ରାଜଭବନରେ ଚାକିରି ପାଇଁ ଲାଞ୍ଚ

ପୁରୀ ଅଫିସ,୨୯।୧୦: ପୁରୀ ରାଜଭବନରେ ଚତୁର୍ଥଶ୍ରେଣୀ କର୍ମଚାରୀ ପଦବୀରେ ଚାକିରି କରାଇଦେବା ପାଇଁ ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ମଗାଯାଉଥିବାର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ ହେଉଛି। ପୁରୀ ରାଜଭବନରେ କାର୍ଯ୍ୟରତ ଜଣେ କର୍ମଚାରୀ ଚାକିରି କରାଇଦେବା ଲାଗି ଜଣେ ଯୁବକଙ୍କୁ ଟଙ୍କା ମାଗୁଥିବା ଏହି ଭିଡିଓରୁ ଜଣାପଡ଼ୁଛି। ଭିଡିଓରେ ସେ କହୁଛନ୍ତି, ଏହି ଦେଢ଼ ଲକ୍ଷ ଟଙ୍କାରେ ତଳଠାରୁ ଆରମ୍ଭକରି ଉପର ପର୍ଯ୍ୟନ୍ତ ବିଭିନ୍ନ ସରକାରୀ ଅଧିକାରୀଙ୍କର ଭାଗ ରହିଛି। ଟଙ୍କା ଦେଲେ ଚାକିରି ନିଶ୍ଚିତ ମିଳିବ। କିଛି ଟଙ୍କା ଆଗୁଆ ଦେଇ ଚାକିରି ପାଇଁ ପଦବୀ ବୁକ୍‌ କରିବାକୁ ପଡ଼ିବ ବୋଲି କର୍ମଚାରୀ ଜଣଙ୍କ କହୁଥିବା ଶୁଣିବାକୁ ମିଳୁଛି। ଜଣେ ତଳିଆ କର୍ମଚାରୀ ରାଜଭବନରେ ଚାକିରି କରାଇଦେବାକୁ କହି ଲୋକଙ୍କୁ ଟଙ୍କା ମାଗିବା ଘଟଣା ଅନେକ ପ୍ରଶ୍ନ ସୃଷ୍ଟି କରିଛି। ସେହିପରି ଏହି ଘଟଣାରେ ବଡ଼ ଅଧିକାରୀମାନଙ୍କର ସଂପୃକ୍ତି ଥିବା ସନ୍ଦେହ କରାଯାଉଛି। କର୍ମଚାରୀ ଜଣକ କାହା ନିର୍ଦ୍ଦେଶରେ ଏଭଳି ପ୍ରଲୋଭନ ଦେଖାଉଛନ୍ତି ଓ ବାସ୍ତବରେ ରାଜଭବନର କୌଣସି ପଦବୀ ଖାଲିପଡ଼ିଛି କି ନାହିଁ ସେ ସମ୍ପର୍କରେ ଜାଣିବାର ଆବଶ୍ୟକତା ରହିଛି ବୋଲି ଅଭିଯୋଗକାରୀ ତଥା ଭିଡିଓ ଶୁଟ୍‌ କରିଥିବା ଜ୍ୟୋତିରଞ୍ଜନ ନାୟକ କହିଛନ୍ତି। ଜ୍ୟୋତି କହିଛନ୍ତି, ଜଣେ ବେକାର ଯୁବକ ହୋଇଥିବାରୁ ତାଙ୍କୁ ଏଭଳି ପ୍ରଲୋଭନ ଦେଖାଯାଇଥିଲା। ତେବେ ସମ୍ପୃକ୍ତ କର୍ମଚାରୀ ପ୍ରଫୁଲ୍ଲ ବଡମୁଣ୍ଡିଙ୍କ କଥାରେ ସନ୍ଦେହ ହେବାରୁ ସେ ବାଧ୍ୟହୋଇ ଭିଡିଓ ଶୁଟ୍‌ କରିଥିଲେ। ବାସ୍ତବରେ ଚାକିରି ପାଇଁ ନିଯୁକ୍ତି ସୁଯୋଗ ରହିଛି କି ନାହିଁ ତାହା ସ୍ପଷ୍ଟ ଭାବେ ଜଣାନାହିଁ। ଅନ୍ୟପକ୍ଷରେ ବାସ୍ତବରେ ଯଦି ନିଯୁକ୍ତି ଲାଗି ପଦବୀ ଖାଲିରହିଛି ତେବେ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା କି ନାହିଁ ଏବଂ ଜଣେ ତଳିଆ କର୍ମଚାରୀ କିଭଳି ଦୃଢ଼ ଭାବେ ଟଙ୍କା ଦାବି କରି ଚାକିରି ଦେବେ ବୋଲି କହୁଛନ୍ତି ତାହା ତଦନ୍ତ ପରିସରଭୁକ୍ତ ହେବା ଉଚିତ ବୋଲି ଆଇନଜୀବୀ ଅନୀଲ କୁମାର ସାହୁ କହିଛନ୍ତି। ଏହି ଘଟଣାର ତଦନ୍ତ ସହ ସମ୍ପୃକ୍ତ କର୍ମଚାରୀଙ୍କ ସହିତ କେଉଁମାନଙ୍କର ସମ୍ପୃୃକ୍ତି ରହିଛି ତାହା ଉପରୁ ପରଦା ହଟାଇବା ପାଇଁ ସେ ଦାବି କରିଛନ୍ତି। ଏ ନେଇ ଉପଜିଲାପାଳ ଭବତାରଣ ସାହୁ କହିଛନ୍ତି, ସମ୍ପୂର୍ଣ୍ଣ ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।