ଡିଏସ୍‌ପିରୁ OAS ଟପ୍ପର, ବୁବୁନ୍‌ଙ୍କ ସଫଳତାକୁ ନେଇ ଆନନ୍ଦପୁରରେ ଖୁସିର ଲହରୀ, ଯୁବପିଢ଼ୀଙ୍କ ପାଇଁ ସାଜିଲେ ପ୍ରେରଣା

ବଞ୍ଚୋ/ଆନନ୍ଦପୁର , ୨୬।୫(ପ୍ରଦୋଷ କୁମାର ବିଶ୍ୱାଳ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ପାଇଁ ଆସିଛି ଏକ ବଡ଼ ଗୌରବର ଖବର। ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା (OAS) ପରୀକ୍ଷାରେ ଆନନ୍ଦପୁର ଉପଖଣ୍ଡ ଟୋଲଙ୍କପଡା ଗ୍ରାମର ବୁବୁନ୍‌ ସାହୁ ରାଜ୍ୟ ସ୍ତରରେ ଶୀର୍ଷ ସ୍ଥାନ ଅଧିକାର କରି ଟପ୍ପର ହୋଇଛନ୍ତି। ତାଙ୍କର ଏହି ଅଦ୍ଭୁତପୂର୍ବ ସଫଳତା ସମଗ୍ର ଅଞ୍ଚଳ ତଥା କେନ୍ଦୁଝର ଜଲାର ନାମକୁ ଉଜ୍ଜ୍ୱଳ କରିଛି।
ଏକ ଛୋଟ ଗ୍ରାମରୁ ଆସି ଦୃଢ଼ ପରିଶ୍ରମ, ଅଦମ୍ୟ ଇଚ୍ଛାଶକ୍ତି ଓ ନିଷ୍ଠା ବଳରେ ବୁବୁନୁ ଆଜି ଏହି ସଫଳତାର ଶୀର୍ଷ ଛୁଇଁପାରିଛନ୍ତି। ଓଡ଼ିଶାର ସବୁଠାରୁ ପ୍ରତିଷ୍ଠିତ ପ୍ରଶାସନିକ ପରୀକ୍ଷାରେ ପ୍ରଥମ ସ୍ଥାନ ହାସଲ କରି ସେ ପ୍ରମାଣିତ କରିଛନ୍ତି ଯେ ଇଚ୍ଛାଶକ୍ତି ଥିଲେ ସଫଳତା ନିଶ୍ଚୟ ମିଳେ। ତାଙ୍କର ଏହି କୃତିତ୍ୱ ଏବେ ସ୍ଥାନୀୟ ଅଞ୍ଚଳର ଯୁବପିଢ଼ୀଙ୍କ ପାଇଁ ଏକ ବଡ଼ ପ୍ରେରଣାର ପ୍ରତୀକ ପାଲଟିଛି। ବିଶେଷ କଥା ହେଉଛି, ବୁବୁନ୍‌ ବର୍ତ୍ତମାନ ଡିଏସ୍‌ପି ଭାବେ ଟ୍ରେନିଂ ନେଉଥିବା ବେଳେ OAS ପରୀକ୍ଷାରେ ଟପ୍ପର ହୋଇ ସମସ୍ତଙ୍କୁ ଚମକାଇ କରିଦେଇଛନ୍ତି ।
ଓଏଏସ୍‌ ପରୀକ୍ଷା ଫଳାଫଳ ପ୍ରକାଶ ପାଇବା ଏବଂ ବୁବୁନ୍‌ ଟପ୍ପର ହେବା ଖବର ମିଳିବା ପରେ ଟୋଲଙ୍କପଡା ଗ୍ରାମ ସମେତ ଆନନ୍ଦପୁର ଉପଖଣ୍ଡରେ ଖୁସିର ଲହରୀ ଖେଳିଯାଇଛି। ତାଙ୍କ ବାସଭବନରେ ପରିବାର, ସାଙ୍ଗସାଥୀ ଓ ଗ୍ରାମବାସୀ ଏକାଠି ହୋଇ ମିଠା ବାଣ୍ଟିବା ସହ ଖୁସି ମନାଇଛନ୍ତି। ଅଞ୍ଚଳର ବିଭିନ୍ନ ସାମାଜିକ ସଂଗଠନ, ବୁଦ୍ଧିଜୀବୀ ଓ ସାଧାରଣ ଜନତା ବୁବୁନୁ ସାହୁଙ୍କୁ ସାକ୍ଷାତ କରି ଅଭିନନ୍ଦନ ଜଣାଇବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ କାମନା କରିଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଏହି ସଫଳତା ଆନନ୍ଦପୁର ଉପଖଣ୍ଡ ଇତିହାସରେ ଏକ ସ୍ମରଣୀୟ ମୁହୂର୍ତ୍ତ ହୋଇ ରହିବ।
Dharitri – Odisha’s No.1 Odia Daily

Share