ବରଗଡ଼,୧୮।୧୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଟାଉନ୍ ଥାନା ପୋଲିସକୁ ନିଶା କାରବାର ବିରୋଧୀ ଅଭିଯାନରେ ଏକ ବଡ଼ ସଫଳତା ମିଳିଛି । ବୁଧବାର ପୋଲିସ ଚଢ଼ାଉ କରି ବ୍ରାଉନ୍ ସୁଗାର କାରବାରରେ ସମ୍ପୃକ୍ତ ଥିବା ଏକ ଦମ୍ପତିଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ବରଗଡ଼ ପୌର ପରିଷଦ ଅନ୍ତର୍ଗତ ୱାର୍ଡ ନଂ-୧୧ ନିବାସୀ ରାଜୁ ତାଣ୍ଡି (୪୬) ଏବଂ ତାଙ୍କ ସ୍ତ୍ରୀ ରଞ୍ଜିତା ତାଣ୍ଡି (୪୦) । ସେମାନଙ୍କ ନିକଟରୁ ପୋଲିସ ୯୦ ଗ୍ରାମ ବ୍ରାଉନ୍ ସୁଗାର, ନଗଦ ୧,୫୦୦ ଟଙ୍କା ଏବଂ ୪ଟି ମୋବାଇଲ୍ ଫୋନ୍ ଜବତ କରିଛି । ଏନେଇ ବରଗଡ଼ ଟାଉନ୍ ଥାନାରେ ଏକ ମାମଲା (ନଂ-୭୨୨/୨୬) ରୁଜୁ ହୋଇଛି ।
ଜିଲ୍ଲା ପୋଲିସ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଏସପି ରବୀନ୍ଦ୍ରନାଥ ଶତପଥୀ ଏ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଉତ୍ତରାଞ୍ଚଳ ଡିଆଇଜିଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାରେ ନିଶା କାରବାର ରୋକିବା ପାଇଁ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଧରପଗଡ଼ ଅଭିଯାନ ଜାରି ରହିଛି । ଏହି କ୍ରମରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୋଲିସ ଉକ୍ତ ଦମ୍ପତିଙ୍କୁ ଗିରଫ କରିବା ସହ ବ୍ରାଉନ୍ ସୁଗାର ଜବତ କରିଛି । ତେବେ ଅଭିଯୁକ୍ତ ଦମ୍ପତି ଏହି ଧଳାଜହର କେଉଁଠାରୁ ଆଣିଥିଲେ ଏବଂ କାହାକୁ ବିକ୍ରି କରିବା ପାଇଁ ରଖିଥିଲେ, ସେନେଇ ଅଧିକ ତଦନ୍ତ ଚାଲିଥିବା ଏସପି ପ୍ରକାଶ କରିଛନ୍ତି ।
ପୋଲିସର ସୂଚନା ଅନୁଯାୟୀ, ଗିରଫ ଅଭିଯୁକ୍ତ ରାଜୁ ତାଣ୍ଡି ଜଣେ ଅଭ୍ୟାସଗତ ଅପରାଧୀ । ପୂର୍ବରୁ ତାଙ୍କ ନାମରେ ଅତାବିରା ଥାନାରେ ଗୋଟିଏ ଏବଂ ବରଗଡ଼ ଟାଉନ୍ ଥାନାରେ ୩ଟି ମାମଲା ରହିଛି । ଏହି ଖବରଦାତା ସମ୍ମିଳନୀରେ ଅତିରିକ୍ତ ଏସପି ପଦାରବିନ୍ଦ ତ୍ରିପାଠୀ ଏବଂ ଏସଡିପିଓ ତଥା ଟାଉନ୍ ଥାନା ଅଧିକାରୀ ଏ. ବି. ଶିଳ୍ପା ପ୍ରମୁଖ ଉପସ୍ଥିତ ଥିଲେ ।