ଧରାପଡ଼ିଲା ଧରମଭାଇ-ଭଉଣୀ ଗ୍ୟାଙ୍ଗ

ଭୁବନେଶ୍ୱର, ୧୩।୮(ବ୍ୟୁରୋ): କମିଶନରେଟ ପୋଲିସକୁ ଚକ୍‌ମା ଦେଖାଇ ରାଜଧାନୀରେ ଉତ୍ପାତ କରୁଥିଲେ ଜଣେ ଲେଡି ଲୁଟେରା। ଗ୍ୟାଙ୍ଗ୍‌ ଗଢ଼ି ସହରରେ ଲୁଟ୍‌ପାଟ କରୁଥିଲେ। ଧରମ ଭାଇ-ଭଉଣୀ ଗ୍ୟାଙ୍ଗ୍‌ ନାଁରେ ପରିଚିତ ଏହି ଗ୍ୟାଙ୍ଗ୍‌ ଶେଷରେ ଖଣ୍ଡଗିରି ପୋଲିସ ହାତରେ ଧରାପଡିଛି। ପୋଲିସ ଗ୍ୟାଙ୍ଗ୍‌ର ପ୍ରିୟଙ୍କା ମହାନ୍ତି (୨୪), ରାହୁଲ ମହାନ୍ତି (୧୯) ଓ ନାରାୟଣ ଜେନାଙ୍କ ସହ ଜଣେ ନାବାଳଙ୍କୁ ଧରି ସେମାନଙ୍କଠାରୁ ୨ଟି ଖଣ୍ଡା, ଗୋଟିଏ ଛୁରୀ, ୩ଟି ବାଇକ୍‌, ୮ ମୋବାଇଲ୍‌ ଫୋନ୍‌ ଆଦି ବିଭିନ୍ନ ସାମଗ୍ରୀ ଜବତ କରିଛି। ଏନେଇ ଏକ ମାମଲା ରୁଜୁ କରାଯାଇ ଲେଡି ଲୁଟେରାଙ୍କ ସମେତ ୩ଜଣଙ୍କୁ କୋର୍ଟ ଚାଲାଣ କରିଥିବାବେଳେ ନାବାଳକଙ୍କୁ ସୁଧାର ଗୃହକୁ ପଠାଇ ଦିଆଯାଇଛି।
ପୋଲିସ ସୂଚନାନୁସାରେ, ସମସ୍ତ ଅଭିଯୁକ୍ତଙ୍କ ଘର ଗଞ୍ଜାମ ଜିଲା ପୋଲସରା ଥାନା ଅଞ୍ଚଳରେ। ସେମାନେ ଭରତପୁର ତାରିଣୀ ମାର୍କେଟ ପଛପାର୍ଶ୍ୱରେ ଥିବା ପ୍ଲଟ ନଂ.୨୪୧୭ରେ ରହୁଥିଲେ। ଗିରଫ ନାରାୟଣଙ୍କ ନାମରେ ଭୁବନେଶ୍ୱରର ବିଭିନ୍ନ ଥାନାରେ ୨୧ ମାମଲା ରହିଛି। ରାହୁଲ ଓ ସମ୍ପୃକ୍ତ ନାବାଳକଙ୍କ ନାମରେ ୩ଟି ଲେଖାଏ ମାମଲା ରହିଛି। ପ୍ରିୟଙ୍କା କେଉଁସବୁ ଅପରାଧରେ ସମ୍ପୃକ୍ତ ଅଛନ୍ତି ତାହା ଖୋଳତାଡ଼ କରୁଛି ପୋଲିସ। ଏହି ଗ୍ୟାଙ୍ଗ ଗତ ୮ ତାରିଖ ଭୋର୍‌ ପ୍ରାୟ ୪ଟା ୨୦ରେ ବରମୁଣ୍ଡାର ସନ୍ତୋଷ କୁମାର ପଣ୍ଡାଙ୍କୁ ଛୁରି ଦେଖାଇ ମନି ପର୍ସ ଓ ମୋବାଇଲ ଫୋନ୍‌ ଲୁଟି ନେଇଥିଲେ। ସେହିଦିନ ସକାଳେ ସୌଭାଗ୍ୟନଗର ପୂର୍ଣ୍ଣଚନ୍ଦ୍ର ସାହୁଙ୍କଠାରୁ ମୋବାଇଲ ଓ ମନିପର୍ସ ଲୁଟି ନେଇଥିଲେ। ସେହିପରି କଳିଙ୍ଗ ଷ୍ଟୁଡିଓ ରୋଡ୍‌ରେ ନ୍ତୋଷ ନାୟକଙ୍କଠାରୁ ଲୁଟପାଟ କରିଥିଲେ। ଲୁଟ ସାମଗ୍ରୀକୁ ଭରତପୁରରେ ରହୁଥିବା ପ୍ରିୟଙ୍କାଙ୍କ ଘରେ ଲୁଚାଇ ରଖୁଥିଲେ। ଏହାକୁ ପରେ ପ୍ରିୟଙ୍କା ଚୋରାରେ କମ୍‌ ମୂଲ୍ୟରେ ଲୋକଙ୍କୁ ବିକ୍ରି କରୁଥିଲେ। ମଙ୍ଗଳବାର ରାତିରେ ଏହି ଗ୍ୟାଙ୍ଗର ୩ଜଣ ସଦସ୍ୟ ବାଇକ ନେଇ ଲୁଟ କରିବାକୁ ଯାଉଥିବାବେଳେ ଭରତପୁରରେ ଚେକିଂ କରୁଥିବା ପୋଲିସ ହାତରେ ଧରାପଡିଥିଲେ। ସେମାନଙ୍କୁ ଥାନାକୁ ନିଆଯାଇ ପଚରାଉଚରା ପରେ ଗ୍ୟାଙ୍ଗ୍‌ ସମ୍ପର୍କରେ ପୋଲିସ ସୁରାକ ପାଇଥିଲା। ପରେ ପୋଲିସ ପ୍ରିୟଙ୍କାକୁ ଗିରଫ କରିବା ସହ ତାଙ୍କ ଘରୁ ଚୋରି ସାମଗ୍ରୀ ଆଦି ଜବତ କରିଥିଲା।