ଦେଢ଼ଶୁରଙ୍କୁ କୋଡ଼ିରେ ହାଣି ହତ୍ୟା କଲେ ଭାଇବୋହୂ; ପ୍ରତିଶୋଧ ନେବା ପାଇଁ…

ଜଗନ୍ନାଥପ୍ରସାଦ,୪ା୭(ଡି.ଏନ.ଏ.): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ପଞ୍ଚଭୂତି ବେଢାସାହି ଗ୍ରାମରେ ଶନିବାର ସମ୍ପତ୍ତି ଭାଗବଣ୍ଟାକୁ ନେଇ ଏକ ହତ୍ୟାକାଣ୍ଡ ଘଟିଛି। ଭାଇବୋହୂ କୋଡ଼ିରେ ହାଣି ଦେଢ଼ଶୁରଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ସନ୍ତୋଷ ନାୟକ (୩୮)। ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏ ନେଇ ନଂ. ୨୨୨/୨୧ରେ ହତ୍ୟା ମାମଲା ରୁଜୁ କରି ପୋଲିସ ତଦନ୍ତ ଚଳାଇଛି। ପ୍ରକାଶ ଯେ, ସନ୍ତୋଷଙ୍କ ସାନ ଭାଇ ଭଗବାନଙ୍କର ପାଞ୍ଚ ବର୍ଷ ପୂର୍ବେ ଏକ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା ସହାୟତା ରାଶି ମିଳିଥିଲା। ଏହି ଟଙ୍କା ନେଇ ଭଗବାନଙ୍କ ସ୍ତ୍ରୀ ନିଜ ବାପା ଘରକୁ ଚାଲିଯାଇଥିଲେ। ଏଥିପାଇଁ ସନ୍ତୋଷଙ୍କ ପରିବାରରେ ସବୁବେଳେ ଅସନ୍ତୋଷ ଲାଗି ରହିଥିଲା। ଶନିବାର ସକାଳେ ସନ୍ତୋଷଙ୍କ ଏକ ଜାଗାକୁ ସାନ ଭାଇର ଶ୍ୱଶୁର ଆସି ସଫା କରୁଥିଲେ। ଆମ ଜାଗା କାହିଁ ସଫା କରୁଛ ବୋଲି ସନ୍ତୋଷ ପଚାରି ତାଙ୍କୁ ମାଡ଼ ମାରିଥିଲେ। ଏହାର ପ୍ରତିଶୋଧ ନେବା ପାଇଁ ଭାଇବୋହୂ ନିଜ ବାପା, ମା’ ଓ ତିନି ଭାଇ ସହ ଦେଢ଼ଶୁରଙ୍କ ପାଖକୁ ଆସି ଜମି ଭାଗ ମାଗିଥିଲେ। ଏହାକୁ ନେଇ ଉଭୟ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ପରେ ଭାଇ ବୋହୂ ଏକ କୋଡ଼ିରେ ସନ୍ତୋଷଙ୍କୁ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।