ବ୍ରଜରାଜନଗର ଉପନିର୍ବାଚନ: ପ୍ରକାଶିତ ଖବରର ଅନୁଧ୍ୟାନ କରିବେ ଅଧିକାରୀ

ଝାରସୁଗୁଡ଼ା, ଅଫିସ,୧୦।୫: ବ୍ରଜରାଜନଗର ଉପନିର୍ବାଚନ ପରିପ୍ରେକ୍ଷୀରେ ମିଡିଆ ସାର୍ଟିଫିକେଶନ ଓ ମନିଟରିଂ କମିଟି(ଏମ୍‌ସିଏମ୍‌ସି)ର ଏକ ବୈଠକ ଜିଲାପାଳ ସରୋଜ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କମିଟି ଟିଭି, ଖବରକାଗଜ, ବିଭିନ୍ନ ସାମାଜିକ ଗଣମାଧ୍ୟମ ଜରିଆରେ ପେଡ୍‌ ନିଉଜ ସମ୍ପର୍କିତ ଖବରର ଅନୁଧ୍ୟାନ କରି ରିଟର୍ନିଂ ଅଧିକାରୀ ଓ ଏକ୍ସପେଣ୍ଡିଚର ଅବଜର୍ଭରଙ୍କୁ ତଥ୍ୟ ପ୍ରଦାନ କରିବେ । ନିର୍ବାଚନରେ ନିର୍ଦ୍ଦିଷ୍ଟ ପ୍ରାର୍ଥୀ ବା ଦଳ ସପକ୍ଷରେ କିମ୍ବା ବିପକ୍ଷରେ ଗଣମାଧ୍ୟମରେ ପ୍ରକାଶିତ ବା ପ୍ରଦର୍ଶିତ ଖବର ଅନୁଧ୍ୟାନ ପରେ ଏହା ବିଜ୍ଞାପନ ଅନ୍ତର୍ଭୁକ୍ତ ହେବ କି ନାହିଁ ତାହା ଏହି କମିଟି ତଦାରଖ କରିବ । ନିର୍ବାଚନ ଆୟୋଗଙ୍କ ଦ୍ୱାରା ଜାରି ନିର୍ଦ୍ଦେଶାବଳୀ ଅନୁସାରେ ଯଥେଷ୍ଟ ସତର୍କତାର ସହ ଏମ୍‌ସିଏମ୍‌ସି କାର୍ଯ୍ୟ କରିବାକୁ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ସାମଲ ବୈଠକରେ ପରାମର୍ଶ ଦେଇଛନ୍ତି । ଉପଜିଲାପାଳ ତଥା ରିଟର୍ନିଂ ଅଧିକାରୀ ଦୟାମୟ ପାଢ଼ୀ, ଡେପୁଟି କଲେକ୍ଟର ଯୋଗେନ୍ଦ୍ର ମାଝି, ପ୍ରଫେସର ଟହଲୁ ସାହୁ, ହିମାଂଶୁ ବେହେରା ଓ ଅଜୟ ଜେନା ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ ।