କରୋନା ଆକ୍ରାନ୍ତ ଶିଶୁଙ୍କୁ ଭଲ କରିବ ମା’ କ୍ଷୀର

ଭୁବନେଶ୍ୱର,୨୨।୯(ବ୍ୟୁରୋ): କରୋନା ଆକ୍ରାନ୍ତ ଶିଶୁ ମା’ କ୍ଷୀର ଖାଇପାରିବେ। ମା’ କ୍ଷୀର ହିଁ ଶିଶୁଙ୍କୁ ଶୀଘ୍ର ଭଲ କରିଦେବ ବୋଲି ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡା. ଅରବିନ୍ଦ ମହାନ୍ତି କହିଛନ୍ତି। ସୋମବାର ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ଡା. ମହାନ୍ତି ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି, ବର୍ଷକରୁ କମ୍‌ ବୟସର ଶିଶୁର ମୁଖ୍ୟ ଖାଦ୍ୟ ହେଉଛି ମା’ କ୍ଷୀର। ଏହା ପିଲାର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। କରୋନା ସହ ଲଢ଼ିବାକୁ ଶକ୍ତି ଯୋଗାଇଥାଏ। ତେଣୁ ଯେଉଁ ମା’ମାନେ କରୋନାରେ ଆକ୍ରାନ୍ତ ହୋଇ ନ ଥିବେ, ସେମାନେ ମାସ୍କ ପିନ୍ଧି ସତର୍କତାର ସହ ନିଜ କରୋନା ଆକ୍ରାନ୍ତ ଶିଶୁଙ୍କୁ ସ୍ତନ୍ୟପାନ କରାଇଲେ ଖୁବ୍‌ଶୀଘ୍ର ସୁସ୍ଥ ହୋଇପାରିବେ।
ଆହୁରି ମଧ୍ୟ ସେ କହିଛନ୍ତି, ଟିକା ଶିଶୁ ଦେହରେ ଆଣ୍ଟିବଡି ସୃଷ୍ଟି କରିଥାଏ ଓ ଏଥିସହ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ଟିକାନେଇ ନ ଥିବା ଶିଶୁର ରୋଗ ପ୍ରତିରୋଧକ ଶକ୍ତି କମ୍‌ ଥାଏ। ସେପରି ଶିଶୁଙ୍କୁ କରୋନା ସଂକ୍ରମଣ ହେବାର ଅଧିକ ଆଶଙ୍କା ରହିଛି। ତେଣୁ ପିଲାଙ୍କୁ ଟିକା ନିହାତି ଦରକାର। ସବୁ ଛୁଆଙ୍କୁ ରୋଗମୁକ୍ତ କରିବା ପାଇଁ ରାଜ୍ୟ ସରକାର ଟିକାକରଣକୁ ଗୁରୁତ୍ୱ ଦେଇଛନ୍ତି। କେତେଜଣ ଅଭିଭାବକଙ୍କ ଚିନ୍ତାଧାରା ଯେ, ସମସ୍ତ ସରକାରୀ ହସ୍ପିଟାଲରେ କରୋନା ସଂକ୍ରମଣ ହୋଇଛି। କିନ୍ତୁ ଏହା ଭାବିବା ଭୁଲ୍‌। ଠିକ୍‌ ସମୟରେ ପିଲାଙ୍କୁ ଟିକା ଦେଇ ନୀରୋଗ ରଖନ୍ତୁ ବୋଲି ଡା. ମହାନ୍ତି ପରାମର୍ଶ ଦେଇଛନ୍ତି।
ତୃତୀୟରେ ଶିଶୁମାନେ ସଂକ୍ରମିତ ବ୍ୟକ୍ତିଙ୍କ ପାଖରେ ୫ରୁ ୧୫ ମିନିଟ୍‌ ପର୍ଯ୍ୟନ୍ତ ରହିଲେ ସଂକ୍ରମିତ ହେବା ଆଶଙ୍କା ରହିଛି। ପିଲାଙ୍କର ଯେଉଁମାନେ ଯତ୍ନ ନେଉଛନ୍ତି, ସେମାନେ ସତର୍କ ରହିବା ଉଚିତ। ହାତ ଧୋଇବା, ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ଉଚିତ। ସଂକ୍ରମିତ ପିଲାଙ୍କ ସହ ଖେଳିଥିବା ପିଲାଙ୍କୁ ମଧ୍ୟ ୧୪ଦିନ ସଙ୍ଗରୋଧ ରଖିବା ଦରକାର। ସେହିପରି ଶିଶୁମାନେ ଖୁସିରେ ରହିଲେ ରୋଗ ପ୍ରତିରୋଧକ କ୍ଷମତା ବଢ଼ିବ। ତେଣୁ ପିଲାଙ୍କୁ ଘର ଭିତରେ ଖେଳିବା ଶିଖାଇବା ଦରକାର। କିନ୍ତୁ ଧଇଁସଇଁ ହେଲାଭଳି ଖେଳ ନ ଖେଳାଇବାକୁ ଡା. ମହାନ୍ତି ପରାମର୍ଶ ଦେଇଛନ୍ତି।