‘ମୁଁ ଯାଉଛି ଧନ, ମୋତେ ଭୁଲ ବୁଝିବ ନାହିଁ’

ହାଟଡିହୀ,୧୮।୩(ଡି.ଏନ୍‌.ଏ.): ‘ମୋ’ ଦୁଇ ଭଉଣୀ ମୋ’ କଥାରେ ରାଜି ହେଲେ ନାହିଁ । ତେଣୁ ମୋ ଦେହ,ମନ ଭଲ ରହିଲା ନାହିଁ । ସେଥିପାଇଁ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲି । ଝିଅ ପକ୍ଷର କିଛି ଦୋଷ ନାହିଁ । ମୋ ଭଲ ପାଇବା ଛାଡି ମୁଁ ଯାଉଛି ଧନ । ତୋ କଥା ମୁଁ ରଖି ପାରିଲିନି । ମତେ ଭୁଲ ବୁଝିବ ନାହିଁ ।’ ଏ ହେଉଛି ଆତ୍ମହତ୍ୟା ପୂର୍ବରୁ ଜଣେ ପ୍ରେମିକଙ୍କର ହାତ ଲେଖା ଚିଠି । ଏପରି ଚିଠି ଲେଖି ଆତ୍ମହତ୍ୟା କରିବା ଘଟଣା ଏବେ କେନ୍ଦୁଝରରେ ଆଲୋଚନା ର ବିଷୟ ପାଲଟିଛି ।
ସୂଚନାନୁଯାୟୀ, ପ୍ରେମିକଜଣଙ୍କ ହେଲେ କେନ୍ଦୁଝର ଜିଲା ନନ୍ଦିପଦା ଥାନା ନୂଆରମ୍ପାସ ଗ୍ରାମର ମଧୁ ସାହୁଙ୍କ ପୁଅ ସାଗର ସାହୁ (୨୩)। ନିଜ ପ୍ରେମକୁ ପାଇବାରେ ବିଫଳ ହେବାରୁ ଶେଷରେ ସେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଗାଁ ନିକଟସ୍ଥ କେନାଲଠାରୁ ଅଳ୍ପ ଦୂରରେ ଥିବା ଏକ ବର ଗଛରେ ତାଙ୍କର ଝୁଲନ୍ତା ମୃତଦେହ ଶୁକ୍ରବାର ଦେଖିବାକୁ ମିଳିଥିଲା । ପରେ ନନ୍ଦିପଦା ଥାନାକୁ ଖବର ଦିଆଯାଇଥିଲା । ଆଇଆଇସି ଗଗନ ବିଶ୍ୱାଳ କହିଛନ୍ତି ଯେ ୟୁଡ଼ି ମାମଲା ନଂ(୩/୨୦୨୨) ରୁଜୁ ହୋଇଛି । ମୃତଦେହକୁ ଜବତ କରାଯାଇ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।