Categories: ଖେଳ

ରିକି ପଣ୍ଟିଂଙ୍କ ଅଷ୍ଟ୍ରେଲିଆ ଟିମ୍‌କୁ ଏକାକୀ ପାଣି ପିଆଇ ଦେଇଥିଲେ

ବେଲଫାଷ୍ଟ,୧୪।୯: କ୍ରିକେଟରୁ ଜିମ୍ବାଓ୍ବେର ସିନିୟର ବ୍ୟାଟ୍ସମ୍ୟାନ ବ୍ରେଣ୍ଡନ ଟେଲରଙ୍କ ଅବସର ସହ ଏକ ଯୁଗ ଶେଷ ହୋଇଛି। ଜିମ୍ବାଓ୍ବେ କ୍ରିକେଟ ଇତିହାସର ସବୁଠୁ ସଫଳତମ ବ୍ୟାଟ୍ସମ୍ୟାନ ୧୭ ବର୍ଷର କ୍ୟାରିୟରରେ ୩୪ ଟେଷ୍ଟ, ୨୦୨ ଦିନିକିଆ ଓ ୪୫ ଟି୨୦ ମ୍ୟାଚ୍‌ ଖେଳିଥିଲେ। ଜିମ୍ବାଓ୍ବେ ପାଇଁ ଅନେକ ମ୍ୟାଚ୍‌ ବିଜୟୀ ଇନିଂସ ଖେଳିଥିଲେ ୩୫ ବର୍ଷୀୟ ବ୍ୟାଟ୍ସମ୍ୟାନ। କିନ୍ତୁ ୨୦୦୭ ଟି୨୦ ବିଶ୍ୱକପ୍‌ରେ ଶକ୍ତିଶାଳୀ ଅଷ୍ଟ୍ରେଲିଆ ବିପକ୍ଷରେ ଟେଲର ଖେଳିଥିବା ୬୦ ରନ୍‌ର ଅପରାଜିତ ଅର୍ଦ୍ଧଶତକୀୟ ପାଳି କ୍ରିକେଟ ପ୍ରଶଂସକଙ୍କ ମନରେ ଏବେ ବି ଉଜ୍ଜୀବିତ।

ଦକ୍ଷିଣ ଆଫ୍ରିକାରେ ଖେଳାଯାଇଥିବା ୨୦୦୭ ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ ରିକି ପଣ୍ଟିଂଙ୍କ ନେତୃତ୍ୱାଧୀନ ଅଷ୍ଟ୍ରେଲିଆ ପ୍ରତିପକ୍ଷ ଜିମ୍ବାଓ୍ବେ ଆଗରେ ୧୩୯ ରନ୍‌ର ଏକ ସାଧାରଣ ବିଜୟ ଲକ୍ଷ୍ୟ ଛିଡ଼ା କରିଥିଲା। କିନ୍ତୁ ବ୍ରେଟ ଲି, ନାଥନ ବ୍ରାକେନ, ମିଚେଲ ଜନସନ ଓ ଷ୍ଟୁଆର୍ଟ କ୍ଲାର୍କଙ୍କ ଘାତକ ବୋଲିଂ ଆଗରେ ୧୩୯ ରନ୍‌ କରିବା ବିଶ୍ୱର କୌଣସି ଦଳ ପାଇଁ ସହଜ ନ ଥିଲା। ପ୍ରାରମ୍ଭିକ ବିଫଳତା ଯୋଗୁ ଏକଦା ୭୦ ରନ୍‌ ମଧ୍ୟରେ ପ୍ରମୁଖ ୪ ଉଇକେଟ ହରାଇ ସଙ୍କଟରେ ପଡ଼ିଥିଲା ଜିମ୍ବାଓ୍ବେ। କିନ୍ତୁ ଅଷ୍ଟ୍ରେଲିଆର ଘାତକ ବୋଲିଂ ଲାଇନ୍‌ ଆଗରେ ଏକାକୀ ଲଢ଼ିଥିଲେ ୨୧ ବର୍ଷୀୟ ଟେଲର। ୪୫ ବଲରେ ତାଙ୍କ ୬୦ ରନ୍‌ର ଅପରାଜିତ ପାଳି ଯୋଗୁ ଜିମ୍ବାଓ୍ବେ ଅନ୍ତିମ ଓଭରରେ ମ୍ୟାଚ୍‌ ଜିତି ନେଇଥିଲା। ତାହା ଥିଲା ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ଇତିହାସରେ ଅଷ୍ଟ୍ରେଲିଆ ବିପକ୍ଷରେ ଜିମ୍ବାଓ୍ବେର ପ୍ରଥମ ବିଜୟ।

Share