ବ୍ରଜରାଜନଗର ଉପନିର୍ବାଚନ: ଭୋଟ ଗ୍ରହଣ ଆରମ୍ଭ

ଝାରସୁଗୁଡ଼ା ଅଫିସ,୩୧ା୫: ବ୍ରଜରାଜନଗର ଉପନିର୍ବାଚନ ଲାଗି ମଙ୍ଗଳବାର ସକାଳ ୭ରୁ ମତଦାନ ଆରମ୍ଭ ହୋଯାଇଛି। ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ଚାଲିବ। ଏନେଇ ଭୋଟର ନିଜ ନିଜ ବୁଥକୁ ଆସି ମତ ସାବ୍ୟସ୍ତ କରୁଛନ୍ତି।

ନିର୍ବାଚନରେ ବିଭିନ୍ନ ରାଜନୈତିକ ଦଳ ଓ ସ୍ବାଧୀନ ପ୍ରାର୍ଥୀଙ୍କୁ ମିଶାଇ ମୋଟ ୧୧ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏହି ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ନିର୍ବାଚନ ମଣ୍ଡଳୀର ସମୁଦାୟ ୨,୧୪, ୮୭୮ ଭୋଟର। ସମୁଦାୟ ୨୭୯ ବୁଥ୍‌ରେ ମତଦାନ ହେଉଛି। ଚଳିତ ଉପନିର୍ବାଚନରେ ଅଧିକ ୨୨ ନୂଆ ବୁଥ୍‌ ହୋଇଛି। ଏଥିମଧ୍ୟରେ ୬୦ ବୁଥ୍‌ ସମ୍ବେଦନଶୀଳ ଭାବେ ଚିହ୍ନଟ ହୋଇଛି। ୩୦ଟିକୁ ମଡେଲ ବୁଥ୍‌ ଓ ୫ଟିକୁ ପିଙ୍କ୍‌ ବୁଥ୍‌ ଭାବେ ଘୋଷଣା କରାଯାଇଛି। ୧୪୫ ବୁଥ୍‌ରେ ଓ୍ବେବ୍‌କାଷ୍ଟିଂ ବ୍ୟବସ୍ଥା କରାଯାଇଛି।
ନିର୍ବାଚନ ମଣ୍ଡଳୀକୁ ୩୧ସେକ୍ଟରରେ ବିଭକ୍ତ କରାଯାଇ ପ୍ରତି ସେକ୍ଟରରେ ମାଜିଷ୍ଟ୍ରେଟ୍‌ ଓ ଅଫିସର ନିଯୁକ୍ତ କରାଯାଇଛି। ଏହାର ତଦାରଖ ପାଇଁ ସମୁଦାୟ ୨୫ ମୋବାଇଲ୍‌ ଟିମ୍‌ ଗଠନ କରାଯାଇଛି। ନିର୍ବାଚନ ପରିଚାଳନା ପାଇଁ ୧୨ଶହ ୨୮ଜଣ ପ୍ରିଜାଇଡିଂ ଓ ପୋଲିଂ ଅଫିସର ନିଯୁକ୍ତ ହୋଇଛନ୍ତି।ପ୍ରତି ବୁଥ୍‌ରେ ଜଣେ ପ୍ରିଜାଇଡିଂ ଅଫିସର ଓ ୩ଜଣ ପୋଲିଂ ଅଫିସରଙ୍କୁ ନିଯୁକ୍ତ କରାଯାଇଛି।