ଉଦୟଗିରିରେ ହେବ ବୌଦ୍ଧ ସଂଗ୍ରହାଳୟ : ପ୍ରତ୍ନତତ୍ତ୍ୱ ଡିଜି

ଚଣ୍ଡିଖୋଲ,୨୦ା୬(ପ୍ରଦୀପ୍ତ କୁମାର ପୃଷ୍ଟି): ବିଶ୍ୱ ପ୍ରସିଦ୍ଧ ବୌଦ୍ଧପୀଠ ଉଦୟଗିରିଠାରେ ନୂତନ ସଂଗ୍ରାହଳୟ ସ୍ଥାପନ କରାଯିବ। ଏଥିନେଇ ସୋମବାର ଭାରତୀୟ ପ୍ରନତ୍ତତ୍ତ୍ୱ ବିଭାଗର ମହାନିର୍ଦ୍ଦେଶକ ଡ଼. କିଶୋର କୁମାର ବାସା ସୂଚନା ଦେଇଛନ୍ତି। ସେ ବୌଦ୍ଧପୀଠ ଉଦୟଗିରି ପରିସର ବୁଲିବା ସହିିତ ଏହାର ଉନ୍ନତୀକରଣ ଓ ସୁରକ୍ଷା ନେଇ ଆଲୋଚନା କରିଥିଲେ। ସଂଗ୍ରାହଳୟ କେଉଁ ସ୍ଥାନରେ ନିର୍ମାଣ କରାଯିବ ତା’ର ନକ୍ସା ପ୍ରସ୍ତୁତ କରିବା ସହ ଏଥିପାଇଁ ଆବଶ୍ୟକ ଅର୍ଥ ଭାରତୀୟ ପ୍ରନତ୍ତତ୍ତ୍ୱ ନିର୍ଦ୍ଦେଶାଳୟ (ଏଏସ୍‌ଆଇ) ପକ୍ଷରୁ ଯୋଗାଇ ଦିଆଯିବ। ଏଠାରେ ୪୦ହଜାର ବର୍ଗଫୁଟ ଆକାରର ମ୍ୟୁଜିୟମ ପ୍ରତିଷ୍ଠା କରାଯିବ । ବୌଦ୍ଧ ବିହାରର ପ୍ରବେଶ ପଥର ଦକ୍ଷିଣ ପାର୍ଶ୍ୱ ପାହାଡ଼ ପାଦଦେଶ ଅଂଶରେ ଏହା ନିର୍ମାଣ କରାଯିବ ବୋଲି ନିଷ୍ପତ୍ତି ହୋଇଛି।
ଡ଼. ବାସାଙ୍କ ସହିତ ପ୍ରନତ୍ତତ୍ତ୍ୱ ବିଭାଗ ମ୍ୟୁଜିୟମ ମହାନିର୍ଦ୍ଦେଶକ ଡ଼ ଏନ୍‌.କେ. ସିହ୍ନା, ପୁରୀ ସର୍କଲର ଅଧୀକ୍ଷକ ଡ. ଦିବାଶିଷ ବ୍ରଜସୁନ୍ଦର ଗଡ଼ନାୟକ, ଭୁବନେଶ୍ୱର ସର୍କଲର ଅଧୀକ୍ଷକ ଡ. ସୁଶାନ୍ତ କର, ସହକାରୀ ଅଧୀକ୍ଷକ ପ୍ରଜ୍ଞାପତି ପ୍ରଧାନ, ପ୍ରିୟଦର୍ଶିନୀ କର ଓ ଆଶିଷ ରଞ୍ଜନ ସାହୁ ପ୍ରମୁଖ ଆସିଥିଲେ। ସେମାନେ ଉଦୟଗିରିରୁ ଆବିଷ୍କୃତ ସିଂହପ୍ରସ୍ଥ ମହାବିହାର ଓ ମାଧବପୁର ମହାବିହାର ପରିଦର୍ଶନ କରିଥିଲେ। ଏଥିସହିତ ଏଠାରୁ ଆବିଷ୍କୃତ ହୋଇଥିବା ବୌଦ୍ଧ କିର୍ତ୍ତୀରାଜି ସମ୍ପର୍କରେ ପଚାରି ବୁଝିଥିଲେ। ଏହା ସହ ବିଶିଷ୍ଟ ଐତିହାସିକ ତଥା ବୌଦ୍ଧ ଗବେଷକ ଡ଼ ହରିଶ୍ଚନ୍ଦ୍ର ପୃଷ୍ଟିଙ୍କ ଅସୁସ୍ଥତା ଖବର ପାଇ ତାଙ୍କ ବାଲିପଡ଼ିଆସ୍ଥିତ ବାସଭବନକୁ ଯାଇ ଆଳାପ ଆଲୋଚନା କରିଥିଲେ। ଉଦୟଗିରିଠାରେ ଉଦୟଗିରି ବୁଦ୍ଧ ମହୋତ୍ସବ ସମିିତିର ଅଧ୍ୟକ୍ଷ ଡ଼ ଅରୁନ୍ଧତୀ ଦେବୀ, ଆବାହକ ମହେଶ୍ୱର ବଳ, ଶୈଳେନ୍ଦ୍ର ନାରାୟଣ ରାୟ ପ୍ରମୁଖ ତାଙ୍କୁ ସ୍ବାଗତ କରିବା ସହ ଉଦୟଗିରିର ବିକାଶ ନିମନ୍ତେ ଆଲୋଚନା କରିଥିଲେ।