Categories: ଜାତୀୟ

ଫେଲ ମାରିଲା ପାଣିପାଗ ବିଭାଗ

ଚେନ୍ନାଇ,୯।୧୧: ଗତ ୬ ତାରିଖ ରାତିରେ ଚେନ୍ନାଇରେ ୨୦ ସେଣ୍ଟିମିଟର ବର୍ଷା ହୋଇଥିଲା। ୨୦୧୫ ବନ୍ୟା ପରେ ଏଭଳି ବର୍ଷା ଦେଖି ନ ଥିଲା ଚେନ୍ନାଇ। ତେବେ ବନ୍ୟାର କ୍ଷୟକ୍ଷତିକୁ ରୋକାଯାଇ ପାରିଥାନ୍ତା। ମାତ୍ର ସ୍ଥାନୀୟ ପାଣିପାଗ ବିଭାଗର ଆକଳନ ହିଁ ଫେଲ୍‌ ମାରିଥିଲା। ଏହାର କାରଣ ଭଙ୍ଗା ରାଡାର ଓ ଆଉଟ୍‌ ଡେଟେଡ୍‌ ଓ୍ବେଦର ପ୍ରିଡିକଶନ ସିଷ୍ଟମ। ଏଥିସହ ସହରରେ ୨୪ ଘଣ୍ଟା ମଧ୍ୟରେ କେତେ ବର୍ଷା ହେବ ତାହାର ସଠିକ୍‌ ଆକଳନ କରିପାରି ନ ଥିଲା।

ଚେନ୍ନାଇର ପାଣିପାଗ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ, ଚେନ୍ନାଇ ଓ କାରାଇକାଲଠାରେ ଥିବା ଦୁଇଟି ରାଡାରରେ ୬ ତାରିଖରେ କାମ ଚାଲିଥିଲା। ଉଭୟ ରାଡାର ପର ଦିନ କେତେ ପରିମାଣର ବର୍ଷା ହେବ, ତାହା ଆକଳନ କରିବା ଅବସ୍ଥାରେ ନ ଥିଲା। କିନ୍ତୁ ସବୁଠୁ ବଡ଼ ସମସ୍ୟା ହେଲା, ପୁରୁଣା ଓ ବେକାର ରାଡାର। ଏଥିଯୋଗୁ ଆମକୁ ଗୋଟିଏ ସିଷ୍ଟମ ଉପରେ ନିର୍ଭର କରିବାକୁ ପଡ଼ୁଛି। ପାଣିପାଗ ଆକଳନ ପାଇଁ ଦୁଇ ପ୍ରକାର (ନାଓକାଷ୍ଟିଂ ଓ ଫୋରକାଷ୍ଟିଂ) ଟେକନିକ୍‌ ବ୍ୟବହାର କରାଯାଏ। ନାଓକାଷ୍ଟିଂ ଟେକନିକ୍‌ରେ ପବନର ବେଗ ଓ ଦିଗକୁ ନେଇ ଆଗାମୀ ୬ ଘଣ୍ଟା ମଧ୍ୟରେ ହେବାକୁ ଥିବା ପାଣିପାଗରେ ପରିବର୍ତ୍ତନର ଆକଳନ କରାଯାଏ। ସେହିଭଳି ଲମ୍ବା ସମୟ ପରେ ପାଣିପାଗରେ ହେବାକୁ ଥିବା ପରିବର୍ତ୍ତନ ଜାଣିବା ପାଇଁ ଫୋରକାଷ୍ଟିଂର ବ୍ୟବହାର ହୁଏ। ନାଓକାଷ୍ଟିଂ ପାଇଁ ଡପଲର ଓ୍ବେଦର ରାଡାର ସିଷ୍ଟମ ଓ ସାଟେଲାଇଟ୍‌ ଫଟୋକୁ ନେଇ ପାଗରେ ପରିବର୍ତ୍ତନ ଆକଳନ କରାଯାଏ।

୬ ତାରିଖରେ ଉତ୍ତର ତାମିଲନାଡୁର ଉପକୂଳ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଚେତାବନୀ ଜାରି କରିଥିଲା ସ୍ଥାନୀୟ ପାଣିପାଗ ବିଭାଗ। ଏହାପରେ ମୁଖ୍ୟମନ୍ତ୍ରୀ ଏମ୍‌ କେ ଷ୍ଟାଲିନଙ୍କ ନେତୃତ୍ୱରେ ବନ୍ୟା ମୁକାବିଲା ଲାଗି ବୈଠକ ବସିଥିଲା। ରାଜ୍ୟର ଉତ୍ତର ଉପକୂଳରେ ୧୪ ଜିଲା ରହିଛି। କିନ୍ତୁ ବନ୍ୟା ପାଇଁ ପାଣିପାଗ ବିଭାଗ ପକ୍ଷରୁ ପୂରା ରାଜ୍ୟରେ ରେଡ୍‌ ବଦଳରେ ଅରେଞ୍ଜ ଓ୍ବାର୍ନିଂ ଜାରି କରିଥିଲା। କେଉଁ ଅଞ୍ଚଳରେ ସର୍ବାଧିକ ବର୍ଷା ହୋଇପାରେ ତାହା ମଧ୍ୟ ଦର୍ଶାଯାଇ ନ ଥିଲା।

Share