Categories: ଖେଳ

ଭାରତକୁ ବ୍ରୋଞ୍ଜ ପଦକ

ଭୁବନେଶ୍ୱର, ୨୩।୮(କ୍ରୀଡ଼ା ପ୍ରତିନିଧି): ଇରାନର ତେହେରାନ୍‌ଠାରେ ଅନୁଷ୍ଠିତ ୧୪ତମ ଏସିଆନ ୧୮ ବର୍ଷରୁ କମ୍‌ ପୁରୁଷ ଭଲିବଲ ଟୁର୍ନାମେଣ୍ଟରେ ଭାରତୀୟ ଦଳ ବ୍ରୋଞ୍ଜ ପଦକ ହାସଲ କରିଛି। ସୋମବାର ଅନୁଷ୍ଠିତ ପ୍ଲେ-ଅଫ୍‌ରେ ଭାରତ ୧୯୯୯ ମସିହାର ଚାମ୍ପିୟନ ଏବଂ ଗତ ସଂସ୍କରଣର ରୌପ୍ୟ ପଦକ ବିଜେତା କୋରିଆକୁ ୩-୨ ସେଟ୍‌ରେ ପରାସ୍ତ କରିଛି। ତୀବ୍ର ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ କୋରିଆ କଡ଼ା ଚ୍ୟାଲେଞ୍ଜ ଦେଇଥିଲେ ହେଁ ଭାରତ ୨୫-୨୦, ୨୫-୨୧, ୨୬-୨୮, ୧୯-୨୫ ଓ ୧୫-୧୨ରେ ବିଜୟୀ ହୋଇଥିଲା। ଭାରତ ପକ୍ଷରୁ ଆଶିଷ ସ୍ବାଇଁ, ଆର୍ଯ୍ୟନ ବଳିୟାନ, ଖୁସ୍‌ ସିଂ ଓ କାର୍ତ୍ତିକ ଶର୍ମା ଆକର୍ଷଣୀୟ ପ୍ରଦର୍ଶନ କରି କୋରିଆକୁ ଚକ୍‌ମା ଦେଇଥିଲେ। ପ୍ରତିଯୋଗିତାର ପ୍ରାରମ୍ଭିକ ଲିଗ୍‌ ପର୍ଯ୍ୟାୟରେ ମଧ୍ୟ ଭାରତ ପ୍ରତିପକ୍ଷ କୋରିଆକୁ ପରାସ୍ତ କରିଥିଲା। ସେମିଫାଇନାଲରେ ଇରାନଠାରୁ ହାରିଯିବା ଫଳରେ ଭାରତ ଅଳ୍ପକେ ଫାଇନାଲ ପ୍ରବେଶରୁ ବଞ୍ଚତ୍ତ ହୋଇଥିଲା। ଭାରତଠାରୁ ହାରିବା ଫଳରେ କୋରିଆକୁ ୪ର୍ଥ ସ୍ଥାନ ମିଳିଥିବାବେଳେ ଗତ ଚାମ୍ପିୟନଶିପ୍‌ର ଦୃଢ଼ ଦାବିଦାର ଚାଇନା ଏଥର ୫ମ ସ୍ଥାନରେ ସନ୍ତୁଷ୍ଟ ରହିଥିଲା। ଚାଇନିଜ୍‌ ତାଇପେକୁ ୬ଷ୍ଠ ସ୍ଥାନ ମିଳିଥିଲା। ଇରାନ ଓ ଜାପାନ ମଧ୍ୟରେ ଟାଇଟଲ ମୁକାବିଲା ହୋଇଥିଲା। ଭଲିବଲ ଫେଡେରେଶନ ଅଫ୍‌ ଇଣ୍ଡିଆ (ଭିଏଫ୍‌ଆଇ) ସଭାପତି ତଥା ଏମ୍‌ପି ଅଚ୍ୟୁତ ସାମନ୍ତ ବ୍ରୋଞ୍ଜ ପଦକ ବିଜୟୀ ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରକାଶ ଯୋଗ୍ୟ, ଭାରତ ଏହାର ପ୍ରଥମ ମ୍ୟାଚ୍‌ରେ ଜାପାନଠାରୁ ହାରିଯାଇଥିଲେ ହେଁ ପରେ ଥାଇଲାଣ୍ଡକୁ ହରାଇ ସଫଳ ପ୍ରତ୍ୟାବର୍ତ୍ତନ କରିଥିଲା। ଏହାପରେ କୋରିଆକୁ ୩-୦ ଏବଂ ଚାଇନିଜ ତାଇପେକୁ ୩-୧ ସେଟ୍‌ରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଥିଲା। ଏଥିସହ ଭାରତ ୨୦୨୩ ଏଫ୍‌ଆଇଭିବି (ଅନ୍ତର୍ଜାତୀୟ ଭଲି ବଲ ଫେଡେରେଶନ) ପୁରୁଷ ୧୯ ବର୍ଷରୁ କମ୍‌ ବିଶ୍ୱ ଚାମ୍ପିୟନଶିପ୍‌ ପାଇଁ ଯୋଗ୍ୟତା ଅର୍ଜନ କରିଥିଲା।

Share