ସିବିଏସ୍‌ଇ, ସିଆଇଏସ୍‌ସିଇ ଦ୍ୱାଦଶ ବୋର୍ଡ ପରୀକ୍ଷା ଶୁଣାଣି ୩କୁ ଘୁଞ୍ଚିଲା

ଭୁବନେଶ୍ୱର, ୧ା୬(ବ୍ୟୁରୋ): ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ (ସିବିଏସ୍‌ଇ) ଏବଂ କାଉନ୍‌ସିଲ ଫର୍‌ ଦି ଇଣ୍ଡିଆନ ସ୍କୁଲ୍‌ ସାର୍ଟିଫିକେଟ୍‌ ଏଜୁକେଶନ (ସିଆଇଏସ୍‌ସିଇ)ର ଦ୍ୱାଦଶ ବୋର୍ଡ ପରୀକ୍ଷା ହେବ କି ନାହିଁ ତାହା ଆସନ୍ତା ୩ ତାରିଖରେ ସ୍ପଷ୍ଟ ହେବ। ସୋମବାର ପରୀକ୍ଷା ବାତିଲ ସଂକ୍ରାନ୍ତ ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ହୋଇଥିଲା। ଶୁଣାଣିବେଳେ ଦୁଇଦିନ ମଧ୍ୟରେ ଦ୍ବାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବିଷୟରେ ସିଦ୍ଧାନ୍ତ ନିଆଯିବ ବୋଲି କେନ୍ଦ୍ର ସରକାର ସୁପ୍ରିମ୍‌କୋର୍ଟଙ୍କୁ ଅବଗତ କରାଇଥିଲେ। ଫଳରେ ସୁପ୍ରିମ୍‌କୋର୍ଟ ଶୁଣାଣିକୁ ଜୁନ୍‌ ୩କୁ ଘୁଞ୍ଚାଇ ଦେଇଛନ୍ତି।
ସିବିଏସ୍‌ଇ ଏବଂ ସିଆଇଏସ୍‌ସିଇ ବୋର୍ଡର ଦ୍ୱାଦଶ ପରୀକ୍ଷା ରଦ୍ଦ କରିବାକୁ ସୁପ୍ରିମକୋର୍ଟ ଆଇନଜୀବୀ ମମତା ଶର୍ମା ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଆଇନଜୀବୀଙ୍କ ସହ ପ୍ରାୟ ୭ଶହ ଅଭିଭାବକ ମଧ୍ୟ ପରୀକ୍ଷା ରଦ୍ଦ କରିବାକୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହାପୂର୍ବରୁ ଗତ ସପ୍ତାହରେ ୩ଶହରୁ ଅଧିକ ଛାତ୍ରୀଛାତ୍ର ଦ୍ୱାଦଶ ପରୀକ୍ଷା ବନ୍ଦ କରିବାକୁ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖିଥିଲେ। ଏପଟେ ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷା ନେଇ ସୁପ୍ରିମକୋର୍ଟଙ୍କ ଶୁଣାଣି ଆଧାରରେ ଯାହା ନିର୍ଦ୍ଦେଶ ଆସିବ ସେହି ଅନୁସାରେ ରାଜ୍ୟର ଯୁକ୍ତ୨ ପରୀକ୍ଷା ପାଇଁ ପଦକ୍ଷେପ ନିଆଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି। ତଥାପି ଛାତ୍ରୀଛାତ୍ରଙ୍କ ସ୍ବାର୍ଥ ଦୃଷ୍ଟିରୁ ଜୁନ୍‌ ପ୍ରଥମ ସପ୍ତାହରେ ହିଁ ନିଷ୍ପତ୍ତି ହେବ ବୋଲି ମନ୍ତ୍ରୀ କହିଛନ୍ତି।