ବିପିଏଲ୍‌ ପିଲାଙ୍କୁ ବିନା ଦେୟରେ ମିଳିବ ଇଂଲିଶ ମିଡିୟମ ଶିକ୍ଷା

ଭୁବନେଶ୍ୱର, (ଅସମାପିକା ସାହୁ)/ ବୌଦ୍ଧ, ୨୦।୨(ଅଜିତ କୁମାର ବାରିକ):ବୌଦ୍ଧ ଜିଲା ଲୁଣିବାହାଲଠାରେ କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ସୋସିିଆଲ ସାଇନ୍ସେସ(କିସ୍‌)-ବୌଦ୍ଧ ଇଂଲିଶ ମିଡିୟମ ସ୍କୁଲର ସୋମବାର ଉଦ୍‌ଘାଟନ ହୋଇଯାଇଛି। ଏଥିସହିତ ୧୦୦ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ ହସ୍ପିଟାଲର ଭୂମି ପୂଜନ ହୋଇଛି। ମୁଖ୍ୟ ଅତିଥି ଭାବେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ତଥା ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଯୋଗଦେଇ କହିଲେ, ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରୟାସକୁ ଅଚ୍ୟୁତ ସାମନ୍ତ ଆହୁରି ଆଗକୁ ନେଇଛନ୍ତି। ଏବେ କିସ୍‌-ବୌଦ୍ଧ ଇଂଲିଶ ମିଡିୟମ ସ୍କୁଲ୍‌ ଓ ହସ୍ପିଟାଲ୍‌ ପ୍ରତିଷ୍ଠା ହେବା ଦ୍ୱାରା ବୌଦ୍ଧ ଜିଲାରେ ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ଅଗ୍ରଗତି କରିବ ବୋଲି ମନ୍ତ୍ରୀ କହିଛନ୍ତି। ସମ୍ମାନିତ ଅତିଥି ଭାବେ କଣ୍ଟାମାଳ ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ମହୀଧର ରଣା, ଜିଲା ପରିଷଦ ସଭାପତି ପ୍ରଭାସିନୀ ଦାସ, ବୌଦ୍ଧ ଜିଲାପାଳ ଜେ. ସୋନାଲ ଓ ଜିଲା ଆରକ୍ଷୀ ଅଧୀକ୍ଷକ ରାଜ ପ୍ରସାଦ ପ୍ରମୁଖ ଯୋଗଦେଇଥିଲେ। କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ତଥା ଏମ୍‌ପି ଡ. ଅଚ୍ୟୁତ ସାମନ୍ତ ସ୍ବାଗତ ଭାଷଣରେ କହିଲେ, ବୌଦ୍ଧ ଜିଲାର ଗରିବ(ବିପିଏଲ୍‌) ବର୍ଗର ଛାତ୍ରୀଛାତ୍ରଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ଲକ୍ଷ୍ୟରେ କିସ୍‌-ବୌଦ୍ଧ ପ୍ରତିଷ୍ଠା କରାଯାଇଛି। ଏହି ବିଦ୍ୟାଳୟରେ ବିପିଏଲ୍‌ ବର୍ଗର ପିଲାମାନେ ବିନା ଦେୟରେ ଇଂଲିଶ ମିଡିୟମ(ସିବିଏସ୍‌ଇ)ରେ ଶିକ୍ଷାଲାଭ କରିବେ। ଏହି ବିଦ୍ୟାଳୟ କିସ୍‌-ଭୁବନେଶ୍ୱର ଦ୍ୱାରା ପରିଚାଳିତ ହେବ। ଚଳିତ ଶିକ୍ଷାବର୍ଷଠାରୁ ଏହି ବିଦ୍ୟାଳୟରେ ନାମଲେଖା ସହ ପାଠପଢ଼ା ଆରମ୍ଭ ହେବ। ଏଠାରୁ ଊତ୍ତୀର୍ଣ୍ଣ ମେଧାବୀ ଛାତ୍ରୀଛାତ୍ର କିଟ୍‌ରେ ପଢ଼ିବେ ବୋଲି ଡ. ସାମନ୍ତ କହିଥିଲେ। ସେହିପରି ବୌଦ୍ଧ ଜିଲାର ଲୋକଙ୍କୁ ଉତ୍କୃଷ୍ଟ ସ୍ବାସ୍ଥ୍ୟସେବା ଯୋଗାଇଦେବା ଲକ୍ଷ୍ୟରେ ଲୁଣିବାହାଲଠାରେ ୧୦୦ କୋଟି ଟଙ୍କା ବ୍ୟୟରେ ୧୦୦ ଶଯ୍ୟା ବିଶିଷ୍ଟ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ଅତ୍ୟାଧୁନିକ ହସ୍ପିଟାଲ୍‌ ନିର୍ମାଣ ହେବାକୁ ଯାଉଛି। କିମ୍ସ ଭୁବନେଶ୍ୱର ଦ୍ୱାରା ଏହି ହସ୍ପିଟାଲ୍‌ ପରିଚାଳିତ ହେବ। ପରେ ଏହି ହସ୍ପିଟାଲକୁ ୨୦୦ ଶଯ୍ୟା ବିଶିଷ୍ଟ କରାଯିବ। ଏହି ହସ୍ପିଟାଲରେ ସମସ୍ତ ପ୍ରକାର ଅତ୍ୟାଧୁନିକ ଚିକିତ୍ସା ସୁବିଧା ଓ ନିଦାନ ଉପଲବ୍ଧ ହେବ। କିସ୍‌-ବୌଦ୍ଧରେ ବୌଦ୍ଧ ଜିଲାର ୧୦୦ଜଣ ଯୁବତୀଯୁବକଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ସେହିପରି ହସ୍ପିଟାଲରେ ମଧ୍ୟ ୧୫୦ ଯୁବତୀଯୁବକଙ୍କୁ ନିଯୁକ୍ତି ପ୍ରଦାନ କରାଯିବ ବୋଲି ସେ ସୂଚନା ଦେଇଥିଲେ। କଣ୍ଟାମାଳ ବିଧାୟକ ରଣା କହିଲେ, ମୁଖ୍ୟମନ୍ତ୍ରୀ ୨୦୩୬ ସୁଦ୍ଧା ଶ୍ରେଷ୍ଠ ଓଡ଼ିଶା ଗଠନର ଯେଉଁ ସ୍ବପ୍ନ ଦେଖିଛନ୍ତି ତାହାକୁ ଏମ୍‌ପି ସାମନ୍ତ ଦୁଇ ପାଦ ଆଗେଇ ନେଇଛନ୍ତି।