ପୁରୁଷୋତ୍ତମପୁର,୨୮ା୯(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ପୂର୍ତ୍ତବିଭାଗର ବେପରୁଆ ଓ ଖାମଖିଆଲି ମନୋଭାବ ଯୋଗୁ ଜନସାଧାରଣ ହନ୍ତସନ୍ତ ହେଉଛନ୍ତି। ଯାହା ଚିନ୍ତାର ବିଷୟ ପାଲଟିଛି। ବ୍ରହ୍ମପୁର ଓ ପୁରୁଷୋତ୍ତମପୁରକୁ ସଂଯୋଗ କରୁଥିରା ମୁଖ୍ୟରାସ୍ତା (ଏନ୍ଏଚ୍ ୩୨)ର ପାଣ୍ଡିଆଛକ ନିକଟରେ ଥିବା ଋଷିକୂଲ୍ୟା ନଦୀ ଉପରେ ରହିଥିବା ତିନିଶହ ମିଟର ବିଶିଷ୍ଟ ବ୍ରିଜର୍ ସାଇଡ୍ ପାରାଫିଟ୍ ଓ ଜଏଣ୍ଟ ମରାମତି କାର୍ଯ୍ୟ ଗତମାର୍ଚ୍ଚ ମାସରୁ ଆରମ୍ଭ ହୋଇଥିଲେ ମଧ୍ୟ ଏଯାବତ ଶେଷହୋଇନାହିଁ। ଏହି କାର୍ଯ୍ୟକୁ ଦିଲ୍ଲୀର ହରକୁଲାସଷ୍ଟ୍ରକଚର ସିଷ୍ଟମ ନାମକ ଠିକାସଂସ୍ଥା ନେଇଥିବା ବେଳେ ସେ କାର୍ଯ୍ୟ କରିବାରେ ତତ୍ପରତା ପ୍ରକାଶ କରି ଠିକ୍ ଭାବେ ଗୁରୁତ୍ୱ ଦେଇ କାର୍ଯ୍ୟ କରୁନାହିଁ। ବ୍ରିଜ୍ ଉପର ରାସ୍ତାଟି ଖୋଳି ଭାଙ୍ଗି ପକାଇଥିବା ସହ ସରଞ୍ଜାମ ମାନ ପକାଇ ରଖିଥିବା ହେତୁ ବ୍ରିଜ୍ ଉପରେ ଅବରୋଧ ଘଟୁଛି। ବ୍ରହ୍ମପୁରକୁ ସଂଯୋଗ ଲାଗି ଏହି ବ୍ରିଜଟି ମୁଖ୍ୟ ରାସ୍ତା ହୋଇଥିବାରୁ ଏହା ଉପରେ ପୁରୁଷୋତ୍ତମପୁର ବ୍ଲକ ସମେତ କବିସୂର୍ଯ୍ୟନଗର, ବେଗୁନିଆପଡ଼ା, ପୋଲସରା, ଖଲ୍ଲିକୋଟ, ଗଞ୍ଜାମ, ବୁଗୁଡ଼ା ଆଦି ବ୍ଲକ ଅଞ୍ଚଳର ଜନସାଧାରଣ ପ୍ରତ୍ୟହ ନିର୍ଭର କରୁଥିବାରୁ ହଜାର ହଜାର ଗାଡ଼ିମୋଟର ଚଳାଚଳ କରୁଛି।
ଅପରପକ୍ଷରେ ଏହି ବ୍ଲକ ଅଞ୍ଚଳର ରୋଗୀମାନେ ଚିକିତ୍ସା ଲାଗି ବ୍ରହ୍ମପୁର ବଡ଼ ମେଡିକାଲକୁ ଆମ୍ବୁଲାନ୍ସ ଯୋଗେ ଯାଉଥିବା ବେଳେ ଏହି ବ୍ରିଜ୍ରେ ରାସ୍ତା ଅବରୋଧ ଓ ଟ୍ରାଫିକ ସମସ୍ୟା ଯୋଗୁ ଦୀର୍ଘ ସମୟ ଧରି ଆମ୍ବୁଲାନ୍ସ ଅଟକି ରହୁଥିବା ହେତୁ ମେଡିକାଲରେ ପହଞ୍ଚି ନ ପାରି ରୋଗୀଙ୍କ ଅବସ୍ଥା ସଂକଟାପନ୍ନ ହୋଇପଡୁଛି। ଏଭଳି ସମସ୍ୟା ଏଠାରେ ଦୀର୍ଘ ଛଅମାସ ହେଲା ଲାଗି ରହିଥିଲେ ସୁଦ୍ଧା ଏଥିପ୍ରତି ପୂର୍ତ୍ତବିଭାଗ ଯନ୍ତ୍ରୀମାନେ ଆଦୌ ଗୁରୁତ୍ୱ ଦେଉନାହାନ୍ତି। ଯାହାକି ଠିକାସଂସ୍ଥା ଓ ଯନ୍ତ୍ରୀଙ୍କ ମଧ୍ୟରେ ସଲାସୁତରା ହୋଇ ଲୋକଙ୍କୁ ମରଣମୁହଁକୁ ପୂର୍ତ୍ତବିଭାଗ ଠେଲି ଦେଇଥିବାର ନେଇ ଲୋକେ ଅଭିଯୋଗ କରିଛନ୍ତି। ଏଣୁ ଏଥିପ୍ରତି ମୁଖ୍ୟମନ୍ତ୍ରୀ,ପୂର୍ତ୍ତବିଭାଗୀୟ ମନ୍ତ୍ରୀ ଓ ଗଞ୍ଜାମ ଜିଲାପାଳ ଦୃଷ୍ଟି ଦେଇ ତୁରନ୍ତ ପଦକ୍ଷେପ ନେବାକୁ ଜନସାଧାରଣ ଦାବି କରିଛନ୍ତି।


