ଅଶୋକଝରି ରଥ ଟାଣିଲେ ବାଳିକା ବାଳକ

ବାରିପଦା ଅଫିସ, ୧୦।୪ – ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାର ହରିବଳଦେବଜୀଉଙ୍କ ବଡ଼ଦାଣ୍ଡରେ ଶନିବାର ଅଶୋକାଷ୍ଟମୀ ଅବସରରେ ରୁକୁଣା ଅଶୋକଝରି (ରୁକୁଣା) ରଥକୁ ବାଳିକା ବାଳକମାନେ ଟାଣିଛନ୍ତି। କୋଭିଡ୍‌ କଟକଣା କୋହଳ ହେବାରୁ ଚଳିତବର୍ଷ ଏହି ପରମ୍ପରା ଆଡ଼ମ୍ବରରେ ପାଳିତ ହୋଇଛି। ମୟୂରଭଞ୍ଜ ଗଡ଼ଜାତ ରାଜ୍ୟରେ ମହାରାଜାମାନଙ୍କ ଶାସନ ସମୟରୁ ପାଳିତ ହୋଇଆସୁଥିବା ଅଶୋକଝରି ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଛି। ଶନିବାର ଅପରାହ୍ନରେ ହରିବଳଦେବ ଜୀଉଙ୍କ ମନ୍ଦିରରୁ ମହାପ୍ରଭୁ ଶ୍ରୀରାମ, ଅନୁଜ ଲକ୍ଷ୍ମଣ ଓ ଦେବୀ ସୀତା ଚୈତ୍ର ଶୁକ୍ଳପକ୍ଷ ରଥାରୂଢ଼ ହୋଇ ଅଶୋକବନକୁ ପରମ୍ପରା ଅନୁଯାୟୀ ଯାତ୍ରା କରିଛନ୍ତି। ବାରିପଦା ବଡ଼ ଜଗନ୍ନାଥ ମନ୍ଦିରର ରୀତିନୀତି ଓ ପ୍ରଚଳିତ ପରମ୍ପରା ଅନୁସାରେ ମହାପ୍ରଭୁମାନଙ୍କ ନିକଟରେ ପହଡ଼, ପଣା ଓ ଠା କାର୍ଯ୍ୟ ସମାପନ ହୋଇଛି। ମହାପ୍ରଭୁଙ୍କ ନିକଟରୁ ଆଜ୍ଞାମାଳ ପାଇବା ପରେ ମନ୍ଦିରର ତିନି ପୂଜାପଣ୍ଡା ପହଣ୍ଡିରେ ମହାପ୍ରଭୁ ଶ୍ରୀରାମ, ଲକ୍ଷ୍ମଣ ଓ ମାତା ସୀତାଙ୍କୁ ମନ୍ଦିର ବେଢ଼ା ପହଣ୍ଡିରେ ତିନିଥର ପରିକ୍ରମା କରାଇଛନ୍ତି। ପରେ ସିଂହଦ୍ୱାର ନିକଟରେ ଅପେକ୍ଷା କରିଥିବା ଅଶୋକଝରି ରଥରେ ରଥାରୂଢ଼ ହୋଇଥିଲେ। ଏହାପରେ ସୁସଜ୍ଜିତ ରଥକୁ ପ୍ରଶାସନିକ ଅଧିକାରୀ ଓ କର୍ମଚାରୀମାନଙ୍କ ଉପସ୍ଥିତିରେ ସେବାୟତମାନଙ୍କ ଶଙ୍ଖ, ଘଣ୍ଟ, ଘଣ୍ଟା, ମୃଦଙ୍ଗ ବାଦ୍ୟ ସହ ହରିବୋଲ ସଂକୀର୍ତ୍ତନ ଓ ହୁଳହୁଳିରେ ବଡ଼ ଜଗନ୍ନାଥ ମନ୍ଦିରରୁ ବଡ଼ଦାଣ୍ଡରେ ଥିବା ଶ୍ରୀରାଧାମୋହନ ମନ୍ଦିର(ମାଉସୀ ମା’ ମନ୍ଦିର) ନିକଟକୁ ବାଳିକା ବାଳକମାନେ ଟାଣି ନେଇଥିଲେ।
ସମସ୍ତ ସେବାୟତ ମୟୂରଭଞ୍ଜ ରାଜଦରବାର ଅମଳରେ ନାମିତ ପୁରୁଣା ବଗସାମଲଗଡ଼ (ବର୍ତ୍ତମାନର ମା’ ଅମ୍ବିକା ଠାକୁରାଣୀ)ରୁ ପରମ୍ପରା ଅନୁଯାୟୀ ଅଶୋକ ଫୁଲର କଢ଼ି ସଂଗ୍ରହ କରି ରଥ ନିକଟକୁ ଆଣିଥିଲେ। ପରେ ରଥରେ ବିଧି ଅନୁସାରେ ପୂଜାର୍ଚ୍ଚନାରେ ଅଶୋକ କଢ଼ି ଲାଗି ହୋଇଥିଲା। ଏହାପରେ ଉକ୍ତ ଅଶୋକ କଢ଼ିକୁ ପ୍ରସାଦ ରୂପେ ବଣ୍ଟନ କରାଯାଇଥିଲା। ପ୍ରକାଶ ଥାଉକି, ଏହି ଅଶୋକାଷ୍ଟମୀ ତିଥିରେ ଅଶୋକ ଗଛର ଫୁଲକୁ ସେବନ କଲେ ସମସ୍ତ ପ୍ରକାର ଦୁଃଖ ଦୂର ହେବା ସହ ଶରୀର ସମସ୍ତ ରୋଗରୁ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଆସିଛି। ଶେଷରେ ରାଧାମୋହନ ମନ୍ଦିର ସମ୍ମୁଖରୁ ରଥ ମୋଡ଼ ନେବା ପରେ ପୁଣି ଥରେ ରଥକୁ ବଡ଼ଦାଣ୍ଡରେ ଟାଣି ଟାଣି ବଡ଼ ଜଗନ୍ନାଥ ମନ୍ଦିରର ସିଂହଦ୍ୱାର ନିକଟରେ ପହଞ୍ଚା ଯାଇଥିଲା। ପରମ୍ପରା ଅନୁଯାୟୀ ରାତିରେ ସେବାୟତମାନେ ପହଣ୍ଡିରେ ତିନି ଠାକୁରଙ୍କୁ ମନ୍ଦିର ଭିତରକୁ ନେଇଥିଲେ।