ସମ୍ବଲପୁର, ୧୯.୬ (ପ୍ରମୋଦ ବହିଦାର): ସମ୍ବଲପୁର ସହରରେ ଅବକାରୀ ଗୋଇନ୍ଦା ଓ ପ୍ରବର୍ତ୍ତନ ବ୍ୟୁରୋ (ଇଆଇ ଓ ଇବି) ପକ୍ଷରୁ ଏକ ବଡ଼ ଧରଣର ଚଢ଼ାଉ କରାଯାଇ ପ୍ରାୟ ୨୪ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରାଯାଇଛି।
ଗତ ଗୁରୁବାର ସନ୍ଧ୍ୟାରେ ସମ୍ବଲପୁର ଇଆଇ ଓ ଇବି ଶାଖା ପକ୍ଷରୁ ଅଇଁଠାପାଲି ଥାନା ଅନ୍ତର୍ଗତ ବୁଢ଼ାରଜା ଦେହେରୀପାଲି ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ଏକ ମିଳିତ ଚଢ଼ାଉ କରାଯାଇ ବ୍ୟାପକ ପରିମାଣର ବ୍ରାଉନସୁଗାର ଜବତ କରାଯିବା ସହ ୫ ଜଣଙ୍କୁ ଗିରଫ କରାଯାଇଛି।
ଗିରଫ ଅଭିଯୁକ୍ତମାନେ ହେଲେ ଦେହେରୀପାଲି ଅଞ୍ଚଳର ସୁମନ୍ତ ମୁଣ୍ଡା, ରାହୁଲ ନାଗ, ସୌରଭ ଆଦବାର, ସତ୍ୟମ ମହାନନ୍ଦୀ ଏବଂ ସୁବୋଧ ଭୋଇ। ସେମାନଙ୍କ ନିକଟରୁ ଅବକାରୀ ଦଳ ପ୍ରାୟ ୨୪୨ ଗ୍ରାମ ବ୍ରାଉନସୁଗାର, ୪ଟି ମୋବାଇଲ୍ ଫୋନ୍, ୬ ହଜାର ଟଙ୍କା ନଗଦ ରାଶି ଏବଂ ଗୋଟିଏ ମୋଟରସାଇକେଲ ମଧ୍ୟ ଜବତ କରିଛି।ଜବତ ବ୍ରାଉନସୁଗାରର ଆନୁମାନିକ ବଜାର ମୂଲ୍ୟ ୨୪ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି।
ଏହାକୁ ନେଇ ସମ୍ବଲପୁର ଇଆଇ ଓ ଇବି ୟୁନିଟ୍ ପକ୍ଷରୁ କେସ୍ ନମ୍ବର ୩୨୧/୨୬-୨୭ରେ ଏକ ଅବକାରୀ ମାମଲା ରୁଜୁ କରାଯାଇଛି। ସମସ୍ତ ଅଭିଯୁକ୍ତଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି।