୭୨ତମ ବନ୍ୟପ୍ରାଣୀ ସପ୍ତାହ ପୂର୍ବରୁ ଭଞ୍ଜନଗରରେ ଆଲୋଚନାଚକ୍ର: ବନ୍ୟପ୍ରାଣୀ ସୁରକ୍ଷା ପାଇଁ ସାମୂହିକ ସହଭାଗିତା ଉପରେ…

ଭଞ୍ଜନଗର,୨୯।୯(ବାବୁଲା ପ୍ରଧାନ): ୭୨ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ପୂର୍ବରୁ ମଙ୍ଗଳବାର ଭଞ୍ଜନଗର ଲାଲସିଂ ନର୍ସରୀଠାରେ ଘୁମୁସର ଉତ୍ତର ଓ ଦକ୍ଷିଣ ବନଖଣ୍ଡ ପକ୍ଷରୁ ବନ୍ୟପ୍ରାଣୀ ସୁରକ୍ଷା ଉପରେ ଏକ ସ୍ୱତନ୍ତ୍ର ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା (NSS) ସ୍ୱେଚ୍ଛାସେବୀ, ସାମ୍ବାଦିକ, ସ୍ୱେଚ୍ଛାସେବୀ ସଂଗଠନର ପ୍ରତିନିଧି ଓ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଯୋଗଦେଇଥିଲେ।

ଏହି ଅବସରରେ ଘୁମୁସର ଦକ୍ଷିଣ ବନଖଣ୍ଡ ଅଧିକାରୀ (DFO) ବିପାଶା ପାରୁଲ, ଘୁମୁସର ଉତ୍ତର ବନଖଣ୍ଡ ଡିଏଫ୍‌ଓ ହିମାଂଶୁ ଶେଖର ମହାନ୍ତିଙ୍କ ସମେତ ବହୁ ଅତିଥି ଯୋଗଦେଇ ବନ୍ୟପ୍ରାଣୀ ସୁରକ୍ଷା ଓ ଜୈବବିବିଧତା ସଂରକ୍ଷଣ ଉପରେ ନିଜ ନିଜର ମତ ରଖିଥିଲେ। ଘୁମୁସର ଅଞ୍ଚଳର ପାକିଡ଼ି ପାହାଡ଼ ଓ ହଜପଲ୍ଲୀ ଅଞ୍ଚଳରେ ହରିଣ, ମୟୂର ଆଦି ବନ୍ୟପ୍ରାଣୀଙ୍କ ଉପସ୍ଥିତି ଏହାର ସମୃଦ୍ଧ ଜୈବବିବିଧତାର ପରିଚୟ ବୋଲି ବକ୍ତାମାନେ ପ୍ରକାଶ କରିବା ସହ ବନ୍ୟପ୍ରାଣୀ ସୁରକ୍ଷା ପାଇଁ ସାମୂହିକ ସହଭାଗିତା ଆବଶ୍ୟକ ବୋଲି କହିଥିଲେ।

ଅନ୍ୟପକ୍ଷରେ ମଣିଷ-ହାତୀ ସଂଘର୍ଷ ଏକ ବଡ଼ ଚ୍ୟାଲେଞ୍ଜ ହୋଇଥିବା ବେଳେ ଏହାର ମୁକାବିଲା ପାଇଁ ବନ ବିଭାଗ ସହିତ ସ୍ଥାନୀୟ ଲୋକ, ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କ ସହଯୋଗ ଆବଶ୍ୟକ ବୋଲି ଆଲୋଚନା ହୋଇଥିଲା। ବନ୍ୟପ୍ରାଣୀଙ୍କୁ ଉତ୍ତେଜିତ ନକରିବା, ଜଙ୍ଗଲ ଓ ସେମାନଙ୍କ ଆବାସସ୍ଥଳୀ ନଷ୍ଟ ନକରିବା ଏବଂ ବନ୍ୟଜନ୍ତୁଙ୍କ ଗତିବିଧି ଦେଖିଲେ ତୁରନ୍ତ ବନ ବିଭାଗକୁ ଜଣାଇବା ପାଇଁ ପରାମର୍ଶ ଦିଆଯାଇଥିଲା।

ଏହି କାର୍ଯ୍ୟକ୍ରମରେ ‘ସ୍ନେହା’, ‘ସ୍ୱାତୀ’, ‘ଲିପିକା’ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତାମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଛାତ୍ରଛାତ୍ରୀମାନେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଭାଗ ନେଇ ବନ ଅଧିକାରୀମାନଙ୍କ ସହ ବନ୍ୟପ୍ରାଣୀ ସୁରକ୍ଷା, ଜଙ୍ଗଲ ସଂରକ୍ଷଣ ଓ ମଣିଷ-ବନ୍ୟପ୍ରାଣୀ ସହାବସ୍ଥାନ ସମ୍ପର୍କରେ ମତାମତ ଆଦାନପ୍ରଦାନ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ପାକିଡି ମୟୂର ସୁରକ୍ଷା ସମିତି ସଭାପତି ଡ. ସମୀର କୁମାର ପ୍ରଧାନ, ଡ. ଉଦୟ କୁମାର ଦାସ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏସିଏଫ୍ (ACF) ବିମଳ ପ୍ରଧାନ ସଭାକୁ ସଂଯୋଜନା କରିଥିବା ବେଳେ ଏସିଏଫ୍ ପ୍ରଦୀପ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ଜାତୀୟ ସେବା ଯୋଜନା ଅଧିକାରୀ ବାବୁଲା ପ୍ରଧାନ, ମହିଳା ଶାଖା ଅଧିକାରିଣୀ ସସ୍ମିତା କୁମାରୀ ଦାସ, ରେଞ୍ଜର ସରୋଜ କୁମାର ମହାନ୍ତି, ପୃଥିବୀରାଜ ପ୍ରଧାନ, ବନପାଳ ବବୁଲ ସେଠୀ ପ୍ରମୁଖ ସହଯୋଗ କରିଥିଲେ।

Dharitri – Odisha’s No.1 Odia Daily

Share