ଓଡ଼ିଶାରେ ବ୍ରିଟେନ ଷ୍ଟ୍ରେନ୍‌

ଭୁବନେଶ୍ୱର, ୨୫।୩(ବ୍ୟୁରୋ):ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏ ପରିସ୍ଥିତିରେ ଓଡ଼ିଶାରେ ବ୍ରିଟେନ ଷ୍ଟ୍ରେନ୍‌ ଚିହ୍ନଟ ହୋଇଥିବା ଜଣାପଡିବା ପରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି। ଦେଶର ୧୮ ରାଜ୍ୟରେ କରୋନାର ୭୭୧ ଷ୍ଟ୍ରେନ୍‌ ଚିହ୍ନଟ ହୋଇଛି। ୭୩୭ ବ୍ରିଟେନ ଷ୍ଟ୍ରେନ୍‌, ୩୪ ଦକ୍ଷିଣ ଆଫ୍ରିକା ଷ୍ଟ୍ରେନ୍‌ ଓ ଗୋଟିଏ ବ୍ରାଜିଲ ଷ୍ଟ୍ରେନ ରହିଛି। ଏଥିମଧ୍ୟରୁ ଓଡ଼ିଶାରେ ୩ ବ୍ରିଟେନ ଷ୍ଟ୍ରେନ୍‌ ଚିହ୍ନଟ ହୋଇଥିବା ସଂକ୍ରାନ୍ତରେ ବୁଧବାର ନ୍ୟାଶନାଲ ସେଣ୍ଟର ଫର୍‌ ଡିଜିଜ୍‌ କଣ୍ଟ୍ରୋଲ ନିର୍ଦ୍ଦେଶକ ଏସ୍‌.କେ. ସିଂହ ସୂଚନା ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ସୂଚନା ମିଳିବା ପରେ ରାଜ୍ୟରେ ଭାଳେଣି ପଡ଼ିଛି। ତେବେ ଏହାକୁ ନେଇ ସ୍ବାସ୍ଥ୍ୟ ବିଭାଗର କାର୍ଯ୍ୟଧାରା ଲୋକଙ୍କ ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି। ଓଡ଼ିଶାରେ ବ୍ରିଟେନ ଷ୍ଟ୍ରେନ୍‌ ସମ୍ପର୍କରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି, ଯେଉଁ ୩ ବ୍ରିଟେନ ଷ୍ଟ୍ରେନ୍‌ ଚିହ୍ନଟ ହୋଇଛି ତାହା ଆମେ ଜାଣିଥିଲୁ। ଗତ ଡିସେମ୍ବରରୁ ଆମ ପାଖରେ ଖବର ଥିଲା। ବ୍ରିଟେନ୍‌ ଫେରନ୍ତାଙ୍କ ପାଖରେ ଏହି ଷ୍ଟ୍ରେନ୍‌ ରହିଥିଲା। ଆଇସିଏମ୍‌ଆର୍‌ରେ ଜିନୋମ୍‌ ସିକ୍ୱେନ୍ସିଂବେଳେ ଏହା ଜଣାପଡ଼ିଥିଲା। ତେବେ ଲୋକେ ଭୟଭୀତ ହେବେ ବୋଲି ପ୍ରକାଶ କରାଯାଇ ପାରୁ ନ ଥିଲା। ଏବେ ବି ଲୋକେ ଭୟଭୀତ ନ ହେବା ପାଇଁ ସେ ପରାମର୍ଶ ଦେଇଛନ୍ତି। ତେବେ ୪ ମାସ ହେବ ଏଭଳି ଏକ ସ୍ପର୍ଶକାତର ସୂଚନାକୁ ସ୍ବାସ୍ଥ୍ୟ ବିଭାଗ ଲୁଚାଇ ରଖିଥିବାରୁ ଏବେ ନାନା ପ୍ରଶ୍ନ ଉଠୁଛି।
ସେପଟେ କୋଭିଶିଲ୍ଡ ଟିକାର ଦ୍ୱିତୀୟ ଡୋଜ୍‌ କିପରି ନିଆଯିବ, ସେଥିପାଇଁ ରାଜ୍ୟ ସରକାର ନୂଆ ମାର୍ଗଦର୍ଶିକା ଜାରି କରିଛନ୍ତି। ବୁଧବାର ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସମସ୍ତ ଜିଲାପାଳ, ମହାନଗର କମିଶନର, ସମସ୍ତ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଚିଠି ଲେଖିଛନ୍ତି। ପୂର୍ବରୁ କୋଭିଶିଲ୍ଡ ପ୍ରଥମ ଡୋଜ୍‌ର ୪ରୁ ୬ ସପ୍ତାହ ପରେ ୨ୟ ଡୋଜ୍‌ ନେବା ନିୟମ ଥିଲା। ଏବେ କିନ୍ତୁ ୪ରୁ ୮ ସପ୍ତାହ ମଧ୍ୟରେ ୨ୟ ଡୋଜ୍‌ ନେବାକୁ ନିୟମ କରାଯାଇଛି। ଏନେଇ ଜନସଚେତନତା ସୃଷ୍ଟି କରିବାକୁ କୁହାଯାଇଛି।