ପେତିଙ୍କ ମୁହଁରେ ଫୁଟିଲା ହସ, ଭତ୍ତା ପାଇବା ପରେ ବିଡିଓଙ୍କୁ ଆଶୀର୍ବାଦ ଦେଇ କହିଲେ…

ମହାକାଳପଡ଼ା,୨୭ା୧୧(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜନଜାତି ବହୁଳ ଶବରପଡ଼ାଠାରେ ପେତି ଭକ୍ତା (୮୨)ଙ୍କୁ ସ୍ବାମୀ ମରିବାର ୩୦ ବର୍ଷ ପରେ ବିଧବା କି ବାର୍ଦ୍ଧକ୍ୟ ଭତ୍ତା ମିଳି ନ ଥିଲା। ଭତ୍ତା ପାଇବା ପାଇଁ ବୃଦ୍ଧା ଜଣକ ବିଗତ ଦିନରେ ପ୍ରଶାସନ ନିକଟରେ ନେହୁରା ହୋଇ ଭାଗ୍ୟକୁ ଆଦରି ଭଙ୍ଗା ଝୁମ୍ପୁଡ଼ି ଭିତରେ ଭବିଷ୍ୟତର ଅବଶିଷ୍ଟ ଜୀବନ ଜିଇଁବା ପାଇଁ ସଂଗ୍ରାମ କରିଥିଲେ।

ଏ ନେଇ ପୂର୍ବରୁ ଧରିତ୍ରୀରେ ଖବର ପ୍ରସାରିତ ହୋଇଥିଲା। ସୋମବାର ବ୍ଲକ ପ୍ରଶାସନ ପେତିଙ୍କ ସମସ୍ତ ସରକାରୀ ପ୍ରମାଣପତ୍ର ଯାଞ୍ଚ ପରେ ଶୁକ୍ରବାର ବିଡିଓ ମନୋଜ କୁମାର ନାୟକ ପହଞ୍ଚି ସାଢ଼େ ତିନି ହଜାର ଟଙ୍କା ଆର୍ଥିକ ରାଶି ପ୍ରଦାନ କରିଥିଲେ।

ଏ ନେଇ ପେତି କହିଛନ୍ତି,ବାବୁରେ ମୋର ଶେଷ ଜୀବନରେ ଏ ହେଉଛି ସମ୍ବଳ। ତୋତେ ଈଶ୍ୱର କୋଟି ପରମାୟୁ ଦିଅନ୍ତୁ ବୋଲି କହି ପେତିଙ୍କ ଆଖିରୁ ଆନ୍ଦନର ଅଶ୍ରୁ ଝରି ପଡ଼ିଥିଲା। ଏହି କାର୍ଯ୍ୟକ୍ରମରେ ବ୍ଲକ ସାମାଜିକ ଅଧିକାରୀ ଦୀପକ କୁମାର ପରିଡ଼ା, ସରପଞ୍ଚ ପ୍ରସନ୍ନ କୁମାର ବେହେରା, ନିର୍ବାହୀ ଅଧିକାରୀ ହୃଷୀକେଶ ସେଠୀ, ରମେଶ ଭକ୍ତା, ଗାଁ ମୁରବୀ ଅନନ୍ତ ମଲିକଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

Share