ବରଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ: ୭ ଜଣଙ୍କ ଜୀବନ ଗଲା, ୪ ଆହତ

ସମ୍ବଲପୁର ଅଫିସ,୩୧ା୩: ସମ୍ବଲପୁର ଜିଲା ଶାସନ ଥାନା ଅନ୍ତର୍ଗତ ପରମାଣପୁରକୁ ଝାରସୁଗୁଡ଼ାର ବଡ଼ଧରା ଗାଁରୁ ଏକ ବରଯାତ୍ରୀ ଦଳ ଆସିଥିଲେ। ବରଯାତ୍ରୀ ନାଚ, ଗୀତ ସାରି ଭୋଜି ଖାଇ ଘରକୁ ଫେରୁଥିଲେ। ତେବେ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା ଘଟି ୭ ଜଣଙ୍କ ଜୀବନ ଯାଇଛି। ଭାରସାମ୍ୟ ହରାଇ ଏକ ବୋଲେରୋ କେନାଲ ଭିତରକୁ ପଶିଯିବାରୁ ଏହି ଅଘଟଣ ଘଟିଛି। ଡ୍ରାଇଭର ଏକ ୟୁ ଟର୍ନ ରାସ୍ତା ଜାଣି ନ ପାରିବାରୁ ଗାଡ଼ିଟି ଏକ କେନାଲ ଭିତରକୁ ପଶିଯାଇଥିଲା। ଗାଡ଼ିରେ ମୋଟ୍‌ ୧୧ ଜଣ ରହିଥିଲେ। ଗାଡ଼ି ଭିତରୁ ବାହାରି ନ ପାରିବାରୁ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣଙ୍କର ଡାକ୍ତରଖାନାରେ ମୃତ୍ୟୁ ହୋଇଥିଲା। ୪ ଜଣ ଆହତ ହୋଇଛନ୍ତି। ଏବେ ସୁଦ୍ଧା ଡ୍ରାଇଭର ନିଖୋଜ ଅଛନ୍ତି। ଡ୍ରାଇଭର ଭୟରେ କୁଆଡ଼େ ପଳାଇଛନ୍ତି କି ପାଣି ସୁଅରେ ଭାସି ଯାଇଛନ୍ତି ତାହା ଜଣାପଡ଼ିନାହିଁ। ଏହି ଘଟଣା ଗୁରୁବାର ବିଳମ୍ବିତ ରାତିରେ ଘଟିଥିବାରୁ ଉଦ୍ଧାର କାର୍ଯ୍ୟ ବିଳମ୍ବ ହୋଇଥିଲା। ଆହତ ୪ ଜଣଙ୍କୁ ସମ୍ବଲପୁର ଜିଲା ମୁଖ୍ୟ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ମୃତକ ହେଲେ ଅଜିତ ଖମାରି, ଦିବ୍ୟ ଲୁହା, ସରୋଜ ସେଟ୍‌, ସୁମନ୍ତ ଭୋଇ, ସୁବ୍ରତ ଭୋଇ, ରମାକାନ୍ତ ଭୂୟାଁ। ଅନ୍ୟଜଣଙ୍କ ନାଁ ଜଣାପଡ଼ିନାହିଁ । ଅନ୍ୟପଟେ ଶାସନ ପୋଲିସ ଘଟଣାସ୍ଥଳରେ ପହଞ୍ଚି କେନାଲରୁ ବୋଲେରୋ ଉଦ୍ଧାର କରି ତଦନ୍ତ ଚଳାଇଛି।