ଛାତ୍ର ସଂସଦ ନିର୍ବାଚନ ପାଇଁ ବାଜିଲା ବିଗୁଲ: ଚଳଚଞ୍ଚଳ ଗଞ୍ଜାମ ମହାବିଦ୍ୟାଳୟ, ୮ ବର୍ଷ ପରେ ଫେରିବ କ୍ୟାମ୍ପସ ରାଜନୀତି

ଗଞ୍ଜାମ, ୬।୧୦ (ବିଦ୍ୟାଧର ସାହୁ): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ରାଜ୍ୟରେ ପୁଣି ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଥିବାରୁ ଗଞ୍ଜାମ ମହାବିଦ୍ୟାଳୟ ପରିସର ଚଳଚଞ୍ଚଳ ହୋଇଉଠିଛି। ନିର୍ବାଚନ ଘୋଷଣା ପରେ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଉତ୍ସାହ ବଢ଼ିବା ସହ ବିଭିନ୍ନ ଛାତ୍ର ସଂଗଠନ ଓ ଛାତ୍ରନେତାମାନେ ମଧ୍ୟ ସକ୍ରିୟ ହୋଇପଡ଼ିଛନ୍ତି।

ମଙ୍ଗଳବାର ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ମା’ ବୁଢ଼ୀ ଠାକୁରାଣୀ ମନ୍ଦିର ପ୍ରାଙ୍ଗଣରେ ଏକ ପ୍ରାକ୍‌ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି। ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନରେ କଡ଼ା ଟକ୍କର ହେବ ବୋଲି କ୍ୟାମ୍ପସରେ ଚର୍ଚ୍ଚା ହେଉଛି।

୨୦୧୭ ପରଠାରୁ ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହିଥିଲା। ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟାଇ ଚଳିତ ବର୍ଷ ପୁଣି ନିର୍ବାଚନ ଆୟୋଜନ ହେବା ନେଇ ଘୋଷଣା ହୋଇଛି। ପରେ କଲେଜ ପରିସରରେ ଛାତ୍ରୀଛାତ୍ରମାନେ ନିଜ ପସନ୍ଦର ପ୍ରାର୍ଥୀ ଚୟନ ନେଇ ଆଲୋଚନା ଆରମ୍ଭ କରିଛନ୍ତି।

ସୂଚନା ଅନୁଯାୟୀ, ଆସନ୍ତା ୭ ତାରିଖରେ ନିର୍ବାଚନ ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇବ। ୯ ତାରିଖରେ ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିବେ। ୧୦ ତାରିଖରେ ନାମାଙ୍କନ ପ୍ରତ୍ୟାହାର ପରେ ପ୍ରଚାର ଓ ଅନ୍ୟାନ୍ୟ ନିର୍ବାଚନୀ ପ୍ରକ୍ରିୟା ଆରମ୍ଭ ହେବ। ୧୫ ତାରିଖରେ ଭୋଟଗ୍ରହଣ ଓ ଭୋଟଗଣତି ହେବ। ୧୬ ତାରିଖରେ ନବନିର୍ବାଚିତ ଛାତ୍ର ପ୍ରତିନିଧିମାନଙ୍କ ଶପଥଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ।

ଏନେଇ ଗଞ୍ଜାମ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ସ୍ମରଣୀକା ହୋତା କହିଛନ୍ତି ଯେ, ନିର୍ବାଚନ ପୂର୍ବରୁ କଲେଜ କ୍ୟାମ୍ପସକୁ ଅଣଛାତ୍ରଙ୍କ ପ୍ରବେଶ ଉପରେ କଡ଼ାକଡ଼ି କରାଯିବ।

ସେହିପରି ଗଞ୍ଜାମ ଥାନା ଆଇଆଇସି ସୁମିତ୍ରା ପାତ୍ର କହିଛନ୍ତି ଯେ, କୌଣସି ପରିସ୍ଥିତିରେ ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ। କେହି ବିଶୃଙ୍ଖଳା ସୃଷ୍ଟି କଲେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଇଆଇସି ପାତ୍ର ସୂଚନା ଦେଇଛନ୍ତି।

Dharitri – Odisha’s No.1 Odia Daily

Share