କୁଜଙ୍ଗ,୬ା୫(ମନୋଜ ପ୍ରଧାନ): ଏରସମା ବ୍ଲକ ବାମଦେଇପୁର ପଞ୍ଚାୟତ ବାରାକଣା ଗ୍ରାମର ସୁରେଶ ଚନ୍ଦ୍ର ପାଣି (୪୫) ଜଣେ ଦିନମଜୁରିଆ ଭାବେ କାର୍ଯ୍ୟ କରି ପରିବାର ଚଳାଉଥିଲେ। ପରିବାର କହିଲେ ସ୍ତ୍ରୀଙ୍କ ସହ ୨ ଝିଅ ଓ ଗୋଟିଏ ପୁଅକୁ ବୁଝାଏ। ପୁଅ କୃଷ୍ଣଚନ୍ଦ୍ର(୧୦) ଜନ୍ମରୁ ଭିନ୍ନକ୍ଷମ ଥିବାବେଳେ ଅର୍ଥ ଅଭାବରୁ ତା’ଙ୍କର ଚିକିତ୍ସା ହୋଇପାରୁନାହିଁ। କୃଷ୍ଣ ଏବେ ଚାଲିପାରୁନାହାନ୍ତି କି କଥା କହିପାରୁନାହିଁ। ଖୁଆଇଦେଲେ ଖାଉଛନ୍ତି। ବିଭିନ୍ନ ସମୟରେ ଗୁରୁଣ୍ଡି ଗୁରୁଣ୍ଡି ବାହାରକୁ ଚାଲିଯାଉଛନ୍ତି, ଯେଉଁଥିପାଇଁ ପୁଅର ଗୋଡ଼ରେ ଏକ ରଶି ବାନ୍ଧି ଘର ଭିତରେ ରଖାଯାଉଛି। ସୁରେଶ ଗରିବ ଶ୍ରେଣୀର ହୋଇଥିଲେ ମଧ୍ୟ ଆବାସ ଯୋଜନାରେ ଏପର୍ଯ୍ୟନ୍ତ ଘରଖଣ୍ଡିଏ ମିଳିପାରୁନାହିଁ। ତିନି ପିଲାଙ୍କର ରାଶନ କାର୍ଡରେ ନାମ ସଂଯୋଗ ହୋଇପାରୁ ନ ଥିବାରୁ ପରିବାର ଚଳିବା କଷ୍ଟକର ହେଉଛି। ଏଭଳି ସ୍ଥିତିରେ ପୁଅର ଚିକିତ୍ସା କିପରି କରିବେ ସେନେଇ ସୁରେଶ ଚିନ୍ତାରେ ପଡ଼ିଛନ୍ତି। ଜନ୍ମର କିଛିଦିନ ପରେ ପୁଅଠାରେ କେତେକ ଅସ୍ବାଭାବିକ ଲକ୍ଷଣ ଜାଣିପାରି ତାକୁ କଟକ ଶିଶୁଭବନ, ବଡ଼ ମେଡିକାଲ ଓ ଅନ୍ୟ କେତେକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଗଲା। ହେଲେ ପୁଅର ଅସ୍ବାଭାବିକତାରେ କୌଣସି ସୁଧାର ଆସିଲାନାହିଁ। ଡାକ୍ତର କହିଲେ, ପୁଅ ଉଭୟ ମସ୍ତିଷ୍କ ଓ ହୃଦ୍ ରୋଗରେ ଆକ୍ରାନ୍ତ। ପରବର୍ତ୍ତୀ ସମୟରେ ଅର୍ଥାଭାବରୁ ପୁଅର ଆଉ ଚିକିତ୍ସା କରିପାରିଲେନି ସୁରେଶ।
ଏ ସମ୍ପର୍କିତ ଖବର ସାମାଜିକ କର୍ମୀ ପ୍ରକାଶ ପାଲ୍ ପାଇବା ପରେ ମଙ୍ଗଳବାର ଅପରାହ୍ନରେ ସୁରେଶଙ୍କ ଘରେ ପହଞ୍ଚତ୍ ତାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଏଥିସହ ଶିଶୁଟିର ଚିକିତ୍ସା ପାଇଁ ସରକାରୀସ୍ତରରେ ପଦକ୍ଷେପ ନେବାକୁ ଦାବି କରିଛନ୍ତି। ନାଏବ ସରପଞ୍ଚ କାଳନ୍ଦୀ ସ୍ବାଇଁ, ମନୋଜ କୁମାର ଖଟେଇ, ମନୋରଞ୍ଜନ ପଲାଇ, ସଞ୍ଜୟ କୁମାର ପଲାଇ ଓ ନିଲୁ ମଲ୍ଲିକ ପ୍ରମୁଖ ଗ୍ରାମବାସୀ ଅନୁରୂପ ଦାବି କରିବା ସହ କୃଷ୍ଣଙ୍କର ଉପଯୁକ୍ତ ଚିକିତ୍ସା କରାଗଲେ ସେ ଆରୋଗ୍ୟ ହୋଇପାରନ୍ତା ବୋଲି କହିଛନ୍ତି। ଏ ସମ୍ପର୍କରେ ବିଡିଓ ଦାଶରଥୀ ଜେନା କୁହନ୍ତି, ୨୪ ଘଣ୍ଟା ମଧ୍ୟରେ ସୁରେଶଙ୍କ ପାରିବାରିକ ସମସ୍ୟାର ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ।