ବ୍ରହ୍ମାର୍ପଣ

ସତ୍ୟନାରାୟଣ ବାବୁଙ୍କ ପୁଅ ରବି ନାରାୟଣ ଦିନେ ବାପାଙ୍କୁ ପଚାରିଲା, ”ବାପା! ଦୈନନ୍ଦିନ ଜୀବନରେ ଆମ ଶରୀରକୁ କିଏ ଶକ୍ତି ଯୋଗାଉଛି?“ ବାପା କହିଲେ, ଖାଦ୍ୟ ଆମ ଶରୀରକୁ ଶକ୍ତି ଯୋଗାଏ। ଖାଦ୍ୟର ସାର ଶରୀର, ମନ, ଚିନ୍ତା ବା ଭାବନାକୁ ଗଠନ କରିବାରେ ସାହାଯ୍ୟ କରେ। ଆମେ ଯେଉଁ ଖାଦ୍ୟ ଖାଉ, ତାହା ଆମ ଚିନ୍ତାଧାରାକୁ ମଧ୍ୟ ପ୍ରଭାବିତ କରେ। ପବିତ୍ରୀକରଣ ହୋଇନଥିବା ଖାଦ୍ୟ ଓ ଅଖାଦ୍ୟ ଆମମାନଙ୍କ ମନରେ ବିରୋଧାତ୍ମକ ଚିନ୍ତାଧାରା ସୃଷ୍ଟି କରେ, ଯେଉଁଥିପାଇଁ ଆମ କାର୍ଯ୍ୟକଳାପ ଧୀରେ ଧୀରେ ଖରାପ ହୋଇଯାଇଥାଏ।
ରବି ନାରାୟଣ ପଚାରିଲା, ବାପା! ଖାଦ୍ୟର ଶୁଦ୍ଧତା ବା ପବିତ୍ରତା କିପରି ଆସେ? ସତ୍ୟ ନାରାୟଣ ବାବୁ କହିଲେ, ଖାଦ୍ୟର ଶୁଦ୍ଧତା ଓ ପବିତ୍ରତା ପାଇଁ ତିନୋଟି ଜିନିଷ ଅପରିହାର୍ଯ୍ୟ। ପାତ୍ର ଶୁଦ୍ଧି – (ରନ୍ଧା ବାସନକୁସନ ସଫା ଓ ପବିତ୍ର ହେବା ଦରକାର), ପାକ ଶୁଦ୍ଧି- (ରନ୍ଧନ ପ୍ରକ୍ରିୟାକୁ ପବିତ୍ରୀକରଣ କରିବା ଦରକାର। ଯେଉଁ ବ୍ୟକ୍ତି ଖାଦ୍ୟ ପ୍ରସ୍ତୁତ କରୁଛି, ତା’ର ଶାରୀରିକ ଓ ମାନସିକ ଶୁଦ୍ଧି ଥିବା ଆବଶ୍ୟକ। ସେ ଶାରୀରିକ ସ୍ତରରେ ସୁସ୍ଥ ହୋଇଥିବା ଦରକାର), ପଦାର୍ଥ ଶୁଦ୍ଧି- (ଖାଦ୍ୟ ପଦାର୍ଥ ସାମଗ୍ରୀ ଶୁଦ୍ଧତା ଥିବା ଦରକାର। ଖାଦ୍ୟ ପଦାର୍ଥଗୁଡ଼ିକ ସଫା ଓ ନୈତିକ ଉପାୟରେ ସଂଗ୍ରହ କରିଥିବା ଦରକାର)। ଏହି ତିନୋଟି ଶୁଦ୍ଧୀକରଣ ନ ଥିଲେ ଖାଦ୍ୟଟି ଅପବିତ୍ର ଓ ଅନିଷ୍ଟକର ହୋଇ ଯାଇଥାଏ। ସେଥିପାଇଁ ଶାସ୍ତ୍ରରେ କୁହାଯାଇଛି, ଖାଦ୍ୟ ଭଗବାନ୍‌ଙ୍କୁ ଅର୍ପଣ କରି ଖାଇବା ଉଚିତ। ସେପରି କଲେ ବା ହେଲେ ଖାଦ୍ୟର ଅପବିତ୍ରତା ଅକାମୀ ହୋଇଯାଇଥାଏ ଓ ଖାଦ୍ୟ ପ୍ରସାଦରେ ପରିଣତ ହୁଏ। ଖାଦ୍ୟରେ ଶୁଦ୍ଧତା ଆସିଲେ ଆମର ଶାରୀରିକ, ମାନସିକ ଚିନ୍ତାଧାରାକୁ ଆମେ ଶୁଦ୍ଧ କରିପାରୁ।
ଭଗବାନ୍‌ଙ୍କୁ ଅର୍ପଣ କରାଯାଏ। ଅର୍ପଣ ହିଁ ଭଗବାନ୍‌। ଯେଉଁ ଅଗ୍ନିରେ ସମର୍ପଣ କରାଯାଏ, ତାହା ଭଗବାନ୍‌। ଯେଉଁ ବ୍ୟକ୍ତି ଅର୍ପଣ କରେ, ସେ ଭଗବାନ୍‌। ଶେଷରେ ଭଗବାନ୍‌ ହେଉଛନ୍ତି ଲକ୍ଷ୍ୟ, ସେହି ବ୍ୟକ୍ତି ପାଇଁ ଯିଏ ଅର୍ପଣ କରୁଥାଏ। କ୍ଷୁଧାକୁ ଭଗବାନ୍‌ ଅଗ୍ନି ଭାବରେ ଆମଠାରେ ସଂଯୋଗ କରିଛନ୍ତି। ଖାଦ୍ୟାର୍ପଣ ଏକ ଯଜ୍ଞ। ଯଜ୍ଞର ଚାରିଟି ବୈଶିଷ୍ଟ୍ୟ ଥାଏ। ପ୍ରଥମ ଭଗବାନ୍‌ଙ୍କୁ ଯାହା ଦିଆଯାଏ। ଦ୍ୱିତୀୟ ଜଠରାଗ୍ନି, ଯାହା ମଧ୍ୟକୁ ଖାଦ୍ୟ ଅର୍ପଣ କରାଯାଏ। ତୃତୀୟ ଅର୍ପଣ ଏବଂ ଚତୁର୍ଥରେ ପ୍ରତ୍ୟେକ ମନୁଷ୍ୟ କରୁଥିବା ଏହି ଯଜ୍ଞ। ଉପରୋକ୍ତ ଚାରିଟି ଯବର ଗୁଣାବଳୀ ଏକ ଦୈବତ୍ୱକୁ ସୂଚିତ କରେ। ଆମେ ଆମ ଭିତରେ ଥିବା ଭଗବାନ୍‌ଙ୍କୁ ଖାଦ୍ୟ ଅର୍ପଣ କରୁ, ଯେଉଁ ଖାଦ୍ୟ କି ଭଗବାନ୍‌ ନିଜେ। ଏପରି କରୁ, କାରଣ ଆମେ ଭଗବାନ୍‌ଙ୍କ ଆଶୀର୍ବାଦ ଚାହୁଁ ଓ ଭଗବାନ୍‌ଙ୍କ ପ୍ରଦତ୍ତ କର୍ମ କରିବାକୁ ଚାହୁଁ। ଖାଦ୍ୟ ଗ୍ରହଣ କରିବା ପୂର୍ବରୁ ଏହି ପ୍ରାର୍ଥନା କରିବାର ଅର୍ଥ ଆମେ ଖାଦ୍ୟକୁ ନୈବେଦ୍ୟ ହିସାବରେ ବା ଖାଦ୍ୟକୁ ପ୍ରସାଦ ରୂପେ ପରିଣତ କରି ଭଗବାନ୍‌ଙ୍କୁ ଅର୍ପଣ କରୁ। ଏହି ଅର୍ପଣର ଉତ୍ତର ହେଉଛି ‘ଅହଂ ବୈଶ୍ୱାନରୋ ଭୂତ୍ୱା, ପ୍ରାଣିନାଂ ଦେହମାଶ୍ରିତଃ। ପ୍ରାଣାପାନ ସମାଯୁକ୍ତଃ, ପତାମ୍ୟନ୍ନଂ ଚତୁର୍ବିଧମ୍‌।’ ମୁଁ ସମସ୍ତ ଜୀବନ୍ତପ୍ରାଣୀଙ୍କ ମଧ୍ୟରେ ଅଗ୍ନି ବା ବୈଶ୍ୱାନର ଭାବରେ ବିରାଜିତ। ପବନ ନିଃଶ୍ୱାସପ୍ରଶ୍ୱାସ ସହିତ ସଂଯୁକ୍ତ। ରବିନାରାୟଣର ଉତ୍ସାହ ବଢ଼ିଗଲା। ସେ ପଚାରିଲା, ଚାରି ପ୍ରକାର ଖାଦ୍ୟ କ’ଣ? ଚିବ୍ୟ- କଠିନ ଖାଦ୍ୟ, ଯାହା ଆମେ ଚୋବେଇକି ଖାଉ। ଚୋଷ୍ୟ – ଯାହା ଚୁଷିକି ଖାଉ, ଲେହ୍ୟ- ଯାହା ଚାଟିକି ଖାଉ ଏବଂ ପ୍ରେୟ- ଯାହା ଆମେ ପାନୀୟ ଭାବରେ ଗ୍ରହଣ କରୁ।
ରବିନାରାୟଣ କହିଲା, ବାପା! ଏଥର ମୁଁ ବୁଝିଗଲି। ଭଗବାନ୍‌ ବୈଶ୍ୱାନର ଭାବରେ ଆମ ଭିତରେ ଅଛନ୍ତି ଓ ଚାରି ପ୍ରକାର ଖାଦ୍ୟକୁ ଆମ ଭିତରେ ଗ୍ରହଣ କରୁଛନ୍ତି ଏବଂ ସେହି ଭଗବାନ୍‌ ଅପାନ ଭାବେ ଆମ ଶରୀରର ଅପଦାର୍ଥଗୁଡ଼ିକୁ ବାହାର କରିବାରେ ସାହାଯ୍ୟ କରିଥାନ୍ତି। ପନିପରିବା, ଫଳ, କ୍ଷୀର, ଫଳରସ ଭଗବାନ୍‌ ଆମକୁ ଦେଇଛନ୍ତି ଓ ବିଭିନ୍ନ ପ୍ରକାର ଖାଦ୍ୟରୁ ପୋଷକତ୍ବ ତାଙ୍କ ଦୈବତ୍ୱ ମାଧ୍ୟମରେ ଯୋଗାଇଥା’ନ୍ତି। ଆମ ଶରୀର ଭିତରେ, ଆମ ଅଜାଣତରେ ଏ ଚମତ୍କାରିତା ଚାଲିଛି। ହେ ପ୍ରଭୁ ଜଗନ୍ନାଥ! ତୁମେ ଅତ୍ୟନ୍ତ ମହାନ୍‌ ଓ ଚମତ୍କାରୀ। ମୋ’ ଭିତରେ ଲୁଚି ତୁମେ ଖେଳ ଚଲାଇଚ।

ଅନୀତା ପଟ୍ଟନାୟକ
ପ୍ରାଧ୍ୟାପିକା, ସିଡିଏ, କଟକ
ମୋ: ୯୬୯୨୯୮୦୦୨୬

Dharitri – Odisha’s No.1 Odia Daily

Share