ପାଇକମାଳ,୨୫।୬(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ କଣ୍ଟାପଡ଼ାରେ ଗୁରୁବାର ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। କଣ୍ଟାପଡ଼ାର ବୃଦ୍ଧା ଜୟନ୍ତୀ ବଛା(୮୦)ଙ୍କ ଗୁରୁବାର ସକାଳ ପ୍ରାୟ ୮ଟାରେ ହୋଇଥିଲା। ହେଲେ ମୃତଦେହ ଦୀର୍ଘ ସମୟ ଧରି ପଡି ରହିଥିବା ବେଳେ କାନ୍ଧ ଦେବାକୁ ସାହି ପଡ଼ିଶା କେହି ଆସି ନ ଥିଲେ।
ଏଭଳି ସ୍ଥିତିରେ ବୃଦ୍ଧାଙ୍କ ବିଧବା ପୁତ୍ରବଧୂ ଯାଜ୍ଞସେନୀ ବଛା, ନାତି ଶୁଭମ୍ ବଛା ଏବଂ ଝିଅ ବାସନ୍ତୀ ବଛା କୌଣସି ଉପାୟ ନ ପାଇ ସାଇକଲରେ ମୃତଦେହ ବାନ୍ଧି ଶ୍ମଶାନକୁ ନେଇ ଅନ୍ତିମ ସଂସ୍କାର କରିଥିଲେ। ବର୍ତ୍ତମାନ ଏହି ଘଟଣାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଏପରିକି ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
ମିଳିଥିବା ସୂଚନା ମୁତାବକ, ମୃତକ ଜୟନ୍ତୀ ବଛା(୮୦)। ତାଙ୍କର ଗୋଟିଏ ପୁଅ ସାତ ମାସ ତଳେ ମୃତ୍ୟୁବରଣ କରିଥିଲେ। ଏଭିଳିସ୍ଥିତିରେ ତାଙ୍କ ପାଖରେ ବିଧବା ପୁତ୍ରବଧୂ ଯାଜ୍ଞସେନୀ ବଛା, ନାତି ଶୁଭମ୍ ବଛା ଏବଂ ଝିଅ ବାସନ୍ତୀ ବଛା ରହୁଥିଲେ। ଦୀର୍ଘ ଦିନ ହେଲା ସାନପୁଅ ପଞ୍ଚା ବଛା ସ୍ତ୍ରୀଙ୍କ ଧରି ଭଞ୍ଜନଗରରେ ରହୁଥିବା ସୂଚନା ମିଳିଛି। ଝିଅ ବାସନ୍ତୀ, ସାନପୁଅ ପଞ୍ଚା ମଧ୍ୟ ମାନସିକ ରୋଗୀ ବୋଲି ସୂଚନା ମିଳିଛି। ଅନ୍ୟପକ୍ଷେ ଅନ୍ତିମ ସଂସ୍କାର ବେଳେ ନିଲେଶ୍ୱର୍ ବନଛୋର, ଧବଳେଶ୍ୱର ବାଗ, ଆରତୀ ବଗର୍ତ୍ତି, ନୃପତି ବନଛୋର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।