ୟସ୍ଥାନଗୁଡ଼ିକୁ ଚିହ୍ନଟ କରି ସେସବୁର ପରିପୂରଣ କରାଯିବା ଏକାନ୍ତ ଆବଶ୍ୟକ। ଏହି ପ୍ରକାର ପ୍ରକଳ୍ପକୁ ଅଗ୍ରାଧିକାର ଭିତ୍ତିରେ ଆରମ୍ଭ କରିବା ପାଇଁ ମୁଖ୍ୟ ଶାସନ ସଚିବ ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲାଗୁଡ଼ିକରେ ଚାଲିଥିବା ଭିତ୍ତିଭୂମି ଉନ୍ନୟନ ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ବୟନ ଉପରେ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା ଗୁରୁତ୍ୱାରୋପ କରିଛନ୍ତି। ଜଙ୍ଗଲ ଓ ପରିବେଶ ଅନୁମତି, ବିଭିନ୍ନ ପ୍ରମାଣପତ୍ର ପ୍ରଦାନ, ଜମି ଅଧିଗ୍ରହଣ ଲାଗି ଆଗୁଆ ପଦକ୍ଷେପ ନେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜକୁମାର ଶର୍ମା କହିଲେ, କୃଷି, ପଶୁପାଳନ, ମତ୍ସ୍ୟଚାଷ ଗ୍ରାମାଞ୍ଚଳରେ ଜୀବିକା ନିର୍ବାହର ମୁଖ୍ୟ ଆଧାର। ଏହି କ୍ଷେତ୍ରରେ ଅଭିନବ ପ୍ରକଳ୍ପ ଏବଂ ପୁଞ୍ଜିନିବେଶର ଲାଭ ସିଧାସଳଖ ଚାଷୀ, ଶ୍ରମିକ ଏବଂ ଜନସାଧାରଣଙ୍କୁ ମିଳିଥାଏ।