ଛୁଟିରେ ଘରକୁ ଆସି ଆଖି ବୁଜିଲେ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୁରୀ ସ୍ୱର୍ଗଦ୍ୱାରରେ BSF ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବାଗଡା ଗ୍ରାମର ବିଏସଏଫ୍ (BSF) ସିନିୟର ହାବିଲଦାର ବି. କାନା (୫୩)ଙ୍କ ଆକସ୍ମିକ ମୃତ୍ୟୁ ଘଟିଛି। ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି।

ମିଳିଥିବା ସୂଚନା ମୁତାବକ, ବାଗଡା ଗ୍ରାମର ବି. ନାରସିଙ୍ଗୁଲୁ ପାତ୍ରଙ୍କ ପୁଅ ବି. କାନା ଜମ୍ମୁ-କାଶ୍ମୀରର ୧୫୮ ବିଏସଏଫ୍ ବାଟାଲିଆନ୍‌ରେ ସିନିୟର ହାବିଲଦାର ଭାବେ କାର୍ଯ୍ୟରତ ଥିଲେ। ସେ ଗତ ୨ ମାସ ହେବ ଛୁଟିରେ ଗାଁକୁ ଆସିଥିଲେ। ତେବେ ସୋମବାର ଅପରାହ୍ନ ପ୍ରାୟ ସାଢ଼େ ୪ଟାରେ ସେ ହଠାତ୍ ଆକସ୍ମିକ ଭାବେ ଅସୁସ୍ଥ ହୋଇପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ସଞ୍ଜ ଆଡ଼କୁ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏ ନେଇ ସୋମବାର ବିଳମ୍ବିତ ସନ୍ଧ୍ୟାରେ ଦିଗପହଣ୍ଡି ଥାନାରେ ଏତଲା ହେବା ପରେ ଆଇଆଇସି କିଶୋର କୁମାର ସାମଲ ଅପମୃତ୍ୟୁ ମାମଲା (ନଂ. ୪୩/୨୬) ରୁଜୁ କରିଥିଲେ। ମଙ୍ଗଳବାର ସକାଳେ ଦିଗପହଣ୍ଡି ଥାନା ଏଏସଆଇ ମନୋଜ ସିଂ ବ୍ରହ୍ମପୁର ବଡ଼ ଡାକ୍ତରଖାନାରୁ ମୃତଦେହ ଜବତ କରିଥିଲେ।

ଖବର ପାଇ ମଙ୍ଗଳବାର ମଧ୍ୟାହ୍ନରେ ବିଏସଏଫ୍ ଅଧିକାରୀ ଓ ଯବାନମାନେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ପହଞ୍ଚି ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ‘ଗାର୍ଡ ଅଫ୍ ଅନର’ ପ୍ରଦାନ କରିଥିଲେ। ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ବିଳମ୍ବିତ ସନ୍ଧ୍ୟାରେ ପୁରୀ ସ୍ୱର୍ଗଦ୍ୱାରଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି।

ଅବିବାହିତ ଥିବା ସ୍ୱର୍ଗତ ବି. କାନାଙ୍କ ଶବଦାହ ସମୟରେ ତାଙ୍କ ପୁତୁରା ବି. ସଚ୍ଚିନ କୁମାର ପ୍ରଧାନ ମୁଖାଗ୍ନି ଦେଇଥିଲେ। ଜଣେ ମେଳାପୀ ଓ ବନ୍ଧୁବତ୍ସଳ ବ୍ୟକ୍ତି ଭାବେ ଜଣାଶୁଣା ସ୍ୱର୍ଗତ ଯବାନଙ୍କ ଆକସ୍ମିକ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ବହୁ ସଂଖ୍ୟକ ସହପାଠୀ ଓ ଗ୍ରାମବାସୀ ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

Dharitri – Odisha’s No.1 Odia Daily

Share