ବ୍ରଏଲର କୁକୁଡ଼ା ଚାଷୀ ପ୍ରତିନିଧି, ଇଣ୍ଟିଗ୍ରେଟର କମ୍ପାନୀ ଆଲୋଚନା ସ୍ଥଗିତ

ଭୁବନେଶ୍ୱର,୯।୧୦(ବ୍ୟୁରୋ): ଚୁକ୍ତିଭିତ୍ତିକ ବ୍ରଏଲର କୁକୁଡ଼ା ଚାଷୀଙ୍କ ପ୍ରତିନିଧି ଏବଂ ଇଣ୍ଟିଗ୍ରେଟର କମ୍ପାନୀ ପ୍ରତିନିଧିଙ୍କ ସହିତ ଅକ୍ଟୋବର ୧୦ରେ କୃଷି ଭବନଠାରେ ହେବାକୁ ଥିବା ଆଲୋଚନାକୁ ସ୍ଥଗିତ ରଖାଯାଇଛି। ଏ ନେଇ କୃଷି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗତ ୧ ତାରିଖରେ କୃଷି ଓ କୃଷକ ସଶକ୍ତୀକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଉପସ୍ଥିତିରେ କୃଷି ଭବନଠାରେ ବ୍ରଏଲର କୁକୁଡ଼ାଚାଷୀ ଏବଂ ଇଣ୍ଟିଗ୍ରେଟର କମ୍ପାନୀମାନଙ୍କ ମଧ୍ୟରେ କୁକୁଡ଼ାଚାଷୀଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା। ପରବର୍ତ୍ତୀ ଆଲୋଚନା ଅକ୍ଟୋବର ୧୦ ତାରିଖରେ ହେବାର ଥିଲା କିନ୍ତୁ ବିଭାଗୀୟ ମନ୍ତ୍ରୀ ଓ ସଚିବଙ୍କ ଜରୁରୀ କାର୍ଯ୍ୟକ୍ରମ ଯୋଗୁ ଆସନ୍ତା ସୋମବାର କୃଷି ଭବନଠାରେ ହେବାକୁ ଥିବା ଆଲୋଚନାକୁ ସ୍ଥଗିତ ରଖାଯାଇଛି।