Categories: ଖେଳ

ପରାଜୟ ସତ୍ତ୍ୱେ ନକଆଉଟରେ ବ୍ରାଜିଲ

ଦୋହା,୩।୧୨,(ପି.ଟି.): ଆଉ ଏକ ବିପର୍ଯ୍ୟୟ ସହିତ ଶେଷ ହୋଇଛି ଫିଫା ବିଶ୍ୱକପ ୨୦୨୨ର ଗ୍ରୁପ୍‌ ପର୍ଯ୍ୟାୟ ମ୍ୟାଚ୍‌। ଏଥିସହିତ ଚୂଡାନ୍ତ ହୋଇଛି ରାଉଣ୍ଡ ଅଫ୍‌ ୧୬ର ଦଳ ତାଲିକା। ତେବେ ଚଳିତ ବିଶ୍ୱକପରେ ଆଉ ଏକ ଟପ୍‌ ଟିମ୍‌ ମାଟି କାମୁଡିଛି। ଗ୍ରୁପ୍‌ ଜିରେ ବ୍ରାଜିଲକୁ ୧-୦ରେ ହରାଇ ଚଳିତ ସଂସ୍କରଣର ଅଷ୍ଟମ ବିପର୍ଯ୍ୟୟ ସୃଷ୍ଟି କରିଛି କାମେରୁନ୍‌। ହାରିଥିଲେ ହେଁ ଗ୍ରୁପ୍‌ ଟପ୍ପର ଭାବରେ ବ୍ରାଜିଲ ନକ୍‌ଆଉଟରେ ପ୍ରବେଶ କରିଥିବା ବେଳେ ଦ୍ୱିତୀୟ ଦଳ ଭାବରେ ସ୍ବିଜରଲାଣ୍ଡ ରାଉଣ୍ଡ ଅଫ୍‌ ୧୬ରେ ସ୍ଥାନ ସୁରକ୍ଷିତ କରିଛି। ୩୨ ଦଳ ୮ ଗ୍ରୁପରେ ଲଢେଇ କରିବା ପରେ ପ୍ରଥମ ପର୍ଯ୍ୟାୟରେ ହିଁ ୧୬ ଦଳ ବିଦାୟ ନେଇଛନ୍ତି।
ବିପର୍ଯ୍ୟୟ ସୃଷ୍ଟି କଲା କାମେରୁନ୍‌
ଲୁସେଲ ଷ୍ଟାଡିୟମରେ ଖେଳା ଯାଇଥିବା ମ୍ୟାଚରେ ଭିନସେଣ୍ଟ ଆବୁବକରଙ୍କ ଐତିହାସିକ ଗୋଲ ବଳରେ ବ୍ରାଜିଲକୁ ପରାସ୍ତ କରିଛି କାମେରୁନ୍‌। ଷ୍ଟପେଜ ଟାଇମରେ ୯୦+୨ ମିନିଟରେ ଆବୁବକର ଏହି ଗୋଲ ସ୍କୋର କରିଥିଲେ। ନିର୍ଦ୍ଧାରିତ ସମୟରେ ମ୍ୟାଚ ଗୋଲଶୂନ୍ୟ ରହିବା ପରେ ସେ ଏହି ଗୋଲଟି ଦେଇଥିଲେ। ବ୍ରାଜିଲ ୬୫ % ସମୟ ବଲକୁ ନିୟନ୍ତ୍ରଣରେ ରଖିଥିଲେ ମଧ୍ୟ କାମେରୁନ୍‌ ଗୋଲକିପର ଡେଭିସ୍‌ ଇପାସୀ ଚମତ୍କାର ପ୍ରଦର୍ଶନ କରିଥିଲେ। ବ୍ରାଜିଲର ଅନ୍ୟୁନ ୬ ପ୍ରୟାସକୁ ସେ ନିଷ୍ଫଳ କରି ଦେଇଥିଲେ।
ଜିତିଲା ସ୍ବିଜରଲାଣ୍ଡ
ଷ୍ଟାଡିୟମ ୯୭୪ରେ ଖେଳା ଯାଇଥିବା ମ୍ୟାଚଟି ସଂଘର୍ଷପୂର୍ଣ୍ଣ ରହିଥିଲା। ଉଭୟ ଦଳକୁ ନକ୍‌ ଆଉଟ ପାଇଁ ନିଶ୍ଚିତ ବିଜୟ ଆବଶ୍ୟକ ଥିଲା। ପ୍ରଥମ ମିନିଟରେ ହିଁ ସ୍ବିଜରଲ୍ୟାଣ୍ଡ ପକ୍ଷରୁ ସର୍ବିୟା ଗୋଲପୋଷ୍ଟ ଉପରେ ଆକ୍ରମଣ ହୋଇଥିଲା। ଗୋଲରକ୍ଷକ ଭାଞ୍ଜା ମିଲାନୋଭିକ୍‌ ସାଭିକ ଦୁଇଟି ପ୍ରୟାସକୁ ରୋକି ଦଇଥିଲେ। ୨୦ତମ ମିନିଟରେ ଜେର୍ଦାନ୍‌ ଶାକାରି ପ୍ରଥମ ଗୋଲ ସ୍କୋର କରିଥିଲେ। ସର୍ବିୟା ପକ୍ଷରୁ ୨୬ ତମ ମିନିଟରେ ଆଲେକଜାଣ୍ଡର ମିତ୍ରୋଭିକ୍‌ ଗୋଲଟିକୁ ପରିଶୋଧ କରିଥିଲେ। ୩୫ ତମ ମିନିଟରେ ଦୁସାନ ଭ୍ଲାହୋଭିକ୍‌ଙ୍କ ଗୋଲ ବଳରେ ସର୍ବିୟା ୨-୧ରେ ଆଗୁଆ ରହିଥିଲା। ମାତ୍ର ପ୍ରଥମାର୍ଦ୍ଧ ଶେଷ ହେବାର ଠିକ୍‌ ପୂର୍ବରୁ ସ୍ବିସ୍‌ ତାରକା ବ୍ରିଲ ଏମ୍ବୋଲୋ ଗୋଲ ସ୍କୋର କରି ମ୍ୟାଚକୁ ସମାନ୍ତର ସ୍ଥିତିକୁ ଆଣିଥିଲେ। ପ୍ରଥମାର୍ଦ୍ଧ ୨-୨ରେ ରହିବା ପରେ ମ୍ୟାଚର ୪୮ତମ ମିନିଟରେ ରେମୋ ଫ୍ରୁଏଲରଙ୍କ ଗୋଲ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଥିଲା।

Share