ମହାକାଳପଡ଼ା, ୧୩ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ଖରିନାସି ଗ୍ରାମର ମନୋରଞ୍ଜନ ଗିରିଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରିବା ଘଟଣାରେ ପୋଲିସ ତାଙ୍କ ଶାଳକ ନାରାୟଣ ମାନ୍ନାଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି।
ସୂଚନା ଅନୁସାରେ, ମନୋରଞ୍ଜନ ଜମ୍ବୁ ଗ୍ରାମର ସାରଥି ମାନ୍ନାଙ୍କୁ ୧୪ ବର୍ଷ ତଳେ ବିବାହ କରିଥିଲେ। ସେମାନଙ୍କର ଦୁଇଟି ପିଲା ଅଛନ୍ତି। ହେଲେ ପ୍ରାୟ ସମୟରେ ଉଭୟଙ୍କ ମଧ୍ୟରେ ଝଗଡ଼ା ଲାଗି ରହୁଥିଲା। ସ୍ତ୍ରୀଙ୍କୁ ପ୍ରାୟ ସମୟରେ ମାଡ଼ ମାରିବା ସହ ମାରିଦେବା ପାଇଁ ମନୋରଞ୍ଜନ ଧମକ ଦେଉଥିବା ଅଭିଯୋଗ ହେଉଥିଲା। ଫଳରେ ଦେଢ଼ବର୍ଷ ହେଲା ସାରଥି ନିଜ ବାପଘର ଜମ୍ବୁରେ ରହିଥିଲେ। କିଛି ମାସ ପୂର୍ବରୁ ଉଭୟଙ୍କ ମଧ୍ୟରେ ଆପୋସ ସମାଧାନ ହୋଇ ସାରଥି ଖରିନାସି ଆସି ଶାଶୁଘରକୁ ଫେରିଥିଲେ। ଦୁଇ ଦିନ ପୂର୍ବରୁ ସାରଥିଙ୍କୁ ସ୍ବାମୀ ମନୋରଞ୍ଜନ ମାଡ଼ ମାରିବା ସହ ଗୋଡ଼ହାତ ବାନ୍ଧି ଡିଜେଲ ଢାଳି ନିଆଁ ଲଗାଇବା ପାଇଁ ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା। ଖବର ପାଇ ବାପଘର ଲୋକ ଓ କେତେଜଣ ପଡ଼ୋଶୀ ସଂଘବଦ୍ଧ ଭାବେ ଆସି ମନୋରଞ୍ଜନଙ୍କୁ ଘରୁ ଘୋଷାଡ଼ି ଆଣି ବିଚ୍ରାସ୍ତାରେ ହାତ ବାନ୍ଧି ମାଡ଼ ମାରିଥିଲେ। ଏହା ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା। ଉଭୟ ସ୍ତ୍ରୀ ଓ ସ୍ବାମୀ ଆହତ ହୋଇ କେନ୍ଦ୍ରାପଡ଼ା ଜିଲା ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ପୃଥକ୍ ଅଭିଯୋଗକୁ ଭିତ୍ତିକରି ପୋଲିସ ମାମଲା(ନଂ.୮୧/ ୨୬, ୮୨/୨୬) ରୁଜୁ କରିଥିଲା।