୧୦ ହଜାର ଲାଞ୍ଚ ନେଇ ଫସିଲେ SI; ଭିଜିଲାନ୍ସକୁ ଦେଖି ପୋଖରୀକୁ ଡେଇଁଲେ, ତାପରେ…

ଭୁବନେଶ୍ବର,୪।୧୧: ଲାଞ୍ଚ ନେବା ପରେ ଭିଜିଲାନ୍ସ ଟିମ୍‌କୁ ଦେଖି ଖସିଯିବାକୁ ଉଦ୍ୟମ କରିଥିଲେ ପୋଲିସ୍‌ ସବ୍‌-ଇନ୍ସପେକ୍ଟର (SI) । ରାସ୍ତାରେ ଦୌଡ଼ୁଥିବା ବେଳେ ଖସିବାକୁ ଯାଇ ଏକ ପୋଖରୀକୁ ଡେଇଁ ପଡ଼ିଥିଲେ । ହେଲେ ଭିଜିଲାନ୍ସ ଟିମ୍‌ ମଧ୍ୟ ପୋଖରୀକୁ ଡେଇଁ ତାଙ୍କୁ କାବୁ କରିଥିଲେ । ଏଭଳି ଏକ ଘଟଣା ସମ୍ବଲପୁର ଜିଲାର ମହୁଲପାଲି ଥାନା ଅଞ୍ଚଳରୁ ସାମ୍ନାକୁ ଆସିଛି ।

ଧରାପଡ଼ିଥିବା SI ହେଉଛନ୍ତି ସୁଜିତ କୁମାର ମହାନ୍ତ । ସେ ମହୁଲପାଲି ଥାନାରେ କାର୍ଯ୍ୟରତ ଥିଲେ । ଅଭିଯୋଗକାରୀଙ୍କ ନାଁରେ ଥାନାରେ ରୁଜୁ ହୋଇଥିବା ଏକ ବିବିଧ ମାମଲାର ଚୂଡ଼ାନ୍ତ ସମାଧାନ କରିବା ପାଇଁ ସେ ୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଏହି ମାମଲାର ସେ ତଦନ୍ତ ଅଧିକାରୀ (IO) ମଧ୍ୟ ଥିଲେ।

ଭିଜିଲାନ୍ସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆଜି ସନ୍ଧ୍ୟାରେ SI ଜଣକ ଅଭିଯୋଗକାରୀଙ୍କୁ ଥାନା ବାହାରେ ଏକ ନିର୍ଜନ ସ୍ଥାନକୁ ଡାକିଥିଲେ । ସେଠାରେ ୧୦ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରିବା ପରେ ଭିଜିଲାନ୍ସ ଟିମ୍‌କୁ ଦେଖି ସେ ଘଟଣାସ୍ଥଳରୁ ଦୌଡ଼ି ପଳାଇଥିଲେ । ଭିଜିଲାନ୍ସ ଅଧିକାରୀମାନେ ତାଙ୍କ ପିଛା କରିଥିଲେ । ଧରାପଡ଼ିବା ଭୟରେ SI ନିକଟସ୍ଥ ଏକ ପୋଖରୀକୁ ଡେଇଁ ପଡ଼ିଥିଲେ । ତେବେ ଭିଜିଲାନ୍ସ ଟିମ୍‌ର ଜଣେ ସଦସ୍ୟ ମଧ୍ୟ ପୋଖରୀକୁ ଡେଇଁ ପହଁରି ପହଁରି ତାଙ୍କୁ କାବୁ କରିଥିଲେ । ତାଙ୍କ ନିକଟରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ କରାଯାଇଛି।

ଟ୍ରାପ୍‌ ପରେ ଆୟବହିର୍ଭୂତ ସମ୍ପତ୍ତି (DA) ଦିଗରୁ ମଧ୍ୟ ଭିଜିଲାନ୍ସ ପକ୍ଷରୁ ତାଙ୍କ ବିଭିନ୍ନ ଠିକଣାରେ ଯାଞ୍ଚ ଚାଲିଛି । ଏହି ଯାଞ୍ଚ ସମୟରେ ଥାନା ପରିସରରେ ଥିବା ତାଙ୍କ ବିଶ୍ରାମ କକ୍ଷରୁ ଆଉ ୧ ଲକ୍ଷ ୫୫ ହଜାର ୭୦୦ ଟଙ୍କା ଜବତ ହୋଇଛି । ଏହି ଘଟଣାରେ ସମ୍ବଲପୁର ଭିଜିଲାନ୍ସ ଥାନାରେ କେସ୍‌ ନମ୍ବର ୨୧/୨୦୨୬ରେ ଦୁର୍ନୀତି ନିବାରଣ ଆଇନର ଧାରା ୭ ଅନୁଯାୟୀ ମାମଲା ରୁଜୁ ହୋଇଛି। ଘଟଣାର ତଦନ୍ତ ଜାରି ରହିଛି । ସୁଜିତ କୁମାର ମହାନ୍ତ ୨୦୨୧ରେ SI ଭାବେ ପୋଲିସ୍‌ ସେବାରେ ଯୋଗ ଦେଇଥିଲେ ।

 

Dharitri – Odisha’s No.1 Odia Daily

Share