ବାହାରିଆ ପ୍ରାର୍ଥୀ କହି ହେଉଛି ବିରୋଧ

ବ୍ରଜରାଜନଗର,୭ା୪(ବିଜୟ ବରାଡ଼): ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀ ସକାଶେ ୩ ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇସାରିଛି। ତିନି ଦଳର କର୍ମୀଙ୍କୁ ବାଦ୍‌ ଦେଲେ ଅନ୍ୟ କେତେକ ସଚେତନ ନାଗରିକ ତିନି ପ୍ରାର୍ଥୀଙ୍କୁ ବାହାରିଆ କହି ବିରୋଧ କରିବା ଆରମ୍ଭ କରିଦେଲେଣି। ଏପରି କି ପୋଷ୍ଟର ଲଗାଇ ବିରୋଧ ପ୍ରଦର୍ଶନ କଲେଣି। ଏହାକୁ ନେଇ ବ୍ରଜରାଜନଗର ରାଜନୀତି ସରଗରମ ହୋଇଉଠିଛି।

ଏଠାରେ ଭାଜପାରୁ ପ୍ରାର୍ଥୀ ହୋଇଥିବା ସୁରେଶ ପୂଜାରୀ ହେଉଛନ୍ତି ସମ୍ବଲପୁରର। ୨୦୧୯ରେ ସେ ଏମ୍‌ପି ପ୍ରାର୍ଥୀ ଭାବେ ବିଜୟୀ ହୋଇଥିବା ବେଳେ ବ୍ରଜରାଜନଗରରୁ ୯୦ହଜାରରୁ ଊର୍ଦ୍ଧ୍ୱ ଭୋଟ ପାଇଥିଲେ। ହେଲେ ବିଗତ ୫ବର୍ଷ ଭିତରେ ଅଞ୍ଚଳରେ ସେଭଳି କୌଣସି ଆଖିଦୃଶିଆ କାମ ହୋଇ ନ ଥିବାରୁ ତାଙ୍କୁ ଲୋକଙ୍କ ଆକ୍ରୋଶର ଶିକାର ହେବାକୁ ପଡିପାରେ ବୋଲି ବୁଦ୍ଧିଜୀବୀମାନେ ମତ ଦିଅନ୍ତି।

ସେହିପରି କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା କିଶୋର ପଟେଲଙ୍କ ଘର ସୁନ୍ଦରଗଡ଼ରେ। ସେ ନିର୍ବାଚନ ସମୟ ଆସିଲେ ନର୍ଦ୍ଦିଷ୍ଟ କେତେଜଣ ଲୋକଙ୍କୁ ସାଥିରେ ଧରି ପ୍ରଚାର କରନ୍ତି ବୋଲି ଚା ଖଟିରେ ଆଲୋଚନା ହେଉଛି। ଅନ୍ୟପକ୍ଷେ ସାଧାରଣ ଭୋଟରଙ୍କ ଦ୍ୱାରା ସେ କେତେ ଗ୍ରହଣୀୟ ହୋଇପାରିବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ସେହିପରି ଶାସକ ଦଳର ପ୍ରାର୍ଥତ୍ନୀ ଅଳକା ମହାନ୍ତି ଝାରସୁଗୁଡାର ବାସିନ୍ଦା। ତାଙ୍କ ସ୍ବାମୀ ସ୍ବର୍ଗତ କିଶୋର ମହାନ୍ତିଙ୍କ ଝାରସୁଗୁଡା ଓ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀ ବିକାଶରେ ପ୍ରମୁଖ ଭୂମିକା ରହିଥିଲା। ହେଲେ ପ୍ରାର୍ଥୀମାନଙ୍କୁ ବିରୋଧ କରି ବ୍ରଜରାଜନଗର ଅଞ୍ଚଳର କେତେଜଣ ଯୁବଭୋଟର ଗୋବ୍ୟାକ ବ୍ୟାନର ଲଗାଇ ବିରୋଧ ପ୍ରଦର୍ଶନ କରୁଛନ୍ତି। ତେବେ ନାମାଙ୍କନ ସମୟ ଆଗକୁ ଥିବାରୁ ଏହି ବିରୋଧ ପ୍ରଦର୍ଶନକାରୀଙ୍କ ଆଭିମୁଖ୍ୟ କ’ଣ ରହିବ ତାହା ସେତେବେଳେ ଜଣାପଡିବ ବୋଲି ଏଠାରେ ଆଲୋଚନା ଚାଲିଛି।