Budget 2025: ଅଳ୍ପଙ୍କୁ ଲାଭ, ଅନ୍ଧାରରେ ଅନେକେ

ଭୁବନେଶ୍ୱର,୨ା୨(ଜିତେନ୍ଦ୍ର କୁମାର ନାୟକ): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଶନିବାର ପାର୍ଲାମେଣ୍ଟରେ ୨୦୨୫-୨୬ ଆର୍ଥିକବର୍ଷ ପାଇଁ ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି। କ୍ରମାଗତ ୮ମ ଥର ସେ ବଜେଟ ଉପସ୍ଥାପନ କରିଥିବାବେଳେ ଏଥିରେ ଆୟକରଦାତା, ମଧ୍ୟବିତ୍ତଙ୍କୁ ଅଧିକ ଗୁରୁତ୍ୱ ଦିଆଯାଇଛି। ୧୨ ଲକ୍ଷ ଟଙ୍କା ବାର୍ଷିକ ଆୟ କରୁଥିବା ବ୍ୟକ୍ତିଙ୍କୁ ଟିକସ ଦେବାକୁ ପଡ଼ିବ ନାହିଁ। ଅର୍ଥାତ୍‌ ନୂତନ ଟିକସ ବ୍ୟବସ୍ଥାରେ ବେତନଭୋଗୀ ବର୍ଗ ବାର୍ଷିକ ୧୨.୭୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଶୂନ ଆୟକର ପ୍ରଦାନ କରିବେ। ଏହାଦ୍ୱାରା ୧ କୋଟି ଆୟକରଦାତା ଲାଭବାନ୍‌ ହେବେ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଦେଖିବାକୁ ଗଲେ ୧୪୦ କୋଟି ଜନସଂଖ୍ୟ ବିଶିଷ୍ଟ ଦେଶରେ ଏମାନଙ୍କ ସଂଖ୍ୟା ନଗଣ୍ୟ। ଅଳ୍ପଙ୍କୁ ଖୁସି କରିବାକୁ ଯାଇ ଅନେକଙ୍କୁ ଅନ୍ଧାରରେ ରଖାଯାଇଥିବା ଭଳି ବଜେଟର ସ୍ବରୂପ ଦେଖିଲେ ବୁଝାପଡ଼ିଯାଉଛି। କାରଣ ପରୋକ୍ଷ ଟିକସ (ସାମଗ୍ରୀ ଓ ସେବା ଟିକସ-ଜିଏସ୍‌ଟି) ଦେଶର ପ୍ରତ୍ୟେକ ବର୍ଗଙ୍କୁ ଦେବାକୁ ପଡ଼ୁଛି। ସେଥିରେ ସେଭଳି କୋହଳ ବ୍ୟବସ୍ଥା କରାଯାଇଥିବା ଲକ୍ଷ୍ୟ କରାଯାଇନାହିଁ। ଅତ୍ୟାବଶ୍ୟକ ସାମଗ୍ରୀ ଦର ଖୁବ୍‌ ଉଚ୍ଚାରେ ରହିଥିବାବେଳେ ତାହାକୁ ହ୍ରାସ କରିବା ଦିଗରେ କୌଣସି ସ୍ବତନ୍ତ୍ର ପଦକ୍ଷେପ ନିଆଯାଇ ନ ଥିବା ଦେଖିବାକୁ ମିଳିଛି। ବିହାର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖାଯାଇ ସେଠାକାର ଭୋଟରଙ୍କୁ ସନ୍ତୁଷ୍ଟ କରିବା ସକାଶେ ମାଖନା ବୋର୍ଡ, ଖାଦ୍ୟ ପ୍ରତିଷ୍ଠାନ, ବିମାନବନ୍ଦର ଓ କେନାଲ ପ୍ରକଳ୍ପକୁ ଅଗ୍ରାଧିକାର ଦିଆଯାଇଛି।

କୃଷି, ଏମ୍‌ଏସ୍‌ଏମ୍‌ଇ, ନିବେଶ ଓ ରପ୍ତାନି ‘ବିକଶିତ ଭାରତ’ ଯାତ୍ରାର ଇଞ୍ଜିନ ବୋଲି କୁହାଯାଇଛି। ହେଲେ ବଜେଟ୍‌ରେ ଶିକ୍ଷା, ସହରାଞ୍ଚଳ ବିକାଶ, ପାନୀୟ ଜଳ, ପରିବେଶ ଆଦି ଦିଗକୁ କରାଯାଇଥିବା ବ୍ୟୟ ସେଭଳି ଉତ୍ସାହପ୍ରଦ ଥିବା ଦେଖାଯାଉ ନାହିଁ। ମୋଟାମୋଟି କହିଲେ ବଜେଟକୁ ଏଭଳି ଭାବେ ପ୍ରସ୍ତୁତ କରାଯାଇଛି ଯେ, ତାହାକୁ ସମ୍ପୂର୍ଣ୍ଣ ସମାଲୋଚନା କରାଯାଇପାରୁ ନ ଥିବାବେଳେ ପ୍ରଶଂସା ପାଇବା ଲାଗି ଅଧିକ ପ୍ରତିଶତ ମାର୍କ ପାଇବାରୁ ଏହା ବଞ୍ଚିତ ହୋଇଛି। ଡଲାର ତୁଳନାରେ ଭାରତୀୟ ମୁଦ୍ରା ଦୁର୍ବଳ ହେବା ଓ ସାଧାରଣ ବ୍ୟକ୍ତିଙ୍କ ଆୟର ସିଂହଭାଗ ଖାଉଟି ସାମଗ୍ରୀର ଦରବୃଦ୍ଧି ଯୋଗୁ ବିନର୍ବ୍ୟୟ ହୋଇଯାଉଥିବାରୁ ବଜେଟରେ ସେଥିପ୍ରତି ବିଶେଷ ଦୃଷ୍ଟି ଦିଆଯାଇ ନ ଥିବାରୁ ଅଧିକାଂଶ ଲୋକ ସୁବିଧା ପାଇବାରୁ ବଞ୍ଚିତ ହେବେ ବୋଲି କୁହାଗଲାଣି।
ଶନିବାର ପୂର୍ବାହ୍ନ ୧୧ଟାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୫୦ ଲକ୍ଷ ୬୫ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରିବାକୁ ଗଲାବେଳେ ବିରୋଧୀ ହଟ୍ଟଗୋଳ କରିଥିଲେ। ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା ସେମାନଙ୍କୁ ନୀରବ ରହିବାକୁ ଯେତେ କହିଲେ ମଧ୍ୟ ସେହିଭଳି ସ୍ଥିତି କିଛି ସମୟ ଲାଗି ରହିଥିଲା। ଏହାସତ୍ତ୍ୱେ ବାଧ୍ୟହୋଇ ଅର୍ଥମନ୍ତ୍ରୀ ବଜେଟ ପାଠ କରିଥିଲେ। ନିର୍ମଳା ବିହାର ମଧୁବନୀ କାରୁକାର୍ଯ୍ୟପୂର୍ଣ୍ଣ ଏକ ହଳଦିଆ ମିଶା ଧଳା ହ୍ୟାଣ୍ଡଲୁମ୍‌ ସିଲ୍କ ଶାଢ଼ି ପିନ୍ଧିଥିଲେ। ବଜେଟ ଉପସ୍ଥାପନ ପ୍ରାରମ୍ଭରେ ସେ ତେଲୁଗୁ କବି ତଥା ନାଟ୍ୟକାର ଗୁରଜାଦା ଅପ୍ପା ରାଓଙ୍କ ପ୍ରସିଦ୍ଧ ଉକ୍ତିକୁ ଉଦ୍ଧୃତ କରି କହିଥିଲେ, ‘ଗୋଟିଏ ଦେଶ କେବଳ ଏହାର ମାଟି ନୁହେଁ; ଗୋଟିଏ ଦେଶ ତାହାର ନାଗରିକଙ୍କୁ ନେଇ ଆଧାରିତ।’ ଅର୍ଥମନ୍ତ୍ରୀ ସମସ୍ତ ଅଞ୍ଚଳର ସନ୍ତୁଳିତ ବିକାଶକୁ ଉତ୍ସାହିତ କରୁଥିବା ‘ସବ୍‌କା ବିକାଶ’ ଲକ୍ଷ୍ୟ ରଖି ଏହି ବାର୍ଷିକ ଆର୍ଥିକ ବିବରଣୀ ଉପସ୍ଥାପନ କରିଥିଲେ। ଏହି ଅବସରରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିଜନ୍‌ ଉପରେ ରେଖାଙ୍କିତ କରିଥିଲେ। ସେ କହିଥିଲେ, କେନ୍ଦ୍ର ସରକାର ଶୂନ ଦାରିଦ୍ର୍ୟ, ଶତପ୍ରତିଶତ ଉତ୍ତମ ମାନର ବିଦ୍ୟାଳୟ ଶିକ୍ଷା, ଉଚ୍ଚମାନର ଓ ସୁଲଭ ସ୍ବାସ୍ଥ୍ୟସେବା, ବ୍ୟାପକ ନିଯୁକ୍ତି, ଆର୍ଥିକ କାର୍ଯ୍ୟକଳାପରେ ୭୦ ପ୍ରତିଶତ ମହିଳାଙ୍କୁ ସାମିଲ କରିବା ଏବଂ କୃଷକମାନେ ଦେଶକୁ ‘ବିଶ୍ୱର ଖାଦ୍ୟ ପାତ୍ର’ରେ ପରିଣତ କରୁଥିବା ବିଷୟ ଉଲ୍ଲେଖ କରିଥିଲେ।

ଉତ୍ପାଦକତା ବୃଦ୍ଧି, ଫସଲ ବିବିଧତା ଗ୍ରହଣ, ଅମଳ ପରବର୍ତ୍ତୀ ସଂରକ୍ଷଣ ବୃଦ୍ଧି, ଜଳସେଚନ ସୁବିଧାରେ ଉନ୍ନତି ଏବଂ ଦୀର୍ଘକାଳୀନ ଓ ସ୍ବଳ୍ପକାଳୀନ ଋଣ ଉପଲବ୍ଧତାକୁ ସୁଗମ କରିବା ପାଇଁ ରାଜ୍ୟଗୁଡ଼ିକ ସହ ଭାଗୀଦାରିରେ ୧୦୦ଟି ଜିଲାରେ ‘ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନା’ ବିଷୟରେ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି।
ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ)କୁ ଦେଶ ଅଭିବୃଦ୍ଧିର ଦ୍ୱିତୀୟ ଇଞ୍ଜିନ ଭାବେ ଅର୍ଥମନ୍ତ୍ରୀ ଅଭିହିତ କରିଛନ୍ତି। ଏହା ଦେଶ ରପ୍ତାନିର ୪୫ ପ୍ରତିଶତ ରହିଛି। ଏହାକୁ ବହୁଗୁଣିତ କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ‘ମେଡ୍‌ ଇନ୍‌ ଇଣ୍ଡିଆ’ ବ୍ରାଣ୍ଡ୍‌ର ପ୍ରତିନିଧିତ୍ୱ କରୁଥିବା ଖେଳଣା ନିର୍ମାଣରେ ଭାରତକୁ ଏକ ବିଶ୍ୱସ୍ତରୀୟ କେନ୍ଦ୍ରରେ ପରିଣତ କରିବା ପାଇଁ ସରକାର ଏକ ଯୋଜନା ମଧ୍ୟ କାର୍ଯ୍ୟକାରୀ କରିବେ। ଏହାକୁ ଆଗକୁ ବଢ଼ାଇବା ପାଇଁ ଏମ୍‌ଏସ୍‌ଏମ୍‌ଇକୁ ଅନ୍ତଭୁକ୍ତକରି ଏକ ଜାତୀୟ ଉତ୍ପାଦନ ମିଶନ ପ୍ରତିଷ୍ଠା କରାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।
ଅର୍ଥମନ୍ତ୍ରୀ ନିବେଶକୁ ଅଭିବୃଦ୍ଧିର ତୃତୀୟ ଇଞ୍ଜନ୍‌ ଭାବେ ଅଭିହିତ କରି ଜନସାଧାରଣ, ଅର୍ଥବ୍ୟବସ୍ଥା ଏବଂ ନବସୃଜନ କ୍ଷେତ୍ରରେ ଏହାକୁ ପ୍ରାଥମିକତା ଦେଇଛନ୍ତି। ସେ କହିଛନ୍ତି, ବିଦ୍ୟାଳୟ ଏବଂ ଉଚ୍ଚ ଶିକ୍ଷା ପାଇଁ ଡିଜିଟାଲ ରୂପରେ ଭାରତୀୟ ଭାଷା ପୁସ୍ତକ ଉପଲବ୍ଧ କରାଇବା ଲାଗି ‘ଭାରତୀୟ ଭାଷା ପୁସ୍ତକ ଯୋଜନା’ କାର୍ଯ୍ୟକାରୀ କରାଯିବ। ‘ମେକ୍‌ ଫର୍‌ ଇଣ୍ଡିଆ, ମେକ୍‌ ଫର୍‌ ଦ ୱାଲର୍‌ଡ’ ଉତ୍ପାଦନ ପାଇଁ ଆବଶ୍ୟକ କୌଶଳ ସହିତ ଦେଶର ଯୁବପିଢ଼ିକୁ ସଶକ୍ତ କରିବା ସକାଶେ ବିଶ୍ୱସ୍ତରୀୟ ବିଶେଷଜ୍ଞ ଏବଂ ଭାଗୀଦାରି ସହିତ ଦକ୍ଷତା ପାଇଁ ପାଞ୍ଚଟି ଜାତୀୟ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରାଯିବ। ଶିକ୍ଷା ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) କ୍ଷେତ୍ରରେ ଏକ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରାଯିବ, ଯାହାର ମୋଟ ବ୍ୟୟ ଅଟକଳ ୫୦୦ କୋଟି ଟଙ୍କା ରଖାଯାଇଥିବା ବିଷୟ ଅର୍ଥମନ୍ତ୍ରୀ ଉଲ୍ଲେଖ କରିଛନ୍ତି।

ସୀତାରାମନ୍‌ ରପ୍ତାନିକୁ ଅଭିବୃଦ୍ଧିର ଚତୁର୍ଥ ଇଞ୍ଜିନ ଭାବେ ବର୍ଣ୍ଣନା କରିଛନ୍ତି। ଅନ୍ତର୍ଜାତୀୟ ବାଣିଜ୍ୟ ପାଇଁ ଏକ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି, ‘ଭାରତ ଟ୍ରେଡ୍‌ନେଟ୍‌’ (ବି.ଟି.ଏନ୍‌) ବାଣିଜ୍ୟ ଡକ୍ୟୁମେଣ୍ଟେଶନ ଏବଂ ଆର୍ଥିକ ସମାଧାନ ନିମନ୍ତେ ଏକୀକୃତ ପ୍ଲାଟ୍‌ଫର୍ମ ସୃଷ୍ଟି ଉପରେ ସେ ଗୁରୁତ୍ୱ ଦେଇଛନ୍ତି।
ଇଜ୍‌ ଅଫ୍‌ ଡୁଇଂ ବିଜ୍‌ନେସ ବା ବ୍ୟବସାୟିକ ସୁଗମତା ଦିଗରେ ସରକାରଙ୍କ ଦୃଢ଼ ପ୍ରତିବଦ୍ଧତାର ନିଦର୍ଶନ ସ୍ବରୂପ ଅର୍ଥମନ୍ତ୍ରୀ ଭାରତରେ ଆର୍ଥିକ ଦିଗରେ ବ୍ୟାପକ ପରିବର୍ତ୍ତନ ଆଣିବାକୁ ପ୍ରସ୍ତାବ ଦେଇଛନ୍ତି। ବୀମା କ୍ଷେତ୍ରରେ ପ୍ରତ୍ୟକ୍ଷ ବୈଦେଶିକ ପୁଞ୍ଜିନିବେଶ (ଏଫ୍‌ଡିଆଇ) ସୀମାକୁ ୭୪ ପ୍ରତିଶତରୁ ୧୦୦%କୁ ବୃଦ୍ଧି କରିବା ଲାଗି ସେ ପ୍ରସ୍ତାବ ଦେଇଛନ୍ତି, ଯାହା ଭାରତରେ ସମ୍ପୂର୍ଣ୍ଣ ପ୍ରିମିୟମ ନିବେଶ କରୁଥିବା କମ୍ପାନୀଗୁଡ଼ିକ ପାଇଁ ଉପଲବ୍ଧ ହେବ।
ରାଷ୍ଟ୍ର ନିର୍ମାଣରେ ମଧ୍ୟବିତ୍ତ ବର୍ଗଙ୍କ ଉପରେ ବିଶ୍ୱାସ ରଖି ଅର୍ଥମନ୍ତ୍ରୀ କେନ୍ଦ୍ର ବଜେଟରେ ନୂତନ ଆୟକର ବ୍ୟବସ୍ଥା କରାଇ ନୂଆ ପ୍ରତ୍ୟକ୍ଷ ଟିକସ ସ୍ଲାବ୍‌ ଏବଂ ହାରର ପ୍ରସ୍ତାବ ଦେଇଛନ୍ତି। ତେବେ ୨୦୨୫-୨୬ ଆର୍ଥିକ ବର୍ଷରେ ଆୟକର ୧୪.୩୮ ଲକ୍ଷ କୋଟି(୧୪.୩%) ଆକଳନ କରାଯାଇଥିବା ବେଳେ କର୍ପୋରେଟ ଟିକସ ୧୦.୮୨ ଲକ୍ଷ କୋଟି (୧୦.୪%) ହେବ ବୋଲି କୁହାଯାଉଛି। ସେହିପରି ୨୦୨୪-୨୫ରେ ବିତ୍ତୀୟ ନିୟଣ୍ଟ ୪.୮ ହେବ ବୋଲି ଆକଳନ କରାଯାଇଥିଲା। ୨୦୨୫-୨୬ରେ ଏହାକୁ ୪.୪%କୁ ହ୍ରସ କରିବାର ଲକ୍ଷ୍ୟ ରଖାଯାଇଛି।
ଶିଳ୍ପ ସାମଗ୍ରୀର ସୀମା ଶୁଳ୍କକୁ ଯୁକ୍ତିସଙ୍ଗତ କରିବାର ଅଂଶସ୍ବରୂପ ବଜେଟରେ ସାତଟି ଶୁଳ୍କ ଉଚ୍ଛେଦ କରିବା, ପ୍ରଭାବୀ ଶୁଳ୍କ ବୃଦ୍ଧି ବଜାୟ ରଖିବା ପାଇଁ ଉପଯୁକ୍ତ ସେସ୍‌ ଲାଗୁ କରିବା ଏବଂ ଗୋଟିଏରୁ ଅଧିକ ସେସ୍‌ କିମ୍ବା ଅତିରିକ୍ତ ଶୁଳ୍କ ଲାଗୁ ନ କରିବା ଉପରେ ଗୁରୁତ୍ୱ ଦିଆଯାଇଛି।

ଔଷଧ ଆମଦାନୀ ଉପରେ ରିହାତି ସ୍ବରୂପ, କର୍କଟ ଭଳି ଦୁରାରୋଗ୍ୟ ବ୍ୟାଧିର ଚିକିତ୍ସା ପାଇଁ ୩୬ଟି ଜୀବନ ରକ୍ଷାକାରୀ ଔଷଧ ଏବଂ ଔଷଧକୁ ମୌଳିକ ସୀମା ଶୁଳ୍କ (ବିସିଡି)ରୁ ସମ୍ପୂର୍ଣ୍ଣ ଭାବେ ବାଦ୍‌ ଦିଆଯାଇଛି।
ସଂସଦରେ ଉପସ୍ଥାପିତ ଏହି ବଜେଟକୁ ପ୍ରଧାନମନ୍ତ୍ରୀ ଜନତାଜନାର୍ଦ୍ଦନଙ୍କ ବଜେଟ ଭାବେ ଅଭିହିତ କରି ବିକଶିତ ଭାରତ ଗଠନରେ ବିଶେଷ ସହାୟକ ହେବ ବୋଲି ପ୍ରଶଂସା କରିଛନ୍ତି। ଅନ୍ୟପକ୍ଷରେ ବିରୋଧୀ ଦଳଗୁଡ଼ିକ ଏଥିରେ କିଛି ନୂତନତ୍ୱ ନ ଥିବା କହିଛନ୍ତି। ତେବେ କୃଷି, ଗ୍ରାମାଞ୍ଚଳ ବିକାଶ, ସ୍ବାସ୍ଥ୍ୟ, ପ୍ରତିରକ୍ଷା ଓ ଭିତ୍ତିଭୂମି କ୍ଷେତ୍ରକୁ ଅଗ୍ରପ୍ରାଧାନ୍ୟ ଦିଆଯାଇଥିବାରୁ ବଜେଟକୁ ବିଶେଷଜ୍ଞ ଓ ମାର୍କେଟ ଲିଡରମାନେ ‘ସନ୍ତୁଳିତ’ କହି ସ୍ବାଗତ କରିଛନ୍ତି।

ଏଥର ବଜେଟର ଆକାର ୫୦ଲକ୍ଷ ୬୫ହାଜର କୋଟି ଟଙ୍କା, ଯାହା ଦେଶର ପ୍ରଗତି ଏବଂ ବିକାଶକୁ ଏକ ନୂତନ ଦିଶା ପ୍ରଦାନ କରିବ। ସାମଗ୍ରିକ ଭାବେ ଚଳିତ ବଜେଟ ସମାଜର ପ୍ରତ୍ୟେକ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ। ଚାଷୀ, ଦିନମଜୁରିଆ, ମଧ୍ୟମବର୍ଗ, ଚାକିରିଆ, ମହିଳା, ଯୁବ, ଛାତ୍ର ସମସ୍ତଙ୍କ ପାଇଁ ଏହି ବଜେଟରେ କିଛି ନା କିଛି ଭଲ ଖବର ଅଛି। ମଧ୍ୟବିତ୍ତ ପରିବାରଙ୍କ ଆଶା ଆକାଂକ୍ଷାକୁ କେନ୍ଦ୍ର ସରକାର ପୂରଣ କରିବାରେ ସମର୍ଥ ହୋଇଛନ୍ତି। ଏଥରର ବଜେଟରେ ୧୦୦ଟି ଜିଲାରେ ଉତ୍ପାଦକତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ଚାଷୀଙ୍କ ପାଇଁ ‘ଧନଧାନ୍ୟ କୃଷି ଯୋଜନା’ ପ୍ରସ୍ତାବିତ କରାଯାଇଛି। ଏହି ନୂତନ ଯୋଜନାରେ ଦେଶର ୧.୭୦କୋଟି ଚାଷୀ ଉପକୃତ ହେବେ। ବଜେଟରେ ରେକର୍ଡ ୧୫ଲକ୍ଷ ୫୦ହଜାର କୋଟି ଟଙ୍କାର ପୁଞ୍ଜି ଖର୍ଚ୍ଚ ପ୍ରାବଧାନ କରାଯାଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୫୪ହଜାର ୮୩୨କୋଟି ଟଙ୍କା ପ୍ରାବଧାନ କରାଯାଇଛି। ଏହି ବର୍ଦ୍ଧିତ ପ୍ରାବଧାନରେ ଆସନ୍ତା ବର୍ଷ ରେକର୍ଡ ସଂଖ୍ୟକ ଗୃହ ରାଜ୍ୟର ଗରିବ ଲୋକଙ୍କୁ ଯୋଗାଇ ଦିଆଯିବ। ଜଳଜୀବନ ମିଶନ ଯୋଜନାରେ ଆସନ୍ତା ୨ବର୍ଷ ମଧ୍ୟରେ ରାଜ୍ୟର ସବୁ ଗ୍ରାମକୁ ଶୁଦ୍ଧ ପିଇବା ପାଣି ଯୋଗାଇ ଦେବା ଲକ୍ଷ୍ୟ ପୂରଣ ହେବ। ଏହା ଲୋକାଭିମୁଖୀ, ଜନକଲ୍ୟାଣକାରୀ, ରୋଜଗାର ସୃଷ୍ଟିକାରୀ ଏବଂ ବିକାଶମୁଖୀ ବଜେଟ।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଆନ୍ଦୋଳନର ସମସ୍ତ ମାମଲା ପ୍ରତ୍ୟାହାର….

କୋଲକାତା,୨୦ା୯: ପଶ୍ଚିମବଙ୍ଗରେ କୁର୍ମି ସମୁଦାୟକୁ ନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ପୂର୍ବ ସରକାରଙ୍କ ସମୟରେ କୁର୍ମି ଆନ୍ଦୋଳନ ସହ ଜଡ଼ିତ ଯେଉଁ ସବୁ…

‘ଛାତ୍ରୋଁ କୀ ଗୁଞ୍ଜ୍‌’ କାର୍ଯ୍ୟକ୍ରମରେ ହାସ୍ୟାଭିନେତାଙ୍କ ଦ୍ୱାରା ମୋଦିଙ୍କୁ ନକଲ, ଦେଶରେ ହଇଚଇ!

ନୂଆଦିଲ୍ଲୀ,୨୦ା୯: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ରାଜନୈତିକ ବିବାଦ ଜୋର ଧରିଛି । ମଧ୍ୟପ୍ରଦେଶର ଇନ୍ଦୋରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଛାତ୍ରୋଁ କୀ ଗୁଞ୍ଜ୍‌’…

ଖଣ୍ଡୁଆଳମାଳି ବକ୍ସାଇଟ୍ ଖଣି ଖନନକୁ ବିରୋଧ, ଅମଠାଗୁଡ଼ାରେ ୨୦ ଗାଁର ଶତାଧିକ ଆନ୍ଦୋଳନକାରୀ….

ଥୁଆମୂଳ ରାମପୁର,୨୦।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ କର୍ଲାପାଟ୍ ଅଞ୍ଚଳର ଖଣ୍ଡୁଆଳମାଳିରୁ ବକ୍ସାଇଟ୍ ଖନନକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ବିରୋଧ ତୀବ୍ର ହେବାରେ ଲାଗିଛି…

ବିଦ୍ୟାଳୟରୁ ଚାଉଳ-ଖେଳଣା ଚୋରି, ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବୀରପଦ୍ମନାଭପୁର ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷ୍ଟୋର ରୁମରୁ ୩୦ ପ୍ୟାକେଟ ଚାଉଳ ଏବଂ…

ବିଦ୍ୟାଳୟରେ ବୁର୍ଖା ଉପରେ ଲାଗୁ ହେବ କଟକଣା! ସୀମିତ ହେବ ବିଦେଶୀ ଛାତ୍ରଙ୍କ ସଂଖ୍ୟା

ରୋମ୍‌,୨୦।୯: ଇଟାଲୀର ସ୍କୁଲଗୁଡ଼ିକରେ ବୁର୍ଖା ଭଳି ମୁହଁ ସମ୍ପୂର୍ଣ୍ଣ ଢାଙ୍କୁଥିବା ପୋଷାକ ଉପରେ ପ୍ରତିବନ୍ଧ ଲଗାଇବା ସହ ପ୍ରତି କ୍ଲାସରେ ବିଦେଶୀ ଛାତ୍ରଙ୍କ ସଂଖ୍ୟା ସୀମିତ କରିବାକୁ…

ବରିଷ୍ଠ କିରାଣି ଜୟନ୍ତ ପ୍ରଧାନଙ୍କୁ ନିଲମ୍ବନ କଲେ କେନ୍ଦ୍ରାପଡ଼ା DEO

ଡେରାବିଶ, ୨୦।୯(ବେବର୍ତା ଅଜୟ ଦାସ): ଡେରାବିଶ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ବରିଷ୍ଠ କିରାଣୀ ଜୟନ୍ତ କୁମାର ପ୍ରଧାନଙ୍କୁ ନିଲମ୍ବିତ କରାଯାଇଛି । ନିଜ କାର୍ଯ୍ୟରେ…

ମଦ ଦୋକାନରେ ଗଣ୍ଡଗୋଳ, ଯୁବକଙ୍କ ତଣ୍ଟି କାଟି ହତ୍ୟା ଉଦ୍ୟମ; ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମର ଯୁବକ ଏସ. ରାଜୀବ ରେଡ୍ଡୀ ଚୈତନ୍ୟପୁର ଗ୍ରାମର ଦେବ ରେଡ୍ଡୀଙ୍କୁ ମରଣାନ୍ତକ ଆକ୍ରମଣ କରି…

ବଲାଙ୍ଗୀରରୁ ଫରେଷ୍ଟରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଅଫିସ ଷ୍ଟାଫ୍ କ୍ବାର୍ଟରରେ…

ବଲାଙ୍ଗୀର,୨୦।୯( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଫରେଷ୍ଟ ରେଞ୍ଜ ଅଫିସ ପଛପଟେ ଥିବା ଷ୍ଟାଫ କ୍ବାଟରୁ ଫରେଷ୍ଟରଙ୍କ ମୃତଦେହ ଉଦ୍ଧାର ହୋଇଛି । ଝୁଲନ୍ତା ଅବସ୍ଥାରେ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?