କୋରାପୁଟ,୨ା୪(ଅମିତାଭ ବେହେରା): ଦୀର୍ଘ ୩ ବର୍ଷ ୭ ମାସର ପ୍ରତୀକ୍ଷା ପରେ ବୁଧବାର ଏନ୍ଏଚ୍-୩୨୬ର ବଙ୍ଗଳାଗୁଡା ପୋଲରେ ଯାତାୟାତ ସୱାଭାବିକ ହୋଇଛି। କୋରାପୁଟ ଜିଲା ବଙ୍ଗଳାଗୁଡ଼ା ନିକଟରେ ଚବେରୀ ନଦୀ ଉପରେ ନିର୍ମିତ ନୂତନ ପୋଲ ଉତ୍କଳ ଦିବସ ଅବସରରେ ବୁଧବାର ୧୨ଟାରୁ ଯାନବାହନ ଚଳାଚଳ ପାଇଁ ଖୋଲାଯାଇଛି।
ସୂଚନା ଥାଉକି, ଗତ ୨୦୨୨ ମସିହା ୧୭ ଅଗଷ୍ଟରେ ପୁରୁଣା ପୋଲ ଭୁଶୁଡ଼ି ପଡ଼ିଥିଲା। ଫଳରେ ପ୍ରାୟ ଏକ ମାସ ଧରି ଏହି ରାସ୍ତାରେ ଯାନଚଳାଚଳ ବନ୍ଦ ରହିଥିଲା। ପରେ ଭଙ୍ଗା ବ୍ରିଜ ପାର୍ଶରେ ଏକ ଅସ୍ଥାୟୀ ପୋଲ ର୍ନିମାଣ କରାଯାଇଥିଲା ଓ ଦୀର୍ଘ ୩ ବର୍ଷ ୬ ମାସ ଧରି ସେହି ପୋଲ ଉପରେ ଯାନଚଳାଚଳ ଚାଲିଥିଲା। ବର୍ଷା ଋତୁରେ ଚବେରୀ ନଦୀରେ ବନ୍ୟା ଆସିଲେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଫଳରେ ଯାତ୍ରୀମାନେ କାକିରୀଗୁମା-ଦାମନଯୋଡ଼ି ମାର୍ଗରେ ୪୦ରୁ ୫୦ କିମି ଅଧିକ ଦୂରତା ଅତିକ୍ରମ କରିବାକୁ ବାଧ୍ୟ ହୋଇଥିଲେ। ଏହାସହ ପୋଡ଼ାଗଡ଼-ଆଡମୁଣ୍ଡା-ବାଗ୍ରା ଛକ ମାର୍ଗରେ ୩୫ରୁ ୪୦ କିମି ଘୁଞ୍ଚି ଯିବାକୁ ପଡୁଥିଲା। ରାୟଗଡ଼ା, ବ୍ରହ୍ମପୁର, ଭୁବନେଶ୍ୱର ଓ କଟକ ଯାତ୍ରା ମଧ୍ୟ ଦୀର୍ଘ ହୋଇଯାଉଥିଲା। ନୂତନ ପୋଲ ଚାଲୁ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରି ଖେଳିଯାଇଛି।

