କଲ୍ୟାଣସିଂହପୁର,୨୫ା୭(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଥିବା ଏକ ଅଭାବନୀୟ ଘଟଣା ମଧ୍ୟରେ ମାନବିକତା, ସାହସ ଓ କର୍ତ୍ତବ୍ୟନିଷ୍ଠାର ଏକ ଉଜ୍ଜ୍ୱଳ ଦୃଷ୍ଟାନ୍ତ ଉଦାହରଣ ସାମ୍ନାକୁ ଆସିଥିଲା। ଉତ୍ତ୍ୟକ୍ତ ଜନତାଙ୍କ ଆକ୍ରମଣର ଶିକାର ହୋଇଥିବା ଜଣେ ଫେଲୋଶିପ୍ ଯୁବତୀଙ୍କୁ ମୃତ୍ୟୁମୁଖରୁ ଉଦ୍ଧାର କରିବାରେ ନିୟମଗିରି ଅଞ୍ଚଳର, ଭାଲେରୀ ଗାଁର ଯୁବକ ବଳରାମ ବାଗ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ। ଏହି ଘଟଣାର ମାସେରୁ ଅଧିକ ଦିନ ବିତି ଯାଇଥିବା ବେଳେ ସୁବର୍ଣ୍ଣପୁର (ସୋନପୁର) ଜିଲାର ବାସିନ୍ଦା ସମାଜସେବୀ ଏବଂ ଉଡାଓ କ୍ଲବର ଜଣେ ସକ୍ରିୟ ସଦସ୍ୟ। ହରିଶଙ୍କର ଚୌଧୁରୀ ଓ ତାଙ୍କ ବନ୍ଧୁ ବୃନ୍ଦାବନ ପଟେଲ ଭାରତୀୟ ରେଳବାଇରେ କାର୍ଯ୍ୟରତ ଥିବା ସହ ଜଣେ ଦେଶପ୍ରେମୀ ଓ ସମାଜସେବୀ ଆର୍ଏସ୍ଏସ୍ର ସକ୍ରିୟ ସଦସ୍ୟ ଉଭୟ ସୋନପୁରରୁ ଆସି ରାୟଗଡ଼ା ଜିଲାର କଲ୍ୟାଣସିଂହପୁରକୁ ଆସି ବଳରାମ ବାଗଙ୍କୁ ସମ୍ମାନିତ କରିଥିଲେ। ଏ ସମ୍ପର୍କରେ ହରିଶଙ୍କର ଚୌଧୁରୀଙ୍କୁ ପଚାରିବାରୁ ସେ କହିଥିଲେ, ବଳରାମ ବାଗ ଭାଇ ଯେଉଁ ସାହସ, ମାନବିକତା ଓ ନିଷ୍ଠାର ସହିତ ଜଣେ ଅସହାୟ ଯୁବତୀଙ୍କୁ ଉଦ୍ଧାର କରିବା ପାଇଁ ଆଗକୁ ଆସିଥିଲେ, ତାହା ସତରେ ପ୍ରଶଂସନୀୟ। ତାଙ୍କ କାର୍ଯ୍ୟ ମୋତେ ମହାନ ସନ୍ଥ ଭୀମ ଭୋଇଙ୍କ ଅମର ବାଣୀ ମନେ ପକାଇଦେଲା ମୋ’ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ। ଜଗନ୍ନାଥଙ୍କ କୃପାରୁ ଗାଁରେ ପହଞ୍ଚିବା ପୂର୍ବରୁ ତାଙ୍କ ସହ ଆମର ହଠାତ୍ ସାକ୍ଷାତ ହୋଇଗଲା। ଏହା ଆମ ପାଇଁ ଅତ୍ୟନ୍ତ ସ୍ମରଣୀୟ ମୁହୂର୍ତ୍ତ ଥିଲା ବୋଲି କହିଥିଲେ।