କୋଭିଡ୍‌ କଟକଣାରେ ଚାଲିବ ବଜେଟ ଅଧିବେଶନ

ଭୁବନେଶ୍ୱର,୧୬ା୩(ବ୍ୟୁରୋ): ରାଜ୍ୟରେ କରୋନା ପ୍ରକୋପ ହ୍ରାସ ପାଇଛି। ତେବେ ଆସନ୍ତା ୨୫ ତାରିଖରୁ ଆରମ୍ଭ ହେବାକୁ ଥିବା ବିଧାନସଭାର ବଜେଟ ଅଧିବେଶନ ସମ୍ପୂର୍ଣ୍ଣ କୋଭିଡ୍‌ କଟକଣାରେ ଚାଲିବ। ବିଧାନସଭା ସଦସ୍ୟ, ବିଧାନସଭା କର୍ମଚାରୀ, ସୁରକ୍ଷା କର୍ମୀ, ଗଣମାଧ୍ୟମ ପ୍ରତିନିଧିମାନଙ୍କର କୋଭିଡ୍‌ ଟେଷ୍ଟ କରାଯିବ। ଅର୍ଥାତ୍‌ ପୂର୍ବରୁ ଯେଉଁ ବ୍ୟବସ୍ଥା ରହିଥିଲା, ଯେଉଁ ନିୟମ ଲାଗୁ ହେଉଥିଲା, ଏବେ ବି ସେହି ବ୍ୟବସ୍ଥା ରହିବ। ଅଧିବେଶନ ପୂର୍ବରୁ ସମସ୍ତଙ୍କର କୋଭିଡ୍‌ ଟେଷ୍ଟ ହେବ। ମଙ୍ଗଳବାର ବିଧାନସଭା ପରିସରରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ଏହି ନିଷ୍ପତ୍ତି ହୋଇଥିବା ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଏ ନେଇ ସୂଚନା ଦେଇଛନ୍ତି।
କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବୈଠକରେ ଭିଡିଓ କନ୍‌ଫରେନ୍ସରେ ଯୋଗ ଦେଇଥିଲେ। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଶାସକ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପ୍ରମୁଖ ବୈଠକରେ ସାମିଲ ହୋଇଥିଲେ। ଆସନ୍ତା ୨୫ ତାରିଖରୁ ଆରମ୍ଭ ହେବାକୁ ଥିବା ବଜେଟ ଅଧିବେଶନକୁ ସୁରୁଖୁରୁରେ ଚଳାଇବା ପାଇଁ ବାଚସ୍ପତି ସବୁ ଦଳର ସହଯୋଗ ଲୋଡ଼ିଛନ୍ତି।
ଆସନ୍ତା ଅଧିବେଶନ ୬ ଦିନ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ପ୍ରଥମ ଦିନ ରାଜ୍ୟପାଳ ଅଭିଭାଷଣ ରଖିବେ। ମାର୍ଚ୍ଚ ୩୦ ତାରିଖରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଲେଖା ଅନୁଦାନ ଆଗତ ହେବ। ଆଗକୁ ପୌର ନିର୍ବାଚନ ଥିବାରୁ ଏଥର ୪ ମାସିଆ ବଜେଟ ଆସିବ। ଏହାପରେ ଜୁନ୍‌, ଜୁଲାଇରେ ପୂର୍ଣ୍ଣାଙ୍ଗ ବଜେଟ ଆସିବ। ବଜେଟରେ ସ୍ବାସ୍ଥ୍ୟ, ଶିକ୍ଷା, ଭିତ୍ତିଭୂମି ଉପରେ ଗୁରୁତ୍ୱ ଦିଆଯିବ। ୩୦ ତାରିଖରେ ୨୦୨୨-୨୩ ଆର୍ଥିକବର୍ଷ ଲାଗି ବଜେଟ ଆଗତ ହେବ। ଏହି ଅଧିବେଶନ ସ୍ବଳ୍ପକାଳୀନ ହେବ। ଅଧିବେଶନର ପ୍ରଥମ ଦିବସରେ ରାଜ୍ୟପାଳ ଅଭିଭାଷଣ ଦେବେ ଓ ଧନ୍ୟବାଦ ପ୍ରସ୍ତାବ ଆଗତ ହେବ। ୨୬ରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଲୋଚନା ହେବ। ୨୭ ତାରିଖରେ ରବିବାର ପଡୁଥିବାରୁ ଗୃହକାର୍ଯ୍ୟ ବନ୍ଦ ରହିବ। ୨୮ରେ ରାଜ୍ୟପାଳଙ୍କ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ହେବ। ୨୯ରେ ସରକାରୀ କାର୍ଯ୍ୟ ଦିବସ ରଖାଯାଇଥିବା ବେଳେ ୩୦ରେ ଅର୍ଥମନ୍ତ୍ରୀ ବଜେଟ ଆଗତ କରିବେ। ସେହିଦିନ ଭୋଟ ଅନ୍‌ ଆକାଉଣ୍ଟ ବା ଲେଖାନୁଦାନ ପ୍ରସ୍ତାବ ଆଗତ ହେବ ଏବଂ ଏହା ଉପରେ ଆଲୋଚନା ଆରମ୍ଭ ହେବ। ୩୧ ତାରିଖରେ ବ୍ୟୟମଞ୍ଜୁରୀ ବିଲ୍‌ ପାରିତ ହେବ। ସେହିଦିନ ବଜେଟ ଅଧିବେଶନ ଶେଷ ହେବ।

Share