ସମସ୍ୟା ସମାଧାନ ନ ହେଲେ ଭୋଟ ବର୍ଜନ

ସାରସକଣା,୧୯ା୧(ଡି.ଏନ.ଏ.) – ମୟୂରଭଞ୍ଜ ଜିଲା ସାରସକଣା ବ୍ଲକ ଭୂରୁଷାଣି ପଞ୍ଚାୟତ ଅନ୍ତର୍ଗତ ମାଗ୍‌ତାଡିହି ଗ୍ରାମବାସୀ ମୌଳିକ ସୁବିଧାରୁ ବଞ୍ଚିତ ହୋଇଛନ୍ତି। ପ୍ରଶାସନିକ ଅବହେଳା କାରଣରୁ ଆଦିବାସୀ ଅଧ୍ୟୁଷିତ ଏହି ଗାଁରେ ବିକାଶ ଅପହଞ୍ଚ ହୋଇପଡ଼ିଛି। ଏଠାରେ ବସବାସ କରୁଥିବା ପ୍ରାୟ ୨୫ଟି ପରିବାର ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟଜଳ ଓ ବିଦ୍ୟୁତ୍‌ ସେବା ଭଳି ମୌଳିକ ସୁବିଧା ପାଇପାରୁ ନାହାନ୍ତି। ଭଲ ରାସ୍ତା ଖଣ୍ଡେ ନ ଥିବାରୁ ଜରୁରୀକାଳୀନ ସମୟରେ ଆମ୍ବୁଲାନ୍ସ ଓ ଦମକଳ ଗାଡ଼ି ଗାଁ ଭିତରକୁ ପଶିପାରେ ନାହିଁ। ଏନେଇ ଗ୍ରାମବାସୀ ଅନେକଥର ଜିଲା ପ୍ରଶାସନଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କୁ ଲିଖିତ ଭାବେ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳି ପାରିନାହିଁ। ଗାଁରେ ଲାଗି ରହିଥିବା ସମସ୍ୟାର ତୁରନ୍ତ ସମାଧାନ ନ ହେଲେ ପଞ୍ଚାୟତ ନିର୍ବାଚନରେ ଭୋଟବର୍ଜନ କରିବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।
କାର୍ଯ୍ୟାଳୟଠାରୁ ପ୍ରାୟ ୮କି.ମି ଦୂର ଏହି ଗାଁକୁ ଆସିବାକୁ ହେଲେ ନୁହାମାଳିଆ ଓ ଖଡିଆଶୋଳ ଗାଁ ବାଟେ କଚ୍ଚା ରାସ୍ତା ଦେଇ ଜଙ୍ଗଲ ପାରିହେବାକୁ ପଡ଼ିଥାଏ। କମ୍‌ ସଂଖ୍ୟକ ଛାତ୍ରୀଛାତ୍ର ଥିବା କାରଣରୁ ଏହି ଗ୍ରାମରେ ଖୋଲା ଯାଇଥିବା ପ୍ରାଥମିକ ବିଦ୍ୟାଳୟ ଦୁଇ ବର୍ଷ ହେଲା ବନ୍ଦ ରହିଛି। ଗ୍ରାମରୁ ୫କି.ମି. ଦୂରରେ ସରକାରୀ ପ୍ରାଥମିକ ବିଦ୍ୟାଳୟ ଏବଂ ଅଙ୍ଗନଓ୍ବାଡି କେନ୍ଦ୍ର ରହିଥିଲେ ମଧ୍ୟ ଏତେ ଦୂରକୁ ଯାତାୟତ ସମ୍ଭବ ହୋଇପାରୁ ନ ଥିବାରୁ ପିଲାମାନେ ସେଠାକୁ ପଢ଼ିବାକୁ ଯାଇ ପାରୁନାହାନ୍ତି। ଗ୍ରାମର ଅଧିକାଂଶ ଲୋକ ଦିନ ମଜୁରିଆ। ସକାଳେ କାମକୁ ଯାଇ ସନ୍ଧ୍ୟାରେ ଫେରନ୍ତି। ଫଳରେ ପିଲାମାନଙ୍କୁ ସ୍କୁଲ କିମ୍ବା ଅଙ୍ଗନଓ୍ବାଡି ନେଇ ଛାଡ଼ି ପାରନ୍ତି ନାହିଁ ବୋଲି ଗ୍ରାମର ମଙ୍ଗଲସିଂ,ଦଶରଥ ସିଂ,ରାମ ସିଂ ଓ ସର୍ବେଶ୍ୱର ସିଂ ପ୍ରମୁଖ କହିଛନ୍ତି। ପାଇପ ଜଳ ଯୋଗାଣ ବ୍ୟବସ୍ଥା କରାଯାଇ ନ ଥିବାରୁ ଗ୍ରାମର ମହିଳାମାନେ ଏବେବି ଚୁଆ ଖୋଳି ପିଇବା ପାଣି ସଂଗ୍ରହ କରୁଛନ୍ତି। ପିଲାଙ୍କ ଶିକ୍ଷାଦାନ ସମ୍ପର୍କରେ ସାରସକଣା ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରିଣୀ ରାସମଣି ନାଏକଙ୍କୁ ପଚାରିବାରୁ ଏହି ବ୍ଲକରେ ମୁଁ ନୂତନ ଭାବେ ଯୋଗଦେଇଛି। ତେଣୁ ଏବିଇଓଙ୍କୁ ପଚାରିଲେ ସେ ଏବାବଦରେ କହିପାରିବେ ବୋଲି ସେ କହିଛନ୍ତି। ବିଡିଓ କରୁଣାକର ଧିଣ୍ଡାଙ୍କୁ ପଚାରିବାରୁ ପାନୀୟଜଳ ଏବଂ ରାସ୍ତା ପାଇଁ ମୁଁ ପଦକ୍ଷେପ ନେବି ଏବଂ ପିଲାମାନଙ୍କ ଶିକ୍ଷାଦାନ ବାବଦରେ ଏବିଇଓଙ୍କୁ କହି ବ୍ୟବସ୍ଥା କରିବି ବୋଲି ପ୍ରକାଶ କରିଛନ୍ତି।