ବୁଗୁଡା,ତା ୧୭।୯(କାଳିଚରଣ ଦାଶ): ସ୍ଥାନୀୟ ବନ ବିଭାଗ କାର୍ଯ୍ୟାଳୟରେ ନୂତନ ବନାଞ୍ଚଳ ଅଧିକାରୀ ଭାବେ ମାନସ କୁମାର ସାହୁ ଯୋଗ ଦେଇଛନ୍ତି। ପୂର୍ବରୁ ସେ ବ୍ରହ୍ମପୁର ବନାଞ୍ଚଳ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିଲେ। ଅତିରିକ୍ତ ଦାୟିତ୍ୱରେ ଥିବା ରେଞ୍ଜର ପ୍ରମୋଦ କୁମାର ପଣ୍ଡାଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିବା ପରେ କାର୍ଯାଳୟର କର୍ମଚାରୀଗଣ ତାଙ୍କୁ ସ୍ବାଗତ କରିବା ସହ ଶୁଭେଚ୍ଛା ଜଣାଇଥିଲେ। ତେବେ ସେ ଦାୟିତ୍ୱ ଗ୍ରହଣ କରିବାର ପ୍ରଥମ ଦିନରେ ହିଁ ତାଙ୍କ ତତ୍ତ୍ବାବଧାନରେ ବୁଗୁଡା ବନାଞ୍ଚଳର ୮ଟି ସ୍ଥାନରେ ୮୨୩୮ଟି ବୃକ୍ଷ ରୋପଣ ସାଙ୍ଗକୁ ବିଭିନ୍ନ ସ୍ଥାନରେ ଜନସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ସମସ୍ତ କାର୍ଯକ୍ରମକୁ ବନପାଳ ସୁକାନ୍ତ କୁମାର ପଟ୍ଟନାୟକ, ଅର୍ଜୁନ ଜାନି, କ୍ଷୀରୋଦ କୁମାର ଗୌଡ, ସୁନିତା ପାତ୍ର ପ୍ରମୁଖ ପରିଚାଳନା କରିଥିବା ବେଳେ ଅନ୍ୟ କର୍ମଚାରୀମାନେ ଏବଂ ବନ ସୁରକ୍ଷାର କର୍ମକର୍ତ୍ତାମାନେ ଏଥିରେ ସହଯୋଗ କରିଥିଲେ। ତେବେ ଜଙ୍ଗଲ ଓ ବନ୍ୟପ୍ରାଣୀ ସୁରକ୍ଷା ଦିଗରେ ଯଥେଷ୍ଟ ଧ୍ୟାନ ଦେବେ ବୋଲି ମତବ୍ୟକ୍ତ କରିଥିଲେ।


