ଖଟିଆରେ ବୁହା ହେଉଛନ୍ତି ରୋଗୀ

ଖଜୁରିପଡ଼ା,୮ା୧୦(ବିଦୁର ବେହେରା)କନ୍ଧମାଳ ଜିଲା ରାସ୍ତା ସମସ୍ୟାକୁ ନେଇ ଅହରହ ଦହଗଞ୍ଜ ହେଉଛି। ରାସ୍ତା ସମସ୍ୟା ପାଇଁ ଗାଡ଼ି ମଟର ଗାଁ ପର୍ଯ୍ୟନ୍ତ ନ ଯାଇ ପାରୁଥିବାରୁ ରୋଗୀ ମାନଙ୍କୁ ଖଟିଆରେ ବୁହା ହେଉଛି। ଏହା ଦେଖିବାକୁ ମିଳିଛି ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଦୁତୀମେଣ୍ଡି ପଞ୍ଚାୟତ ୧୦ ନଂ ୱାର୍ଡ଼ରେ। ଗଞ୍ଜୁପଦର ଗ୍ରାମର ସାମେଶ୍ୱର କହଁର ଦୀର୍ଘ ୨ବର୍ଷ ହେବ କୌଣସି ଏକ ଅଜଣା ରୋଗରେ ପୀଡିତ ଥିଲେ ବୋଲି ତାଙ୍କ ପୁଅ ନିରଞ୍ଜନ କହଁର କୁହନ୍ତି। ଗୁରୁବାର ସାମେଶ୍ୱରଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ଚିକିତ୍ସାଳୟ ନେବାକୁ ଆମ୍ବୁଲାନ୍ସକୁ ଡକାଗଲା। କିନ୍ତୁ ରାସ୍ତା ଖରାପ ଯୋଗୁ ଗାଁ ପର୍ଯ୍ୟନ୍ତ ଗାଡ଼ି ନ ଆସିବାରୁ ଗ୍ରାମବାସୀ ଖଟିଆରେ ବୋହି ରୋଗୀକୁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିଥିଲେ। ସେଠାରୁ ଖଜୁରିପଡ଼ା ମେଡ଼ିକାଲରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଫୁଲବାଣୀ ପଠାଯାଇଛି। ତେବେ ରାସ୍ତା ସମସ୍ୟା ଯୋଗୁ କେବଳ ଗଞ୍ଜୁପଦର ନୁହେଁ ଆଡାପାଯୁ ଗ୍ରାମବାସୀ ମଧ୍ୟ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏ ନେଇ ବାରମ୍ବାର ଖବର କାଗଜରେ ଖବର ପ୍ରକାଶ ପାଇଥିଲେ ସୁଦ୍ଧା ବ୍ଲକ ପ୍ରଶାସନ କିମ୍ବା ଜିଲା ପ୍ରଶାସନର ଚେତା ପସୁନି। ତେଣୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଶୀଘ୍ର ରାସ୍ତା ଖଣ୍ଡେ ନିର୍ମାଣ କରିବା ପାଇଁ ଗ୍ରାମବାସୀ ଅନୁରୋଧ କରିଛନ୍ତି।